କଟକ:ରେଲଓ୍ବେରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ମାଗିଲେ । ନିଯୁକ୍ତି ପତ୍ର ଦେଇ ଟ୍ରେନିଂ ମଧ୍ୟ ଦେଲେ, କିନ୍ତୁ ଟଙ୍କା ଗଲା ସତ କିନ୍ତୁ ଚାକିରି ମିଳିଲା ନାହିଁ । ଜଣେକି ଦୁଇ ଜଣ ନୁହଁ ବରଂ ବିଭିନ୍ନ ଜିଲ୍ଲାରୁ ପ୍ରାୟ 40ରୁ 45 ଜଣ ଯୁକ ଯୁବତୀଙ୍କ ଠାରୁ 2 କୋଟି ଟଙ୍କା ଠକି ନେଇଛନ୍ତି ଠକ । ଠକେଇର ଶିକାର ହେବା ପରେ ଶେଷରେ କଟକ ବିଡାନାସୀ ଥାନାର ଦ୍ବାରସ୍ତ ହୋଇଛନ୍ତି ବାଲେଶ୍ବରର ଚିରଞ୍ଜୀବ ରାଉତ । ଏତଲା ଓ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଡାନିଏଲ ରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଡାନାସୀ ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମର୍ପିତା ଚୌଧୁରୀ ଫେରାର ହୋଇ ଯାଇଥିବା ଜଣାପଡିଛି।
ରେଲଓ୍ବେରେ ଚାକିରି ନାଁରେ 2 କୋଟି ଠକେଇ:
ଅଭିଯୋଗକାରୀ ଚିରଞ୍ଜୀବ ରାଉତ କହିଛନ୍ତି, 2022 ମସିହାରେ ଜଣଙ୍କ ସଂସ୍ପର୍ଶରେ ଆସିକି ସମର୍ପିତା ଚୌଧୁରୀ, ତାଙ୍କ ପୁଅ ଡାନିଏଲ ରାଜ ଓ ତାଙ୍କ ସ୍ବାମୀଙ୍କୁ ରେଲଓ୍ବେରେ ଚାକିରି ପାଇଁ ଟଙ୍କା ଦେଇଥିଲୁ । ସେମାନେ ଆମକୁ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ଆଇକାର୍ଡ ଦେଇ ନକଲି ନିଯୁକ୍ତି ପତ୍ର ଦେବା ସହ ଟ୍ରେନିଂ ପାଇଁ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନ ନିକଟକୁ ପଠେଇ ଥିଲେ, ହେଲେ ସେଠାରେ ପହଞ୍ଚିବା ପରେ ଏକ ନିଛାଟିଆ ସ୍ଥାନରେ ଟ୍ରେନିଂ ଦେବାରୁ ସନ୍ଦେହ ସୃଷ୍ଟି ହେଲା। ଏହା ଠକେଇ ବୋଲି ଜାଣିବା ପରେ ଆମେ ଟଙ୍କା ଫେରାଇବାକୁ କହିଥିଲୁ । 2 ବର୍ଷ ହେଲା ଟଙ୍କା ପାଇଁ ତାଙ୍କ ଘରକୁ ଯିବାରୁ ଆମକୁ ହତ୍ୟା ଧମକ ଦିଆୟାଏ । ବାଲେଶ୍ବର ଜିଲ୍ଲାରୁ ପ୍ରାୟ 30 ଲକ୍ଷ ଟଙ୍କା ଯୁବକ ଯୁବତୀ ମାନେ ଦେଇଛନ୍ତି । ମୁଁ 1ଲକ୍ଷ 98 ହଜାର ଦେଇଥିଲି, ମୋତେ 40 ହଜରା ଫେରାଇଛନ୍ତି । ବାକି ଟଙ୍କା ଦେଉନାହାନ୍ତି । ପ୍ରାୟ ବିଭିନ୍ନ ଜିଲ୍ଲାର 40ରୁ 45 ଜଣ ପିଲା ଅଛନ୍ତି । ପାଖାପାଖି 2 କୋଟି ଟଙ୍କାର ଠକେଇ ହୋଇଛି । ''