ନମାପଡ଼ା(ପୁରୀ): କଣାସ ଝାଡ଼ାବାନ୍ତି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପୁରୀ ଜିଲ୍ଲା କଣାସ ବ୍ଲକର ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ପହଞ୍ଚିଲେ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଧେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସଂକ୍ରମିତ ଗାଁ ଜାଗୁଳାଇପଦର ଓ ନୂଆଗାଁକୁ ଯାଇ ସ୍ଥିତି ପରଖିଛନ୍ତି । ଗ୍ରାମବାସୀ ଓ ଡାକ୍ତରୀ ଦଳଙ୍କ ସହ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ।
- 'ସ୍ଥିତି ନିୟନ୍ତ୍ରଣରେ ରହିଛି, କିନ୍ତୁ ...':
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି," ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ଯା କମିଛି କିନ୍ତୁ ସମ୍ପୂର୍ଣ୍ଣ ଜିରୋ ହୋଇନାହିଁ । ଆମେ ଜିରୋ କରିବା ପାଇଁ ଚେଷ୍ଟା କରୁଛୁ । ଲୋକଙ୍କୁ ନଦୀ ଜଳ ବ୍ୟବହାର ନକରିବା ପାଇଁ ସଚେତନ କରାଯାଉଛି । ଝାଡ଼ାବାନ୍ତିରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେନେଇ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି । କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଧିକ ବେଡ୍ ଆବଶ୍ୟକ ପଡିଲେ ପୁରୀ ମେଡିକାଲ୍ରୁ ଅଧିକ ବେଡ୍ ଅଣାଯିବ । ନଦୀ ପାଣି ବ୍ୟବହାର କରିବା ଦ୍ବାର ଏଭଳି ଝାଡ଼ାବାନ୍ତି ବ୍ୟାପିଛି । ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଏହାକୁ ସମ୍ପୂର୍ଣ୍ଣ ଜିରୋକୁ ଅଣାଯିବାକୁ ଚେଷ୍ଟା ଜାରି ରହିଛି । "
- ଝାଡ଼ାବାନ୍ତିର କାରଣ ଦୟା ନଦୀ ଦୂଷିତ ଜଳ:
ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ହେଉଛି ପାନୀୟ ଜଳ ସମସ୍ୟା ।ଯାହାଫଳରେ ବାଧ୍ୟ ହୋଇ ଲୋକମାନେ ଦୟା ନଦୀର ଦୂଷିତ ଜଳ ଉପରେ ନିର୍ଭର କରୁଛନ୍ତି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବାବେଳେ ଅନେକ ଲୋକ ଚିକିତ୍ସିତ ହେଉଛନ୍ତି । ସେପଟେ ପ୍ରଶାସନ ତରଫରୁ ଟ୍ୟାଙ୍କର ଦ୍ବାରା ପାନୀୟ ଜଳ ଯୋଗାଇ ଦିଆଯାଉଛି ।
- 'ଦୟା ନଦୀ ଆମର ଜୀବନ ରେଖା':
ଜାଗୁଲେଇପଦର ବାସିନ୍ଦା ଧବଳେଶ୍ଵର ବେହେରା କହିଛନ୍ତି," ଦୟା ନଦୀ ଆମର ଜୀବନ ରେଖା । ସରକାରଙ୍କୁ ନିବେଦନ ଭୁବନେଶ୍ବର ଗଙ୍ଗୁଆ ନାଳର ଦୂଷିତ ଜଳକୁ ଦୟା ନଦୀରେ ନ ଛଡ଼ାଯାଉ । ଏଥିପାଇଁ ସରକାର ଉତ୍ତମ ପଦକ୍ଷେପ ଗ୍ରହଣ କରନ୍ତୁ ।" ସେହିପରି ଅନ୍ୟ ଜଣେ ଗ୍ରାମବାସୀ ପ୍ରଭାତ ବେହେରା କହିଛନ୍ତି," ଗଙ୍ଗୁଆ ନାଳ ପାଇଁ ଦୟା ନଦୀ ଦୂଷିତ ହେଉଛି । ତେଣୁ ସବୁଆଡେ ଝାଡ଼ାବାନ୍ତି ବ୍ୟାପିଛି । ଆମକୁ ଯେଉଁ ପାଣି ଟ୍ୟାଙ୍କର ଯୋଗ ଦିଆଯାଉଛି, ତାହା ମଧ୍ୟ ଶୁଦ୍ଧତା ନୁହେଁ । ଆମ ଗ୍ରାମରେ ଜଳ ସମସ୍ୟା ଲାଗି ରହିଛି । "
