ଭୁବନେଶ୍ବର: ବିରୋଧୀଙ୍କ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ ଏଭଳି ଚେତାବନୀ ରାଜନୈତିକ ମାହୋଲକୁ ଗରମ କରିଦେଇଛି। ଫେବୃୟାରୀ 13 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରଗରମ ହୋଇଛି ରାଜନୀତି । ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସୁରମାଙ୍କ ଚେତାବନୀ ରାଜନୈତିକ ପାରା ବଢ଼େଇ ଦେଇଛି । ବାଚସ୍ପତିଙ୍କ ମନ୍ତବ୍ୟକୁ କଡା ବିରୋଧ କରିବା ସହ ଶୃଙ୍ଖଳାର ପାଠ ପଢେଇଛନ୍ତି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।
- ବିରୋଧୀଙ୍କ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବନି
ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, "ଫେବୃୟାରୀ 13 ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ । 13 ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ 14 ଓ 15 ତାରିଖରେ ଏ ସମ୍ପର୍କରେ ଆଲୋଚନା ହେବ । ଚଳିତ ବିଧାନସଭାରେ 28ଟି କାର୍ଯ୍ୟଦିବସ ଥିବାବେଳେ 3 ଦିନ ଲେଖାଏଁ ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମ ରହିଛି । ବଜେଟ ଆଗତ ସହ ଏହା ଉପରେ ମଧ୍ୟ ଆଲୋଚନା ହେବ । ବଜେଟ ସମ୍ପର୍କରେ ସ୍ୱତନ୍ତ୍ର ଭାବରେ ନିରୀକ୍ଷଣ କରିବା ପାଇଁ 22 ତାରିଖରୁ ମାର୍ଚ୍ଚ 6 ତାରିଖ ପର୍ଯନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ଵାରା ଆଲୋଚନା ହେବ । 7 ମାର୍ଚ୍ଚରେ ସ୍ଥାୟୀ କମିଟି ଦ୍ଵାରା ରିପୋର୍ଟ ଉପସ୍ଥାପନା ହେବ । 10 ମାର୍ଚ୍ଚରୁ ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ । ଏହା ପରେ 29 ତାରିଖରେ ବିନିଯୋଗ ବିଲ୍ ଉପସ୍ଥାପନା ହେବ । ସେହିପରି ବିଧାନସଭାକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବେ । ତେବେ ତାରିଖ ସ୍ଥିର ହୋଇନାହିଁ’’ ବୋଲି ବାଚସ୍ପତି କହିଛନ୍ତି ।
ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି, ‘‘ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ଗଠନ ମୂଳକ ପରାମର୍ଶ ଦେଲେ ତାହା ଉପାଦାୟ ହେବ । ବିରୋଧୀଙ୍କ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ ।" ବାଚସ୍ପତିଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବାଚସ୍ପତିଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ସମର୍ଥନ କରାଯାଇଥିବାବେଳେ ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କ ମନ୍ତବ୍ୟକୁ କଡା ବିରୋଧ କରିଛି ବିଜେଡି । ବାଚସ୍ପତି ବିରୋଧୀ ଦଳକୁ ଧମକ ଦେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବାଚସ୍ପତି ପଦ ମର୍ଯ୍ୟାଦା ରଖନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।
ଏହା ମଧ୍ୟ ପଢନ୍ତୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନାଲି ଆଖି, 'ବନ୍ଦ କର ଅଧିକ କଟନୀ ଛଟନୀ'
ଏହା ମଧ୍ୟ ପଢନ୍ତୁ କଣାସ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
