କଟକ: ‘ତୁମେ ମୋତେ ରକ୍ତ ଦିଅ ...ମୁଁ ତୁମକୁ ସ୍ବାଧୀନତା ଦେବି’... ଜନତାଙ୍କ ମଧ୍ୟରେ ଦେଶ ପ୍ରେମର ବହ୍ନି ଜଳାଇବାରେ ଏହି କିଛି ଶବ୍ଦ ବେଶ ପ୍ରଭାବ ପକାଇଥିଲା । ଆଜି ବି ଗୁଞ୍ଜରିତ ହେଉଥିବା ଏହି ବାକ୍ୟର ସ୍ରଷ୍ଟା ତଥା ଦେଶ ମାଟିର ପୁଅ ବୀର ସେନାନୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି 128ତମ ଜନ୍ମ ଦିନ । ଜନ୍ମମାଟି କଟକରେ ଧୁମଧାମରେ ନେତାଜୀ ଜୟନ୍ତୀ ବା ପରାକ୍ରମ ଦିବସ ପାଳନ କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀ ନାଥ ଗସ୍ତ କରି ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପରାକ୍ରମ ଦିବସର ଉଦଘାଟନ କରିଛନ୍ତି ।
ଉତ୍ସବ ମୁଖର ଜାନକୀନାଥ ଭବନ:
ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଧୁମଧାମରେ ପାଳନ ହେଉଛି ତାଙ୍କ ଜୟନ୍ତୀ । ଏହି ଉପଲକ୍ଷେ କଟକ ଓଡ଼ିଆ ବଜାର ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ନେତାଜୀଙ୍କ ଭବନ ବୁଲିଲେ ମୁଖ୍ୟମନ୍ତ୍ରୀ:
ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ‘ଜାନକୀନାଥ’ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମନ୍ତ୍ରୀ ଏବଂ କଟକ ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ତିନି ଦିବସୀୟ ପରାକ୍ରମ ଉତ୍ସବର ଉଦ୍ଘାଟନୀ ସମାରୋହର ସିଧାପ୍ରସାରଣI#ParakramDiwas https://t.co/JhjUUhReYB
— Mohan Charan Majhi (@MohanMOdisha) January 23, 2025
ଜାତୀୟତାବାଦର ନୂଆ ସଂଜ୍ଞା ନିରୂପଣ କରିଥିଲେ ନେତାଜୀ:
ପରାକ୍ରମ ଦିବସ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣରେ କହିଛନ୍ତି, ‘ଜାନୁଆରୀ 23, କ୍ୟାଲେଣ୍ଡରରେ ଥିବା ଏହି ତାରିଖ ପ୍ରତ୍ୟେକ ଭାରତୀୟ ତଥା ଓଡ଼ିଆଙ୍କୁ ଗର୍ବିତ କରିଥାଏ । ଓଡ଼ିଆ ମାଟିରେ ଜଣେ ଅଦମ୍ୟ ସାହାସୀ, ଦେଶ ଭକ୍ତିରେ ପ୍ଲାବିତ ଦୂରଦ୍ରଷ୍ଟା, ନିର୍ଭିକ ବିପ୍ଲବୀ, ଜନନାୟକ ଜନ୍ମ ନେଇଥିଲେ । ଯିଏକି ପରବର୍ତ୍ତୀ କାଳରେ ଦେଶରେ ଜାତୀୟତାବାଦର ନୂଆ ସଂଜ୍ଞା ନିରୂପଣ କରିଥିଲେ । ତାଙ୍କ ଜନ୍ମର 100 ବର୍ଷ ପରେ ଏବେବି ସଂଗ୍ରାମ କଥା ଉଠେ ନେତାଜୀଙ୍କ ନାଁ ସର୍ବାଗ୍ରେ ରହିଥାଏ ।’
କଟକରେ ନେତାଜୀ ଜୟନ୍ତୀ ପାଳିବା ସୌଭାଗ୍ୟ କଥା:
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବ୍ରିଟିଶ ଶାସନ ବିରୁଦ୍ଧରେ ନେତାଜୀଙ୍କ ବୀରତ୍ବ ଓ ଯୁଦ୍ଧ କୌଶଳ ଦେଶର ସ୍ବାଧୀନତା ପାଇଁ ଏକ ମୁଖ୍ୟ କାରଣ ଥିଲା । ଏଭଳି ଜଣେ ବୀରଙ୍କୁ ସମ୍ମାନ ଅର୍ପଣ କରିବା ପାଇଁ ପରାକ୍ରମ ଦିବସ ପାଳନ କରିବା ପାଇଁ 2021 ଜାନୁଆରୀ 19ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏହି ଅବସରରେ ତାଙ୍କ ଜନ୍ମଜୟନ୍ତୀକୁ କଟକରେ ପାଳନ କରିବା ଆମ ପାଇଁ ଏକ ସୌଭାଗ୍ୟ ଅବସର ।’
Today, on Parakram Diwas, I pay homage to Netaji Subhas Chandra Bose. His contribution to India’s freedom movement is unparalleled. He epitomised courage and grit. His vision continues to motivate us as we work towards building the India he envisioned. pic.twitter.com/HrXmyrgHvH
— Narendra Modi (@narendramodi) January 23, 2025
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନେତାଜୀ ଥିଲେ ଅଦମ୍ୟ ସାହାସର ମୂର୍ତ୍ତିମନ୍ତ ପ୍ରତୀକ । ସେ 1897 ମସିହା ଜାନୁଆରୀ 23 ଅର୍ଥାତ ଆଜିର ଦିନରେ ପ୍ରସିଦ୍ଧ ଆଇନଜୀବୀ ରାୟବାହାଦୂର ଜାନକୀ ନାଥ ବୋଷଙ୍କ ନବନ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ । ଏହି କଟକ ସହରର ରେଭେନ୍ସା କଲିଜିଏଟ ସ୍କୁଲରେ ପାଠ ପଢା ହୋଇଥିଲା । ପରେ କୋଲକାତା ଓ ଲଣ୍ଡନରେ ପାଠ ପଢିଥିଲେ ।
ନେତାଜୀଙ୍କ ବିଷୟରେ ଅନେକ କଥା କୁହାଯାଇନାହିଁ:
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଦୁଃଖର କଥା ଇତିହାସ ପୃଷ୍ଠାରେ ନେତାଜୀଙ୍କ ଜୀବନ କାହାଣୀ ସଂଘର୍ଷକୁ ଲୋକଲୋଚନରୁ ହଜାଇ ଦିଆଯାଇଛି । 4 ଜଣ ପ୍ରସିଦ୍ଧ ଇତିହାସକାରଙ୍କ ଦ୍ବାରା ଲିଖିତ ପ୍ରସିଦ୍ଧ ପୁସ୍ତକ ’Freedom Struggle Of India’ 600 ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ସ୍ବାଧୀନତା ଆନ୍ଦୋଳନକୁ ସୀମିତ କରି ରଖି ଦିଆଯାଇଛି । କଲେଜରେ ପାଠ ପଢୁଥିବା ବେଳେ ପ୍ରିନ୍ସପାଲଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବାରୁ ତାଙ୍କୁ କଲେଜରୁ ବର୍ଷେ ପାଇଁ ନିଲମ୍ବିତ ହେବାକୁ ପଡିଥିଲା । ଏକଥା ଆମେ ଜାଣିନାହୁଁ । କୌଣସି ବହି କିମ୍ବା ପୁସ୍ତକରେ ଜାଣିବା ପାଇଁ ଅଭିପ୍ରାୟ ମଧ୍ୟ ନାହିଁ । ଆମ ମନରେ ଧାରଣା ରଖି ଦିଆଯାଇଥିଲା ନେତାଜୀଙ୍କ କୌଣସି ମିଲିଟାରୀ ଟ୍ରେନିଂ ନଥାଇ ସେ ସାମରିକ ଭାବେ ସଂଗ୍ରାମ କରିବାକୁ ବାଛିଥିଲେ । ଯାହା ଯୁକ୍ତି ସଙ୍ଗତ ଆଦୌ ନଥିଲା । କିନ୍ତୁ ଇତିହାସ ପୃଷ୍ଠାରେ ଆମକୁ ପଢାଯାଇନଥିଲା ସେ କଲେଜ ଜୀବନରେ ମିଲିଟାରୀ ଟ୍ରେନିଂ ନେଇଥିଲେ । କଲେଜ ପାସ କରିବା ସମୟରେ ନନ୍ କମିଶନର ଅଫିସର ସେ ହୋଇସାରିଥିଲେ ।’
