କଟକ:ପୁଣି ଚର୍ଚ୍ଚାକୁ ଆସିଲା 'କାନ୍ଧାର ବିମାନ ଅପହରଣ' ଘଟଣା । କାରଣ ଏହି ଘଟଣାକୁ ନେଇ ନିର୍ମିତ ହୋଇଛି ଏକ ୱେବ ସିରିଜ 'IC 814: ଦ କାନ୍ଧାର ହାଇଜ୍ୟାକ' ଏବଂ ସିରିଜ ଏବେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ବେଳେ ଏଥିରେ ଆତଙ୍କବାଦୀଙ୍କ ନାମକରଣକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । କେନ୍ଦ୍ରର ତାଗିଦ ପରେ ଏହି ବିବାଦ ସମାଧାନ ହୋଇଥିବା ବେଳେ ବର୍ତ୍ତମାନ ସିରିଜ ଦେଖି ସେହି ଅଭୁଲା ସ୍ମୃତି ମନେ ପକାଇଛନ୍ତି କଟକର ଝିଅ ଇପ୍ସିତା ବିଶ୍ୱାଳଙ୍କ ପରିବାର । କାରଣ ଇପ୍ସିତା ତାଙ୍କ ସ୍ୱାମୀ ବିପିନ ମେନନଙ୍କ ସହ ବିବାହ ପରେ ସେହି ଫ୍ଲାଇଟରେ ଯାତ୍ରା କରିଥିଲେ ଯେତେବେଳେ ଏହି ଘଟଣା ଘଟିଥିଲା । ଦୀର୍ଘ ୨୫ ବର୍ଷ ପରେ ଇପ୍ସିତାଙ୍କ ପରିବାର ଲୋକେ ବଖାଣିଛନ୍ତି ସେଦିନର ଲୋମଟାଙ୍କୁରା ଘଟଣାର ଅନୁଭୂତି ।
କାନ୍ଧାର ବିମାନ ଅପହରଣ ଘଟଣାରେ ଯଦିଓ ଫସିଥିବା ଯାତ୍ରୀ ମାନେ ଯଦିଓ ପ୍ରତିକ୍ରିୟା ଦେଇନାହାନ୍ତି ମାତ୍ର ଯାତ୍ରୀଙ୍କ ପରିବାର ଲୋକ ଇଟିଭି ଭାରତଆଗରେ ବଖାଣିଛନ୍ତି । କେମିତି ଥିଲା ସେହି ଦିନର ଅଭୁଲା ସ୍ମୃତି । କେତେଦିନ ପରେ ଯାତ୍ରୀ ମାନେ ସୁରକ୍ଷିତ ଭାବରେ ଫେରିଥିଲେ । ତେବେ କଟକରେ ରହୁଥିବା ଇସ୍ପିତାଙ୍କ ପରିବାର ଲୋକ ଇଟିଭି ଭାରତ ଆଗରେ ଯେଉଁ କାହାଣୀ ବଖାଣିଛନ୍ତି ଆପଣ ଶୁଣିଲେ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ ।
'କାନ୍ଧାର ବିମାନ ଅପହରଣ'ର ମୁଖ ସାଖୀ ଥିଲେ ଇପ୍ସିତା ବିଶ୍ୱାଳ ଓ ବିପିନ ମେନନ
ସୂଚନା ଅନୁସାରେ, ସେଦିନ ଥିଲା 1999 ମସିହା ଡିସେମ୍ବର ମାସ 11 ତାରିଖ । ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ କଟକ ତୁଳସୀପୁର ବାସିନ୍ଦା ଇପ୍ସିତା ବିଶ୍ୱାଳ ଓ ଦିଲ୍ଲୀ ବାସିନ୍ଦା ବିପିନ ମେନନ । ବିବାହ ପରେ କାଠମାଣ୍ଡୁରୁ 5 ଦିନିଆ ହନିମୁନ ଯାତ୍ରା ସାରି ଇଣ୍ଡିଆନ ଏଆର ଲାଇନ୍ସର ଫ୍ଲାଇଟ IC 814ରେ ଦିଲ୍ଲୀ ଆସୁଥାନ୍ତି ଏହି ନବ ବିବାହିତ ଦମ୍ପତି । ଏହି ଫ୍ଲାଇଟରେ ଥାନ୍ତି 179 ଜଣ ଯାତ୍ରୀ ଓ 11 ଜଣ ବିମାନ କର୍ମଚାରୀଙ୍କୁ ମିଶାଇ ମୋଟ 190 ଜଣ । ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ଵରୁ ମଝି ଆକାଶରେ ହଇଜ୍ୟାକ ହୋଇଯାଇଥିଲା । ଏ ସମ୍ପର୍କରେ ପାଇଲଟଙ୍କ ଠାରୁ ସୂଚନା ପାଇବା ପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏହା ପରେ ଅପହରଣକର୍ତ୍ତା ମାନେ ଯାତ୍ରୀ ମାନଙ୍କୁ ନିଜ ନିଜ ସିଟରେ ତଳକୁ ମୁହଁ ମାଡି ବସି ରହିବାକୁ କହିବା ସହ ଅସହଯୋଗ କଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହା ପରେ ବିମାନଟି ପ୍ରଥମେ ପାକିସ୍ତାନ ଏବଂ ଏହା ପରେ ଦୁବାଇ ଏବଂ ଶେଷରେ କାନ୍ଧାରରେ ଅବତରଣ କରିଥିଲା । ତେବେ ଏହି ବିମାନରେ ଇପ୍ସିତା ରହିଥିବା ବେଳେ ଏହା ଶୁଣି ପରିବାର ଲୋକେ ବେଶ ଭୟଭୀତ ହୋଇଥିଲେ । ଯାହାର ବର୍ତ୍ତମାନ ଅନୁଭୂତି ବଖାଣିଛନ୍ତି ତାଙ୍କ ପରିବାର ।
'7 ଦିନ ଧରି ବିମାନରେ ଦିନ କାଟିଥିଲେ ଇପ୍ସିତା ଓ ତାଙ୍କ ସ୍ୱାମୀ'