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର, ରାଜ୍ୟ ନିରୀକ୍ଷଣ ୟୁନିଟର ଏପିଡେମିଓଲୋଜିଷ୍ଟ ଡ଼. ସୁନୀତା ଜେନା ଏକ ଟିମ ସହିତ ଆଜି କଣାସ ବ୍ଲକର ଡାଇରିଆ ପ୍ରଭାବିତ ଗାଁ ଓ ଅଞ୍ଚଳଗୁଡିକର ପରିଦର୍ଶନରେ ଯାଇ ସାମ୍ପ୍ରତିକ ସ୍ଥିତି ଓ ପରିସ୍ଥିତର ମୂଲ୍ୟାଙ୍କନ କରିବା ସହ ବିଭାଗପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ଚିକିତ୍ସା ସେବାକୁ ଆହୁରି ଅଧିକ ବ୍ୟବସ୍ଥିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଇରିଆ ପ୍ରଭାବିତ ଏବଂ ସେମାନଙ୍କୁ ଚିକିତ୍ସା କରୁଥିବା ଚିକିତ୍ସକମାନଙ୍କ ସହିତ ବିଷଦ ଆଲୋଚନା କରି ଚିକିତ୍ସା ଓ ଅନ୍ୟାନ୍ୟ ସେବାକୁ କିପରି ଅଧିକ ବ୍ୟବସ୍ଥିତ ଓ ସୁସଙ୍ଗଠିତ କରାଯାଇପାରିବ ସେ ବିଷୟରେ ପରାମର୍ଶ ଦେଇଛନ୍ତି ।
- ଏହି ସବୁ ଦିଗ ଉପରେ ଗୁରୁତ୍ବ
ବିଶେଷ ଭାବରେ ନିରାପଦ ପାନୀୟ ଜଳ ତାସହ ପରିମଳ ଓ ବର୍ଜ୍ୟବସ୍ତୁ ସୁପରିଚାଳନା ମାଧ୍ୟମରେ ଏହି ସମସ୍ୟାର କିଭଳି ସମାଧାନ କରାଯାଇପାରିବ ସେ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଶେଷ ଭାବରେ ଅବରୋଧିତ କେନାଲ ଗୁଡିକୁ ସଫା କରିବା ଏବଂ ପ୍ରଭାବିତ ଗ୍ରାମ ଗୁଡିକୁ ଅତିରିକ୍ତ ପାନୀୟ ଟ୍ୟାଙ୍କର ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ପରିଷ୍କାର -ପରିଚ୍ଛନତା ଏବଂ ଶୌଚାଳୟ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ପୃକ୍ତ ଗାଁ ଗୁଡିକରେ ଏକ ବିସ୍ତୃତ ସୂଚନା, ଶିକ୍ଷା, ଏବଂ ଯୋଗାଯୋଗ (IEC) ଅଭିଯାନର ଆବଶ୍ୟକତାକୁ ପରିଲିଖିତ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
- ଶୁଦ୍ଧପାଣି ଓ ଜନସଚେତନତା ଜରୁରୀ
ଦୂଷିତ ନଦୀ ଜଳର ବ୍ୟବହାରକୁ ନିରୁତ୍ସାହିତ କରିବା ଏବଂ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ଜଳ ଉତ୍ସ ସମ୍ପର୍କରେ ସଚେତନ କରିବାରେ ସ୍ଥାନୀୟ ନେତୃମଣ୍ଡଳୀ ଓ ସ୍ୱେଚ୍ଛାସେବୀମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ଜନସଚେତନତାକୁ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର । ଏହି ସମସ୍ୟାକୁ ସଫଳତାର ସହ ମୁକାବିଲା କରିବା ଏବଂ ଭବିଷ୍ୟତରେ ଘଟିବାକୁ ନ ଦେବା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କୁ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ନିୟମିତ କ୍ଷେତ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କରାଯିବ ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ ନିମାପଡା ଓ ଭୁବନେଶ୍ବର