ଇତିହାସରେ ମହାନ ବ୍ୟକ୍ତିତ୍ବକୁ ମିଳିନି ଉଚିତ ସ୍ଥାନ:
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘କିଛି ବ୍ୟକ୍ତିତ୍ବକୁ ମହାନ କରି ତୋଳିବା ପାଇଁ ବର୍ତ୍ତମାନର ରଚିତ ଇତିହାସ ଉଚିତ ସମ୍ମାନ ଦେଇନାହିଁ । ଏହା ଆଜିର ସମୟରେ ଆମ ପାଇଁ ନିଶ୍ଚିତ ଏକ ଘୋର ଲଜ୍ଜାର ବିଷୟ । ଇତିହାସ ପୃଷ୍ଠାରେ ଶହୀଦ ଭଗତ ସିଂକୁ ଜଣେ ଆତଙ୍କବାଦୀ ଭାବେ ଚିତ୍ରଣ କରାଯାଇଛି । ଏମାନଙ୍କଠାରୁ ଆଉ ଆମେ ଅଧିକ କଣ ଆଶା କରିବା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏହା ବଦଳିବା ଆରମ୍ଭ କରିଛି ।’
ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ:
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଓଡ଼ିଶା ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ପେନସନକୁ ବୃଦ୍ଧି କରିବା ସହ ସେମାନଙ୍କ ସମ୍ମାନ ପ୍ରଦର୍ଶନ କରିବା ଏବଂ ତାଙ୍କର ପେନସନକୁ ବୃଦ୍ଧି କରିବା 20 ହଜାର ପହଞ୍ଚାଇବା ଏ କାମ ବି ଆମ ସରକାର କରିବା ଆରମ୍ଭ କରିଛନ୍ତି ।’
ଏହା ମଧ୍ୟ ପଢନ୍ତୁ: ନେତାଜୀଙ୍କୁ 'ରାଷ୍ଟ୍ର ପୁତ୍ର' ଘୋଷଣା ଦାବିରେ ହାଇକୋର୍ଟରେ ପିଟିସନ, କେନ୍ଦ୍ର ଓ ରାଜ୍ୟକୁ ଜବାବ ତଲବ ସ୍ବତନ୍ତ୍ରତା ସଂଗ୍ରାମର ଜନନାୟକ ନେତାଜୀ: 'ପରାକ୍ରମ ଦିବସ' ପାଳୁଛି ଜନ୍ମମାଟି |
କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ‘ଯୁବ ଓ ଛାତ୍ରମାନେ ଆଜି ଅଧିକ ମାତ୍ରାରେ କଟକର ଏହି ନେତାଜୀଙ୍କ ଜନ୍ମ ଭୂମିକୁ ଆସିଛନ୍ତି । ଜଣାପଡୁଛି ଯେ ନେତାଜୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଏହାବ୍ୟତୀତ ଏହି ଜାନକୀନାଥ ଭବନର ଐତିହ ଓ କିମ୍ବଦନ୍ତୀ ବିଷୟରେ କାହାକୁ ଅଛପା ନାହିଁ । ତେଣୁ ଜଣେ ଓଡ଼ିଆ ହିସାବରେ ସେ ଦେଶ ପାଇଁ ଯେଉଁ କର୍ତ୍ତବ୍ୟ କରିଛନ୍ତି ଓ ଭାରତ ସ୍ୱାଧୀନତା ପାଇବାରେ ନେତାଜୀଙ୍କ ଅବଦାନ ସର୍ଵଦା ଶୀର୍ଷକ ବୋଲି କୁହାଯାଏ । ତେଣୁ ଆଜିର ଦିନ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଦିନ ।’
ଦେଶ ପାଳୁଛି ପରାକ୍ରମ ଦିବସ:
ନେତାଜୀଙ୍କ ଜୟନ୍ତୀଙ୍କୁ ସାରା ଦେଶ ଆଜି ପରାକ୍ରମ ଦିବସ ଭାବେ ପାଳନ କରୁଛି । ପ୍ରଧାନମନ୍ତ୍ରୀଙ୍କଠୁ ନେଇ ରାଷ୍ଟ୍ରପତି ବିଶିଷ୍ଟ ବ୍ୟକ୍ତି ବିଶେଷ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥର ନେତାଜୀଙ୍କ ଜନ୍ମସ୍ଥାନ କଟକରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯାଉଛି । ଯାହାକି 3 ଦିନ ପର୍ଯ୍ୟନ୍ତ ଚାଲିବ ।
ଇଟିଭି ଭାରତ, କଟକ