ଭୁବନେଶ୍ବର: ଜାନୁଆରୀ ମାସ ସରିନି । କିନ୍ତୁ 11ଟା ବାଜିଲେ ମାଡି ଆସୁଛି ଟାଇଁ ଟାଇଁ ଖରା । ଏବେ ଠୁ ରୌଦ୍ର ତାପ ଦେଖାଇଲେଣି ସୂର୍ଯ୍ୟ ଦେବ । ଶୀତ ଋତୁରେ ରାଜ୍ୟରେ ଅନୁଭବ ହେଲାଣି ଅସ୍ୱାଭାବିକ ଗରମ । କାରଣ ବଢିଛି ପାରଦ କମିଛି ଶୀତ। ସାରା ରାଜ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା 25 ଯାଏଁ ତାତି ଅନୁଭବ କରିବେ ରାଜ୍ୟବାସୀ । ଏନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ ।
- କାହିଁକି ବଢିଲା ତାପମାତ୍ରା ?
ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବାରୁ ଆସନ୍ତା 25 ଯାଏଁ ଏହିଭଳି ପାଗ ରହିବ । ଆହୁରି ତିନି ଦିନ ପାଗ ଶୁଷ୍କ ରହିବା ସହ ଦିନବେଳା ତାତି ଅନୁଭବ ହେବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକ୍ରିୟ ପଶ୍ଚିମା ଝଡକୁ ନେଇ ଜଳୀୟବାଷ୍ପ ସମ୍ପୂର୍ଣ୍ଣ ଗାଏବ ହୋଇଯାଇଛି । ବାୟୁମଣ୍ଡଳ ମଧ୍ୟଭାଗରେ ଜଳୀୟବାଷ୍ପ ନଥିବାରୁ ସୂର୍ଯ୍ୟକିରଣ ସିଧା ପଡିବାରୁ ତାପମାତ୍ରା ବୃଦ୍ଧି ପାଇଛି । ପୁର୍ଣ୍ଣ ବାୟୁ ପ୍ରବେଶ ନ କରିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛି ପାଣିପାଗ ବିଭାଗ ।
Minimum Temperature Forecast
— Meteorological Centre, Bhubaneswar (@mcbbsr) January 23, 2025
ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ #Odisha #weather #OdishaWeather #weatherforecast pic.twitter.com/ZJR2GCTSP0
- କଲବଲ କରିବ ଘନକୁହୁଡି
ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇ ଗରମ ଅନୁଭବ ହେଉଥିବା ବେଳେ କଲବଲ କରିବ ଘନ କୁହୁଡି । କୁହୁଡି ଯୋଗୁଁ ଦୃଶ୍ୟମାନ କମ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ୬ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ,ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁରରେ ଘନ କୁହୁଡି ଦୃଶ୍ୟମାନ ହେବ । ସେହିପରି ଅସନ୍ତାକାଲି ପାଇଁ ବି ସମାନ ଜିଲ୍ଲା ପାଇଁ କୁହୁଡିର ସତର୍କତା ରହିଛି । ବାଲେଶ୍ୱର, କଟକ, ପାରାଦୀପ, ଚାନ୍ଦବାଲି ଓ କେନ୍ଦ୍ରାପଡାରେ ଅତି ଘନ କୁହୁଡି ଦୃଶ୍ୟମାନ ହୋଇଛି । ଏହି ସମୟରେ ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ ପଶ୍ଚିମା ଝଡ଼ ପ୍ରଭାବ: କମିବ ଶୀତ, ୩ ଜିଲ୍ଲାରେ ଘନ କୁହୁଡ଼ି ଆଲର୍ଟ
ଏହା ମଧ୍ୟ ପଢନ୍ତୁ କମିବ ଶୀତ; କଲବଲ କରିବ ଘନକୁହୁଡ଼ି, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- କେଉଁଠି କେତେ ତାପମାତ୍ରା ?
ଗତ ୨୪ ଘଣ୍ଟା ମଧ୍ୟରେ ପାହାଡିଆ ଅଞ୍ଚଳ ଭାବରେ ଜି ଉଦୟଗିରିରେ ୬.5 ସର୍ବନିମ୍ନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ 10.0 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଟୁଇନସିଟି କଟକରେ ୧୬.୧ ଏବଂ ଭୁବନେଶ୍ବରରେ 16.6 ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି ।
- ଟ୍ବିନସିଟିରେ ବଢିବ ତାପମାତ୍ରା
ଆସନ୍ତା ତିନି ଦିନ ଟ୍ବିନସିଟିରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଟ୍ବିନସିଟିରେ ଦିନ ତାପମାତ୍ରା ସର୍ବୋଚ୍ଚ 34 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ । ସେହିପରି ରାତି ତାପମାତ୍ରା 15 ରୁ 16 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ । ରାଜଧାନୀ ଭୁବନେଶ୍ବରରେ ଦିନ ତାପମାତ୍ରା 30 ରୁ 34 ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାବେଳେ ରାତି ତାପମାତ୍ରା 16 ରୁ 19 ଡିଗ୍ରୀ ପର୍ଯ୍ୟନ୍ତ ରହିବ । ସେହିପରି କଟକରେ ଦିନ ତାପମାତ୍ରା 30 ରୁ 32 ଡିଗ୍ରୀ ପର୍ଯ୍ୟନ୍ତ ରହିବାବେଳେ ରାତି ତାପମାତ୍ରା 15 ରୁ 18 ଡିଗ୍ରୀ ପର୍ଯ୍ୟନ୍ତ ରହିବ ।
7 Days' weather forecast for Capital City (Valid from 23rd January, 2024 to 29th January, 2025) #Odisha #Weather #Bhubaneswar #Cuttack #weatherforecast pic.twitter.com/iLwW8ezUqj
— Meteorological Centre, Bhubaneswar (@mcbbsr) January 23, 2025