କଟକ:ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ କଟକ ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ଅପରାଧୀଙ୍କୁ ସାବାଡ଼ କରୁଛି । ମୁର୍ସିଦାବାଦରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ୱର ଖୋର୍ଦ୍ଧାରେ ବିକ୍ରି କରିଵା ପାଇଁ ଯୋଜନା କରୁଥିଲେ ବେପାରୀ । ମାଡି ବସିଲା ଚାଉଳିଆଗଞ୍ଜ ପୋଲିସ । ସୋମବାର ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ପୁଣି ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଛି ପୋଲିସ । ପଶ୍ଚିମବଙ୍ଗର ଦୁଇ ବ୍ୟବସ୍ୟାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଏହାସହ ସେମାନଙ୍କ ଠାରୁ 257 ଗ୍ରାମର ବ୍ରାଉନସୁଗାର ମଧ୍ୟ ଜବତ କରାଯାଇଛି । ନିର୍ବାଚନ ପୂର୍ବରୁ ଅପରାଧୀମାନେ ଯେପରି କୌଣସି ଅଘଟଣ ନଘଟାନ୍ତି, ସେଥିପାଇଁ ପୋଲିସ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଉଛି ।
ବନ୍ଧୁକ ବେପାର, ଲୁଟ୍ ହେଉ କିମ୍ବା ନିଶା ବ୍ୟବସାୟ ସବୁ ବିଷୟ ଉପରେ ନଜର ରଖିଛି ପୋଲିସ । କହିବାକୁ ଗଲେ କମିଶନରେଟ ପୋଲିସ କବଜାରେ ଏବେ ଅପରାଧୀ । ତେବେ ଦୁଇଜଣ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ 26 ଲକ୍ଷ ଟଙ୍କାରୁ ଅଧିକ ହେବା ନେଇ ପୋଲିସ ପକ୍ଷରୁ ଆକଳନ କରାଯାଉଛି । ଏହା ସହିତ ସେମାନଙ୍କ ଠାରୁ ନଗଦ ଦୁଇ ଲକ୍ଷ ଟଙ୍କା ସହ ଗୋଟିଏ ସ୍କର୍ପିଓ ଗାଡି ମଧ୍ୟ ଜବତ କରିଛି ପୋଲିସ ।