ନିମାପଡ଼ା: ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗାର 'ତୀର୍ଥ ପୁଷ୍କରିଣୀ' । ଆଉ ଗୋଟିଏ ଦିନ ପରେ ପଡ଼ିବ ବୁଡ଼ । ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୁଟି ଆସିବେ ଅର୍କକ୍ଷେତ୍ର କୋଣାର୍କକୁ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ମେଳା ପଡ଼ିଆରେ ସଫେଇ, ପାଚେରୀ ରଙ୍ଗ, ବ୍ୟାରିକେଡ୍ ଓ ଦୁଇଟି ୱାଚ ଟାୱାର ନିର୍ମାଣ ହୋଇଛି । ହେଲେ ସବୁଠାରୁ ବଡ଼ କଥା ହେଲା ଶ୍ରଦ୍ଧାଳୁ ଯେଉଁଠାରେ ବୁଡ଼ ପକାଇବେ ସେହି ପୁଷ୍କରିଣୀରେ ଜଳସ୍ତର କମ୍ ରହିଥିବା ବେଳେ ପଙ୍କ ଭର୍ତ୍ତି ହୋଇରହିଛି ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।
ଆସନ୍ତା ୪ ତାରିଖରେ ମାଘ ସପ୍ତମୀ ବୁଡ଼:
ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଆସନ୍ତା ୪ ତାରିଖ ପ୍ରତ୍ୟୁଷରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ୩ ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୯ ଟା ୪୫ରୁ ମାଧିପୁର ଗ୍ରାମର ତ୍ରିବେଣୀଶ୍ଵର, ସନ୍ଥପୁର ଗ୍ରାମର ଇସାଣେଶ୍ଵର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ଵର ଦେବଙ୍କ ଚଳତି ପ୍ରତିମା ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିବେ । ତିନି ଠାକୁରଙ୍କୁ ବିରାଟ ଶୋଭାଯାତ୍ରାରେ ନେଇ ବଜାର ପରିକ୍ରମା ସହ କୋଣାର୍କ ଏନ୍ଏସି ମଣ୍ଡପ, ତହସିଲ୍ କାର୍ଯ୍ୟାଳୟ, ପୂର୍ଭ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରାଯିବ ।
ପୂଜାର୍ଚ୍ଚନା ସମାପନ ପରେ ପ୍ରାୟ ରାତି ୪ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ । ସେଠାରେ ପାରମ୍ପରିକ ରୀତିନୀତିରେ ଚଳତି ପ୍ରତିମାଙ୍କୁ ପୂଜାର୍ଚ୍ଚନା କରାଯିବ । ଏହାପରେ ସପ୍ତମୀ ତିଥିର ମହେନ୍ଦ୍ର ବେଳା ୪ଟା ୩୭ ମିନିଟରେ ତିନିଠାକୁର ସ୍ନାନ ହେବା ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ । ହେଲେ ଚଳିତ ବର୍ଷ ଏହି ପବିତ୍ର ପୁଷ୍କରିଣୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ - KUMBHA MELA 2025 ଏହା ମଧ୍ୟ ପଢନ୍ତୁ...କାହିଁକି ପାଳନ ହୁଏ ସାନ୍ତାଳୀ ସମ୍ପ୍ରଦାୟର 'ଦାମୋଦର ମେଳା ' - DAMODAR MELA MAYURBHANJ |
ଲୋକଙ୍କୁ ଭୂଆଁ ବୁଲାଉଛି ପ୍ରଶାସନ:
ଏନେଇ ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଭାଗିରଥୀ ସ୍ବାଇଁ କହିଛନ୍ତି ," ମାଘ ସପ୍ତମୀ ମେଳା ପାଇଁ ଏଠାକୁ ଲକ୍ଷାଧିକ ଲୋକ ଆସିବେ । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ପୁଷ୍କରିଣୀରେ ଜଳସ୍ତର ବହୁତ କମ୍ ରହିଥିବା ବେଳେ ପଙ୍କରେ ପୋତି ହୋଇଯାଇଛି । ଚଳିତ ବର୍ଷ ସ୍ଥାନୀୟ ପ୍ରଶାସନ ପଙ୍କ ଉଦ୍ଧାର କାର୍ଯ୍ୟ କରିନାହିଁ । ଏନେଇ ପ୍ରତ୍ୟେକ ବର୍ଷ ବୈଠକରେ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଡ୍ରେନେଜ ବିଭାଗର ଅଧିକାରୀମାନେ ଲୋକଙ୍କୁ ଭୁଆଁ ବୁଲାଇ ନାମକୁ ମାତ୍ର ସଫା କରୁଛନ୍ତି । ଯାହାଫଳରେ ପୁଷ୍କରିଣୀର ପଙ୍କ ଉଦ୍ଧାର ହେଉ ନାହିଁ । "
ଇଟିଭି ଭାରତ, ନିମାପଡା