କେନ୍ଦୁଝର: ତିନି ଦିନିଆ ନିଜ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତର ଦ୍ବିତୀୟ ଦିନରେ ଗୋନାସିକା କେନ୍ଦୁଝର ମହୋତ୍ସବ ଓ ସରସ ମେଳା ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଡ୍ରୋନ ଓ ଲେଜର ସୋ' ମୁଖ୍ୟ ଆକର୍ଷଣ ସାଜିଥିଲା । ୨୦୨୫ରେ କେନ୍ଦୁଝର ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗୋନାସିକା ମହୋତ୍ସବ ଉଦଘାଟିତ:
କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ଗୋନାସିକା କେନ୍ଦୁଝର ମହୋତ୍ସବକୁ ବୁଧବାର ସନ୍ଧ୍ୟାରେ ଉଦଘାଟନ କରଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ," ଗୋନାସିକା କେନ୍ଦୁଝର ମହୋତ୍ସବ କଳା, ସଂସ୍କୃତି, ପରମ୍ପରା ଓ ମାନବବାଦର ଏକ ଅପୂର୍ବ ସଙ୍ଗମ । କେନ୍ଦୁଝରର ସଂସ୍କୃତି, ଏଠାକାର ଆଦିବାସୀ ସଂସ୍କୃତି ବିନା କଳ୍ପନାକରିବା ଅସମ୍ଭବ। ଜୁଆଙ୍ଗ, କୋହ୍ଲ, ଭୂୟାଁ, ଗୋଣ୍ଡ, ସାନ୍ତାଳ, ବାଥୁଡି, ଲୋଧା, ଭୂମିଜ, ସାଉଁତି ଆଦି ସମ୍ପ୍ରଦାୟଏ ଜିଲ୍ଲାକୁ ସମୃଦ୍ଧ କରିଛନ୍ତି । ଆମ ମାଟିର ପରମ୍ପରା ଅନନ୍ୟ, ଏଠି ଆମେ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କ ଆରାଧନା ନିମନ୍ତେ ବେଙ୍ଗ ବେଙ୍ଗୁଲୀ ବିହାଘର କରୁ, ଯାହାକୁ ଆମ ସାନ୍ତାଳୀ ଭାଷାରେ ରୋଟେବାପଲା କୁହାଯାଇଥାଏ । ଆମ ଘରେ ଛୋଟବେଳୁ ମୁଁ କରମା ପୂଜା କରି ଆସୁଛି । କୃଷିଭିତ୍ତିକ ଏହି ପର୍ବ ଆମ ସାନ୍ତାଳମାନଙ୍କ ପ୍ରମୁଖ ପର୍ବ । " ଭୂୟାଁମାନଙ୍କ ଜନ୍ତାଳ ଜମ୍ଭୀର ନୃତ୍ୟ, ଭଣ୍ଡପର୍ବ କି ବାଥୁଡ଼ିମାନଙ୍କ ବଡାମ ବଡାମଣି, ମୁଣ୍ଡା ଓ କୋହ୍ଲ ମାନଙ୍କ ମାଘେ ପରିବ, କୁଡୁମୀ ମାନଙ୍କ ଗୋ-ବନ୍ଦନା, ଏମିତି ଆହୁରି ଅନେକ ପର୍ବ ଆମ ସଂସ୍କୃତି ଓ ପରମ୍ପରାକୁ ସ୍ଵତନ୍ତ୍ରତା ପ୍ରଦାନ କରିଆସିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ତାରିଣୀ ମନ୍ଦିରର ନବ କଳେବର:
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, " କେନ୍ଦୁଝରର ଇଷ୍ଟ ଦେବୀ ଘଟଗାଁ ମା' ତାରିଣୀଙ୍କ ମନ୍ଦିରର ନବକଳେବର ସାଙ୍ଗକୁ ମନ୍ଦିରକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସରକାର ପୂର୍ବରୁ ମଞ୍ଜୁର କରିଥିବା ଅର୍ଥକୁ ଦ୍ବିଗୁଣିତ କରାଯାଇଛି । ସାନଘାଗରା, ବଡ଼ଘାଗରା, ଖଣ୍ଡାଧାର, ଗୁଣ୍ଡିଚାଘାଗୀ ପରି ମନଲୋଭା ଜଳପ୍ରପାତକୁ ଆହୁରି ଉନ୍ନତି ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। " କେନ୍ଦୁଝରର ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ପାଇଁ ବାଦାମପାହାଡ଼ରୁ କେନ୍ଦୁଝର ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ଓ ବଡ଼ବିଲରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତିକରଣ କରାଯାଇ ଖୁବଶୀଘ୍ର ୬ ଲେନ ବିଶିଷ୍ଟ କରାଯିବ ବୋଲି କହିଥିଲେ ।
ସରସ ମେଳା ଶୁଭାରମ୍ଭ :
ମହୋତ୍ସବ ମଞ୍ଚକୁ ଆସିବା ପୂର୍ବରୁ କାଳୀ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ସରସ ମେଳାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, '' ଏହି ମେଳାରେ ପ୍ରାୟ ୩୦୦ ଷ୍ଟଲ ଖୋଲା ଯାଇଥିବା ବେଳେ ପ୍ରତି ଷ୍ଟଲରେ ଭାରତୀୟ କଳା ସଂସ୍କୃତି, ଘରକରଣା ସାମଗ୍ରୀ, ସାମାଜିକ ଓ ବିଶେଷ ଭାବେ ମହିଳା ସଶକ୍ତିକରଣର ବାର୍ତ୍ତା ବେଶ୍ ଗୁରୁତ୍ବବହନ କରିଛି । ଆମ ପ୍ରତିଶ୍ରୁତି ଅନୁସାରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ହିସାବର ୫୦୦୦ ଟଙ୍କାର ପ୍ରଥମ କିସ୍ତି ୮୦ ଲକ୍ଷରୁ ଅଧିକ ହିତାଧ୍ୟାକାରୀଙ୍କୁ ପ୍ରଦାନ କରାଯାଇ ସାରିଲାଣି । ବିଜେପି ସରକାର ଆସିବା ପରେ ଯୁଗାନ୍ତକାରୀପଦକ୍ଷେପ ସ୍ବରୂପ ଧାନ କ୍ୟୁଣ୍ଟାଲ ପ୍ରତି ୮୦୦ ଟଙ୍କା ଇନ୍ପୁଟ ସହାୟତା ରାଶି ଚଳିତମାସ ୮ ତାରିଖରୁ ଆରମ୍ଭ ହୋଇଛି । ଏଥିରେ ରାଜ୍ୟର ପଞ୍ଜିକୃତ ପ୍ରାୟ ସାଢେ ୧୭ ଲକ୍ଷ ଚାଷୀ ଏହି ଉପକୃତ ହେବେ ।
ଭାବର ଆଦାନ ପ୍ରଦାନ ପାଇଁ ଗୋନାସିକା ମହୋତ୍ସବ ପ୍ରକୃଷ୍ଟ ମଞ୍ଚ:
କେନ୍ଦୁଝରରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଯାହା ହଜାର ହଜାର ଯୁବପିଢ଼ିଙ୍କୁ କର୍ମନିଯୁକ୍ତି ଯୋଗାଇବ । ୫ ଦିନ ବ୍ୟାପୀ ହେବାକୁ ଥିବା ଏହି ଗୋନାସିକା ମହୋତ୍ସବରେ ଭାରତର ବିଭିନ୍ନ ରାଜ୍ୟରୁ କଳାକାର, ଶିଳ୍ପୀ, କାରିଗର ଆସୁଛନ୍ତି। ଯାହା ଭାବର ଆଦାନ ପ୍ରଦାନ ପାଇଁ ଏହା ପ୍ରକୃଷ୍ଟ ମଞ୍ଚ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ କେନ୍ଦୁଝର ଥମ୍ ସଂଗ ବା କେନ୍ଦୁଝର ସଂଗୀତ ଉନ୍ମୋଚନ କରିଥିଲେ ସିଏମ୍ । ସେଇ ‘ମାଆଟି ମୋର କେନ୍ଦୁଝର ଓ ଆମ ଗର୍ବ- ଗୋନାସିକା ମହୋତ୍ସବ' ଟ୍ୟାଗ୍ ଲାଇନ୍ରେ ପ୍ରସ୍ତୁତ ଏହି ଗୀତଟିରେ କେନ୍ଦୁଝରର ଐତିହ୍ୟ, ଚଳଣି, ସଂସ୍କୃତି ଓ ସାଧାରଣ ଜନଜୀବନର ଛାପ ରହିଛି । ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରସ୍ତୁତ ତଥା ଗୀତିକାର ସୁବ୍ରତ ସ୍ୱାଇଁଙ୍କ ଏହି ଗୀତଟିକୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦ । କାର୍ଯ୍ୟକ୍ରମରେ 'ପ୍ରଜାପତିର ହସ' କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା ।
ମନ ମୋହିଲା ଡ୍ରୋନ ଓ ଲେଜର ସୋ' ମୁଖ୍ୟ ଆକର୍ଷଣ:
ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ଡ୍ରୋନ ଓ ଲେଜର ସୋ' ମୁଖ୍ୟ ଆକର୍ଷଣ ସାଜିଥିଲା । ଦାମାନୁଦାର ଲୋକକଳା, ସାନ୍ତାଳି ନୃତ୍ୟ, କଟକର ଶାଶ୍ବତ ଯୋଶୀଙ୍କ ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଶଶାଙ୍କ, ବର୍ଣ୍ଣାଳୀ ହୋତାଙ୍କ ଓଲିଉଡ ନାଇଟ୍ ଓ ସମ୍ବଲପୁରର ଦୁର୍ଗା ଦାସ ଓ ସାଥୀ କଳାକାରଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ପ୍ରବଳ ଶୀତ ସତ୍ତ୍ଵେ ଦର୍ଶକଙ୍କୁ ବେଶ୍ ବାନ୍ଧି ରଖିଥିଲା ।