- ବାଚସ୍ପତି କୌଣସି ଦଳର ନୁହଁନ୍ତି
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ଓଡିଶା ବିଧାନସଭାର ବାଚସ୍ପତି ବିରୋଧୀ ଦଳଙ୍କୁ ଏକ ଧମକ ଦେଇଛନ୍ତି । ଯଦି ବିରୋଧୀ ଦଳ ବିଧାନସଭାରେ ବିଶୃଙ୍ଖଳା ଆଚରଣ କରନ୍ତି ତେବେ କଠୋର ପଦକ୍ଷେପ ନିଆଯିବ । ବାଚସ୍ପତି ତାଙ୍କ ଆସନର ପଦ ମର୍ଯ୍ୟଦା ରକ୍ଷା କରନ୍ତୁ ବୋଲି ମୋର ଅନୁରୋଧ । ବାଚସ୍ପତି ପଦ ଏକ ସମ୍ମାନସ୍ପଦ ଆସନ । ବାଚସ୍ପତି ଆସନ କୌଣସି ଦଳର ନୁହେଁ । ଦାୟିତ୍ୱ ନେବା ପୂର୍ବରୁ ସେ ଦଳୀୟ ପଦରୁ ଇସ୍ତଫା ଦିଅନ୍ତି । ବାଚସ୍ପତି କୌଣସି ଦଳର ନୁହଁନ୍ତି । ବିଧାନସଭା ହେଉଛି ତାଙ୍କର । ସମସ୍ତ ମନ୍ତ୍ରୀ ଓ ବିଧାୟକ ହେଉଛନ୍ତି ତାଙ୍କ ବିଧାନସଭାର ସଦସ୍ୟ । ବାଚସ୍ପତି ବାରମ୍ବାର ଭୁଲ କରୁଛନ୍ତି । ବାଚସ୍ପତି ଆଉ ଭୁଲ ନ କରନ୍ତୁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ବାଚସ୍ପତି ନିକଟରେ ବିଜେପି ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲେ । ଏହା ପୂର୍ବରୁ ମୁଁ 9 ମାସ ବାଚସ୍ପତି ଭାବେ ଦାୟିତ୍ୱରେ ଥିଲି । ଦାୟିତ୍ୱରେ ଥିବା ସମୟରେ ମୁଁ ଦିନେ ଶଙ୍ଖ ଭବନ ଆସିନଥିଲି । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଯାଇନଥିଲି । ବାଚସ୍ପତି ବିଜେପିର ସର୍ବୋଚ୍ଚ ନେତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଭେଟିବାକୁ କେମିତି ଗଲେ ? ସାମ୍ବିଧାନିକ ନିୟମ ଭଙ୍ଗ କରି ସେ ଏଭଳି କରିଥିଲେ । ଯଦି ସାମ୍ବିଧାନିକ ନିୟମ ଭଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ବିଧାନସଭା ନିୟମ ବଦଳାଇ ଦିଅନ୍ତୁ । ବିରୋଧୀ ଦଳ ଏଇଆ ଓ ଶାସକ ଦଳ ଏଇଆ କହିବ ବୋଲି ସେ ନିୟମ କରିଦିଅନ୍ତୁ । ନାଲି ଆଖି ଦେଖାଇ ବିଜେପିର ଭାଷା ନ କୁହନ୍ତୁ ବାଚସ୍ପତି ।"
ସେ ଏହା ମଧ୍ୟ କହିଛନ୍ତି, "ବାଚସ୍ପତି ଧମକ ଦେଲେ ବିରୋଧୀ ଦଳ ଡ଼ରି ଯେବେ ବୋଲି ଭାବୁଛନ୍ତି । ହେଲେ ବିରୋଧୀ ଦଳ କାହାରି ନାଲି ଆଖିରେ ଡରିବ ନାହିଁ । ବାଚସ୍ପତିଙ୍କ ଧମକ ପରେ ବିରୋଧୀଙ୍କ ସ୍ୱର ଆହୁରି ଶାଣିତ ହେବ । ଶାସକ ଦଳର ତ୍ରୁଟି ବିଚ୍ୟୁତିକୁ ସଠିକ ଢଙ୍ଗରେ ବିଧାନସଭାରେ ଉପସ୍ଥାପନ କରାଯିବ । କାହାରି ନାଲି ଆଖିରେ ବିରୋଧୀ ଦଳ ଦବିଯିବ ନାହିଁ । ବାଚସ୍ପତି କେଉଁ ଦଳର ବୋଲି ସ୍ପଷ୍ଟ କରନ୍ତୁ । ସମସ୍ତ ବିଧାୟକ ଓ ବିଧାୟିକାଙ୍କୁ ବିଶ୍ଵାସରେ ନେବି ବୋଲି ସେ ଦାୟିତ୍ୱ ନେବା ଦିନ କହିଥିଲେ । ବିରୋଧୀ ଦଳଙ୍କୁ ଅଧିକ ସୁଯୋଗ ଦେବି ବୋଲି କହିଥିଲେ । ସୁଯୋଗ ଦେବାର ଅର୍ଥ କଣ ଏମିତି ଧମକ ଦେବା । ଏଭଳି ଧମକରେ ବିରୋଧୀ ଦଳର ସ୍ୱର ଚପିଯିବ ନାହିଁ । "
- ବାଚସ୍ପତିଙ୍କ ମନ୍ତବ୍ୟକୁ ସମର୍ଥନ
