ଯାଜପୁର: ଗତ ୨୦ ତାରିଖରୁ ଯାଜପୁର ଜିଲ୍ଲା ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି । ପ୍ରଥମେ ରାତିରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଓ ପର ଦିନ ବିରଜା ହାଟକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏହା ଥମିବାର ନାଁ ଧରୁନାହିଁ । ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୪ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେଇଥିବା ବେଳେ ଆଜି ଦ୍ଵିତୀୟ ଦିନରେ ତଦନ୍ତ ଜାରି ରହିଛି । ଆକ୍ରମଣସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିବା ବେଳେ ବିରଜା ମନ୍ଦିର ନିକଟସ୍ଥ ଗଣ୍ଡଗୋଳସ୍ଥଳକୁ ଯାଇ ଏହାର ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।
ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ:
ଆଜି ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ୩ଟି ଟିମର ବିଭିନ୍ନ ଅଞ୍ଚଳରେ ତଦନ୍ତ ଚଲାଇଛନ୍ତି । ତଦନ୍ତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ବି ଯାଜପୁର ଟାଉନର ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ଜାରି ରହିଛି ତଦନ୍ତ । ଗତକାଲି ୬ ଦିନ ଧରି ଦିନରାତି ତମାମ ସହରରେ ଚେକିଂ ଚାଲିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ ବ୍ରାଞ୍ଚ ଟିମ୍ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଜାରି ଅନୁସନ୍ଧାନ ରଖିଛି । ଆଜି ୨ୟ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳଗୁଡ଼ିକୁ ଯାଇ ଲୋକଙ୍କୁ ପଚରାଉଚରା କରୁଛନ୍ତି । ସେପଟେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଯାଜପୁରରେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି । ଅନ୍ୟପଟେ ଯାଜପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଜିଲ୍ଲାପାଳ କହିଛନ୍ତି ।
କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କଲେ ବବି:
ସେପଟେ ଗତକାଲି ସନ୍ଧ୍ୟାରେ ୩ଟି ମାମଲାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ତଥା ପୂର୍ବତନ ପୌର ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଏସଡିଜେଏମ କୋର୍ଟ । ଫଳରେ ଭବଙ୍କୁ ପୁନର୍ବାର ଜିଲ୍ଲା ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ୧୭ଟି ମାମଲା ରୁଜୁ ହେଇଥିବା ବେଳେ ଯାଜପୁର ସଦର ପୋଲିସ ୧୪ ଜଣଙ୍କୁ ଓ ଟାଉନ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏନେଇ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, "କ୍ରାଇମବ୍ରାଞ୍ଚ ତଦନ୍ତକୁ ମୁଁ ବହୁତ ସ୍ବାଗତ କରୁଛି । ସଠିକ୍ ଭାବରେ ତଦନ୍ତ ହେଉ, ସତ୍ୟ ବାହାରୁ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ବିରଜା ପ୍ରକଳ୍ପ ପାଇଁ ମୋ ପରିବାର ସମସ୍ତଙ୍କୁ ବାନ୍ଧା ହେଲେ ମୁଁ ସ୍ବାଗତ କରିବି ।"