ଭୁବନେଶ୍ବର: ହାତରୁ କ୍ଷମତା ଚାଲିଯିବା ପରେ ଦୁର୍ବଳ ହେଉଛି ନବୀନଙ୍କ ହାତମୁଠା । ଧିରେ ଧିରେ ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା । ବିଜେଡିରୁ ଦୁଇ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ତୃଣମୂଳ ସ୍ତରରେ ବିଜେଡି ଦୁର୍ବଳ ହେବାରେ ଲାଗିଛି । କାରଣ ବିଜେଡିକୁ ଗ୍ରାଉଣ୍ଡରେ ସଶକ୍ତ କରିଥିବା ନେତା ବିଜେପି ମୁଁହା ହେଉଛନ୍ତି । ସେପଟେ ଦଳକୁ ଯୋଡି ରଖିବା ଲାଗି ସଂଗଠନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି ।
ବିଜେଡିର ସାଙ୍ଗଠନିକ ନିର୍ବାଚନ:
ବିଜେଡି ଉପଦେଷ୍ଟା କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଦଳର ସଭାପତି ନବୀନ ଲଗାତାର ଭାବେ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି । ବର୍ତ୍ତମାନ ସାଂଗଠନିକ କାର୍ଯ୍ୟକୁ ଅଧିକ ଫୋକସ ଦିଆଯାଉଛି । ସଦସ୍ୟ ସଂଗ୍ରହ ଅଭିଯାନ ଜୋରଦାର ଭାବେ ଚାଲିଛି । ସଦସ୍ୟ ସଂଗ୍ରହ ଅଭିଯାନ ପରେ ଦଳର ସାଙ୍ଗଠନିକ ନିର୍ବାଚନ ହେବ । ତଳସ୍ତରରୁ ରାଜ୍ୟ ସଭାପତି ପର୍ଯ୍ୟନ୍ତ ନିର୍ବାଚନ ହେବ । ଦଳ ଗଠନ ବେଳେ ଦୁଇ ବର୍ଷରେ ଥରେ ଆଉ ଏବେ 3 ବର୍ଷରେ ଥରେ ନିର୍ବାଚନ ହେଉଛି ।"
ଏହା ମଧ୍ୟ ପଢନ୍ତୁ-ନିଜ ଦଳର ପୋଲ୍ ଖୋଲିଲେ ବିଜେଡି ବିଧାୟକ ସୌଭିକ ! - SOUVIK BISWAL STATEMENT ON BJD
ଗତବର୍ଷ ଦଳର ସାଙ୍ଗଠନିକ ନିର୍ବାଚନ ସ୍ଥଗିତ ଥିଲା:
ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ ଆବାହକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତି 3 ବର୍ଷର ଥରେ ଦଳର ସାଙ୍ଗଠନିକ ନିର୍ବାଚନ ହୁଏ । ନିର୍ବାଚନ ଲାଗି ଗତବର୍ଷ ଦଳର ସାଙ୍ଗଠନିକ ନିର୍ବାଚନ ସ୍ଥଗିତ ଥିଲା । ଚଳିତ ବର୍ଷ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଆଗେଇଛି । ଏହାର ଗୋଟିଏ ଅଂଶ ହେଉଛି ଦଳର ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ । ସଦସ୍ୟତା ନବୀକରଣ ସହ ନୂଆ ସଦସ୍ୟ ସାମିଲ ହେଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଦଳର ସଭାପତି ବିଧାୟକ ଓ ନିର୍ବାଚନ ମଣ୍ଡଳୀର ନେତାଙ୍କ ସହ ଆଲୋଚନା କରୁଛନ୍ତି । ଏହି ପ୍ରକ୍ରିୟା ସରିବା ପରେ ଦଳର ୱାର୍ଡ କମିଟି ଗଠନ ହେବ । ୱାର୍ଡ କମିଟିର ସଭାପତି, ପଞ୍ଚାୟତ ସଭାପତି ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ଆସିବେ ।"
ସେ ଆହୁରି ମଧ୍ୟ କହିଛନ୍ତି, "ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସାଙ୍ଗଠନିକ ବ୍ୟବସ୍ଥା କରାଯିବ । ଡିଜିଟାଲ ଓ ଫିଜିକାଲ ଭାବେ ସଦସ୍ୟ ଗ୍ରହଣ ଅଭିଯାନ ଚାଲିଛି । ଡିଜିଟାଲ ଜରିଆରେ ଛାତ୍ର ଓ ଯୁବକଙ୍କୁ ସାମିଲ କରାଯାଉଛି । ତୃଣମୂଳ ସ୍ତରରେ ସଦସ୍ୟ ସଂଗ୍ରହ ଅଭିଯାନ ଚୂଡାନ୍ତ ସ୍ତରରେ ପହଁଚିଛି । ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ଶେଷ ହୋଇଯିବ । ଚୂଡାନ୍ତ ରିପୋର୍ଟ ରାଜ୍ୟ କାର୍ଯ୍ୟାଳୟରେ ପହଁଚିବା ଆରମ୍ଭ ହୋଇଛି । ଏହାକୁ ଏକତ୍ରିକରଣ କରି ନିର୍ବାଚନ ପ୍ରକ୍ରିୟାକୁ ଯିବ ଦଳ । ପୂର୍ବରୁ ଅଧିକ ସଦସ୍ୟ ଦଳରେ ସାମିଲ ହେବେ ।"
ବିଜେଡିକୁ ମଜବୁତ ସ୍ଥିତିରେ ରଖିବା ବଡ଼ ଚ୍ୟାଲେଞ୍ଜ:
ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବା ଅପେକ୍ଷା ଦଳୀୟ ସଂଗଠନକୁ ଏକଜୁଟ କରିବା ଲକ୍ଷ୍ୟ । ଏହା ବିଜେଡି ଲାଗି ବଡ଼ ଆହ୍ୱାନ । ରାଜ୍ୟସଭା ସାଂସଦଙ୍କ ଠାରୁ ଆରମ୍ଭ କରି ତୃଣମୂଳ ପ୍ରତିନିଧି ବିଜେଡି ଛାଡିବାରେ ଲାଗିଛନ୍ତି । ଏହି ପରିସ୍ଥିତିରେ ବିଜେଡିକୁ ମଜବୁତ ସ୍ଥିତିରେ ରଖିବା ବଡ଼ ଚ୍ୟାଲେଞ୍ଜ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜେଡି ସଂଗଠନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ତୃଣମୂଳର କର୍ମୀ ଓ ନେତା ହତୋତ୍ସାହିତ ନହୋଇ କିପରି ଦଳ ସହିତ ରହିବେ, ସେନେଇ ଏହି ପଦକ୍ଷେପ ଦଳ ନେଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଶାସକ ଦଳରେ ଥିବା ବେଳେ ବିଜେଡି ଯେଉଁ ନୀତି ଆପଣେଇଥିଲା, ସମାନ ପରିସ୍ଥିତିର ସେ ସମ୍ମୁଖୀନ ହେଉଛନ୍ତି । ବିଜେପିର ତୃଣମୂଳ ସଂଗଠନ ନଥିବାରୁ ଦଳ ଏହାକୁ ସୁଦୃଢ କରିବାକୁ ପ୍ରୟାସ ଆରମ୍ଭ କରିଛି । ବିଜେଡିର ତୃଣମୂଳ ସଂଗଠନକୁ ଫଟେଇ ନିଜକୁ ସଶକ୍ତ କରିବାକୁ ଯୋଜନା କରିଛି ଶାସକ ଦଳ । ଏହାକୁ ଫଳପ୍ରଦ ମୁକାବିଲା କରିବା ଲାଗି ଯୋଜନା କରିଛି ବିଜେଡି ।"
ଇଟିଭି ଭାରତ, ଭୁବନେଶ୍ବର