ବାଚସ୍ପତିଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ବିଧାୟକ କହିଛନ୍ତି, "ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ସମସ୍ତେ ନିଜେ ନିଜର ଭୂମିକା ନିଭେଇବେ । ବିଧାନସଭାକୁ ସୁରୁଖୁରୁରେ ଚଲେଇବା ବାଚସ୍ପତିଙ୍କ ଦାୟିତ୍ୱ । ସରକାରରେ ଥିବାବେଳେ ଯେମିତି ଓ ବିରୋଧୀ ଦଳରେ ମଧ୍ୟ ସେମିତି ବିଧାନସଭା ଚଳେଇବୁ ବୋଲି ବିଜେଡି ଭାବୁଛି । ଯାହା ଚାହିଁବୁ କରିବୁ । ଏହା କଣ ସମ୍ଭବ ? ବିଜେଡି ବିରୋଧୀ ଦଳରେ ଅଛି ବୋଲି ସ୍ୱୀକାର କରିପାରୁନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି ।ଦୁଇଟି ବିଧାନସଭାରେ ବିଜେଡି ଏଭଳି ବିଶୃଙ୍ଖଳା କଲା, ସମସ୍ତେ ଅନୁଭବ କଲେ ଶୃଙ୍ଖଳା ରହିବା ଦରକାର । ଯେଉଁଠି ଶୃଙ୍ଖଳା ନାହିଁ ସେଠାରେ ଉନ୍ନତି କଥା ଭାବିବା ସ୍ୱପ୍ନ ।"
ସେ ଆହୁରି ମଧ୍ୟ କହିଛନ୍ତି, "ବିଧାନସଭାକୁ ସୁରୁଖୁରୁରେ ଚଳାଇବା ଲାଗି ଦେଖିବେ ବାଚସ୍ପତି । ଶୃଙ୍ଖଳା ରଖିବା ପାଇଁ ବାଚସ୍ପତି ଯାହା କାର୍ଯ୍ୟାନୁଷ୍ଠାନ ନେବେ ତାହା ସମସ୍ତେ ଗ୍ରହଣ କରିବେ । ବାଚସ୍ପତିଙ୍କୁ ଅସମ୍ମାନ ନେଇ ଶାସକ ଦଳ ନିନ୍ଦା ପ୍ରସ୍ତାବ ଆଣିଛି । ମହିଳା ବାଚସ୍ପତିଙ୍କୁ ବିଜେଡି ଯେମିତି ବ୍ୟବହାର କରୁଛି, କେଉଁଠି ଏହା ଦେଖିବାକୁ ମିଳେନାହିଁ । ନାରୀ ସମ୍ମାନ ଦେବା ବେଳେ ବିଜେଡି ଓ କଂଗ୍ରେସ ମିଶିକି ବାଚସ୍ପତିଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ଶାସକ ଦଳ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା । ବାଚସ୍ପତି ଦୃଢ଼ ହୁଅନ୍ତୁ ବୋଲି ଆମେ ଅନୁରୋଧ କରୁଛୁ । ଯିଏ ବିଶୃଙ୍ଖଳା କରିବ ଦୃଢ ଭାବରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ’’ ।
- ବାଚସ୍ପତିଙ୍କ ମନ୍ତବ୍ୟ ହାସ୍ୟାସ୍ପଦ
ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି, "ବାଚସ୍ପତି ଯେଉଁ ଉକ୍ତି ରଖିଛନ୍ତି ତାହା ହାସ୍ୟାସ୍ପଦ । ବିରୋଧୀଙ୍କର ହେଉଛି ବିଧାନସଭା । ବିରୋଧୀ ପ୍ରଶ୍ନ ଉଠାଇବେ । ଯଦି ବାଚସ୍ପତି ବିଧାନସଭାକୁ ସଠିକ ଭାବେ ପରିଚାଳନା ନକରିବେ, ତେବେ ହଟ୍ଟଗୋଳ କିମ୍ବା ଅଚଳାବସ୍ଥା ସୃଷ୍ଟି ହୁଏ । ସେଥିପାଇଁ ବାଚସ୍ପତି ଦାୟୀ । ବାଚସ୍ପତିଙ୍କ ପରିଚାଳନା ଗତ ଦକ୍ଷତା ଉପରେ ସବୁ କିଛି ନିର୍ଭର କରେ । ବିରୋଧୀ ଦଳ ଉପରେ ଏହା ନିର୍ଭର କରେନାହିଁ । ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗ ଉଠେଇବେ । ସମୟ ନିର୍ଦ୍ଧାରଣରେ ସମସ୍ୟା, ବିରୋଧୀଙ୍କ କଣ୍ଠରୋଧ, ଶାସକ ଦଳକୁ ପ୍ରାଧାନ୍ୟ, ପ୍ରସଙ୍ଗକୁ ଲୁଚେଇଲେ ବିଶୃଙ୍ଖଳା ସ୍ୱାଭାବିକ ଭାବେ ହେବ । ଗଣତନ୍ତ୍ରରେ ବିରୋଧୀଙ୍କ କଣ୍ଠରୋଧ କରିପାରିବେ ନାହିଁ ’’।
- ବାଚସ୍ପତି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତୁ
ସେପଟେ ସେଇ ସମାନ କଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ‘‘ଆମେ ସାଢେ 4 କୋଟି ଓଡିଆଙ୍କ ପାଇଁ ଲଢିବୁ । ବିରୋଧୀ ଦଳ କାମ ହେଉଛି ସରକାରଙ୍କ ଦୋଷ ଦୁର୍ବଳତାକୁ ଗୃହରେ ଉପସ୍ଥାପନା କରିବା । ଆମେ ଗଣତନ୍ତ୍ର ମାଧ୍ୟମରେ ସ୍ବର ଉତ୍ତୋଳନ କରିବୁ । ତାକୁ ଯଦି ବାଚସ୍ପତି କହିବେ ବିଶୃଙ୍ଖଳା ହେଲା ତାହା ଭୁଲ କଥା । କାରଣ ବାଚସ୍ପତି ଯଦି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବେ ତେବେ ଏହାକୁ ବିଶୃଙ୍ଖଳା କହିବେ ନାହିଁ । ଯଦି ବାଚସ୍ପତି ପାତର ଅନ୍ତର କରିବେ ତାହାଲେ ଆମେ ବି ବରଦାସ୍ତ କରିବୁନି’’ ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ ।