ବୌଦ୍ଧ: ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳର ଅଧିବାସୀ ଦେଖିବେ ବିକାଶର ଆଲୋକ । ଅନ୍ଧାରୀ ମୂଲକରେ ବିକାଶର ବାଟ ଓଗାଳିଥିବା ଜଙ୍ଗଲ ଘାଟିରେ ନିର୍ମାଣ ହେବ ପକ୍କା ରାସ୍ତା । ବୌଦ୍ଧ ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ । ଦୁର୍ଗମ ଅଞ୍ଚଳ ଅଧିବାସୀଙ୍କୁ ବାହ୍ୟ ଜଗତ ସହିତ ଯୋଡିବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ବିକାଶ ନୀଳ ନକ୍ସାରେ ଯୋଡି ହେବେ ୫ ଗାଁ:
ବୌଦ୍ଧ ଜିଲ୍ଲା ଆଢ଼େନିଗଡ ପଞ୍ଚାୟତର ଜଙ୍ଗଲ ଘାଟି ଉପରେ ରହିଛି ଆଦିବାସୀ ଅଧ୍ୟୁଷିତ ୫ଟି ଗ୍ରାମ । ମୁଖ୍ୟରାସ୍ତା ଠାରୁ ପ୍ରାୟ ୧୨ କିଲୋମିଟର ଘଞ୍ଚ ଜଙ୍ଗଲ ଓ ୫ଟି ବିପଦ ସଂକୁଳ ଘାଟି ପାରି ହେଲେ ପଡିଥାଏ କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି, ସାରୁପଦର ଭଳି ୫ଟି ଆଦିବାସୀ ଗାଁ ପଡିଥାଏ । ଏଠାକାର ଅଧିବାସୀଙ୍କ ଜୀବିକାର ମାଧ୍ୟମ ହେଉଛି ଅଦା, ହଳଦୀ ଓ ରବି ଫସଲ ଚାଷ । ପ୍ରାୟ ସମସ୍ତ ଅଧିବାସୀ ଜଙ୍ଗଲଜାତ ପଦାର୍ଥ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ତେବେ ଏହି ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ଏଠାରେ ସରକାରଙ୍କ ବିକାଶମୂଳକ ଯୋଜନା ଆଜି ପର୍ଯ୍ୟନ୍ତ ଠିକରେ ପହଞ୍ଚି ପାରିନାହିଁ । ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟ ସେବା ପ୍ରାୟ ଅପହଞ୍ଚ ଥିବା ବେଳେ ଅଧିକାଂଶ ଲୋକେ ଗୁଣି ଗାରେଡି ଉପରେ ନିର୍ଭରଶୀଳ ଥିଲେ । କାଚପାଜୁ ଠାରେ ଥିବା ଏକମାତ୍ର ବିଦ୍ୟାଳୟକୁ ଅଧିକାଂଶ ସମୟରେ ଶିକ୍ଷକ ଆସୁନଥିବାରୁ ଆଦିବାସୀ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଥାଏ ।
ଦୁର୍ଗମ ଅଞ୍ଚଳ ବିକାଶ ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ:
ତେବେ ଏହି ଅନ୍ଧାରୀ ମୂଲକର ବିକାଶ ପାଇଁ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ପୂର୍ବରୁ ମଧ୍ୟ ବୌଦ୍ଧର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସତ୍ୟ ରଞ୍ଜନ ସାହୁ, ଜେ. ସୋନାଲ ଉକ୍ତ ଅଞ୍ଚଳର ବିକାଶ ପାଇଁ ପ୍ରଚେଷ୍ଟା କରିଥିଲେ । ଯୋଗାଯୋଗର ସମସ୍ୟା ହେତୁ ଏସବୁ ଅଞ୍ଚଳର ବିକାଶ ଠିକରେ ହୋଇପାରିନଥିଲା । ଶନିବାର ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଉଦ୍ୟମ କ୍ରମେ ଜିଲ୍ଲା ପ୍ରଶାସନ ଉକ୍ତ ଅପହଞ୍ଚ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ପହଁଚି ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ଚେଷ୍ଟା କରିଛନ୍ତି ।
ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରବୀଣ ବାନୁଆ, ଡ଼ିଏଫଓ ଦେବପ୍ରିୟ କମ୍ପ, ବିଡ଼ିଓ ଶରତ ସେଠି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ମେଡିକାଲ ଟିମ ପଞ୍ଚି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ବିଶେଷ ଭାବରେ ଉକ୍ତ ଅଞ୍ଚଳକୁ ଯୋଗାଯୋଗ ପାଇଁ ଜଙ୍ଗଲ ଘାଟିରେ ଆର.ଡି. ବିଭାଗ ରାସ୍ତା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ... ETV Bharat IMPACT: ତ୍ରୁଟି ସୁଧାରିଲା ପ୍ରଶାସନ, ଶତାୟୁ ବୃଦ୍ଧାଙ୍କୁ ମିଳିଲା ଭତ୍ତା ସମସ୍ୟାରେ ଜର୍ଜରିତ ମହାଲିକପଡା: ପହଞ୍ଚିପାରୁନି ବିକାଶ ଗାଡି, ଅଭିଶପ୍ତ ଜୀବନ ଜୀଉଁଛନ୍ତି ଲୋକେ |
ନିର୍ମାଣ ହେବ ରାସ୍ତା:
ଏନେଇ ଡ଼ିଏଫଓ ଦେବପ୍ରିୟ କମ୍ପ କହିଛନ୍ତି, "ରାସ୍ତା ନିର୍ମାଣ ପାଇଁ ଆମେ ପ୍ରସ୍ତାବ ପଠାଇ ଦେଇଛୁ । ଖୁବଶୀଘ୍ର କାମ ଆରମ୍ଭ ହେବ ।" ସେପଟେ ଏନେଇ ଜଣେ ସ୍ଥାନୀୟବାସୀ କହିଛନ୍ତି, "ରାସ୍ତା ପାଇଁ ଟେଣ୍ଡର ସରିଛି । ଫରେଷ୍ଟ କ୍ଲିୟରାନ୍ସ ପାଇଁ ରାସ୍ତାକାମ ବନ୍ଦ ହୋଇପଡ଼ିଛି । ଆଜି କଣ୍ଟ୍ରାକ୍ଟର, ଆର.ଡି ବିଭାଗ କର୍ତ୍ତୃପକ୍ଷ ଆସିଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଡିଏଫଓ କ୍ଲିୟରାନ୍ସ ଦେବା ପାଇଁ କହିଛନ୍ତି । ଖୁବଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ଆମେ ଆଶା କରୁଛି । ଏଥିପାଇଁ ଆମେ ବହୁତ ଖୁସି ଅଛୁ ।"
ଇଟିଭି ଭାରତ, ବୌଦ୍ଧ