ଭୁବନେଶ୍ବର:ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩ ବୃଦ୍ଧି ପାଇଛି । କଟକ ଏସସିବିରେ ଜଣଙ୍କର ଏବଂ ଭୁବନେଶ୍ବର ଦୁଇ ଘରୋଇ ହସ୍ପିଟାଲରେ ଦୁଇ ଜଣ ଆହତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୩୦ରୁ ଅଧିକ ଆହତ ହୋଇଥିବା ବେଳେ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଏବେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ କଟକ ଏସସିବିରେ ୭ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତେବେ ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲକୁ ଯାଇ ଆହତମାନଙ୍କୁ ଭେଟିବେ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଭେଟିବେ ।
ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଭୁବନେଶ୍ବର ଘରୋଇ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ଏବଂ ଚିକିତ୍ସା ସହାୟତା ସମ୍ବନ୍ଧରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।ହସ୍ପିଟାଲରେ ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଘୋଷଣା କରିଛନ୍ତି ।
ଏନେଇ ଏମ୍ସ ଭୁବନେଶ୍ଵର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡାକ୍ତର ସଞ୍ଜୟ ଗିରିଙ୍କ କହିଛନ୍ତି ଯେ, ରାତି ଗୋଟାଏ ବେଳକୁ ପୁରୀରୁ ବାଣ ବିସ୍ଫୋରଣରେ ଆହତ ହୋଇ ୫ ଜଣ ଏମ୍ସ ଆସିଥିଲେ । ସେମାନଙ୍କ ମଧ୍ୟରୁ ସାମାନ୍ୟ ଆହତ ହେଇଥିବା ୨ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩ ଜଣ ଆହତ ଚିକିତ୍ସଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨ରୁ ୧୪ ବର୍ଷ ବୟସର ପିଲାର ଶରୀର ପଖାପାଖି ୮୦ରୁ ୯୦ % ପୋଡ଼ିଯାଇଛି । ଏହି ପିଲାଟିର ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ଜଣେ ୪୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କର ଶରୀର ୬୦ ଭାଗ ପୋଡ଼ି ଯାଇଛି । ଉଭୟଙ୍କୁ ICUରେ ରଖାଯାଇଛି । ତୃତୀୟ ବ୍ୟକ୍ତିଙ୍କ ୪୦ ପ୍ରତିଶତ ପୋଡିଯାଇଛି । ସେମାନଙ୍କୁ ଭଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି ।