କଟକ: ପାରାଦ୍ବୀପ ବନ୍ଦରରୁ ଗିରଫ ହେବ ଏମଭି ଦେବୀ ଜାହାଜ । ବନ୍ଦରରେ ଜାହାଜ ଅଟକିବା ସ୍ଥାନର ଭଡା ପ୍ରସଙ୍ଗରେ ପାରାଦ୍ବୀପ ଇଣ୍ଟରନ୍ୟାସନାଲ କୋର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ଆବଦେନର ଶୁଣାଣି କରି ହାଇକୋର୍ଟ କୋକେନ ଜବତ ଘଟଣାରେ ଚର୍ଚ୍ଚା ଥିବା ଉକ୍ତ ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ନିର୍ଦ୍ଦେଶନାମା ସହ କୋର୍ଟର ମାର୍ଶାଲଙ୍କ ଚିଠିକୁ ମଧ୍ୟ ଆବେଦନକାରୀ ପ୍ରତିପକ୍ଷଙ୍କୁ ପ୍ରଦାନ କରିବେ । ଭଡା ବାବଦକୁ ଏମଭି ଦେବୀ ଜାହାଜ ଉପରେ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ବକେୟା ରହିଛି । ଏଥିରେ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଥିବା ବେଳେ ୫୦ ଲକ୍ଷ ଟଙ୍କାର ଆଇନଗତ ଖର୍ଚ୍ଚ ରହିଥିବା କୋର୍ଟଙ୍କୁ ଜଣାଇଥିଲା ଆବେଦନକାରୀ ସଂସ୍ଥା ।
ଆବେଦନକାରୀ ନିଜ ଆବେଦନରେ କୋର୍ଟଙ୍କୁ ଦର୍ଶାଇଥିଲେ ଯେ, ଏମଭି ଦେବୀ ଜାହାଜ ଇଜିପ୍ଟରୁ ବାହାରି ପାରାଦ୍ବୀପ ବନ୍ଦରରେ ପହଞ୍ଚି ଥିଲା । ଏହି ଜାହାଜ ପାରାଦ୍ବୀପରୁ ଡେନମାର୍କ ଅଭିମୁଖେ ଯିବାର ଥିଲା । କିନ୍ତୁ ଜାହାଜ ପାରାଦ୍ବୀପ ବନ୍ଦରରେ ରହିଥିବା ବେଳେ ଗତ ୨୦୨୩, ଏପ୍ରିଲ ୧ ତାରିଖରେ ସେଥିରୁ ୨୨ କେଜି କୋକେନ ଜବତ ହୋଇଥିଲା । ସେବେଠାରୁ ଏହି ଜାହାଜଟି ପାରାଦ୍ୱୀପ ବନ୍ଦରରେ ଅଟକି ରହିଛି । ଦୀର୍ଘଦିନ ଧରି ଏହି ଜାହାଜ ବନ୍ଦରରେ ଅଟକି ରହିଥିବା ବେଳେ ଏହାର ଭଡା ନଦେବା କାରଣରୁ ପିଆଇସିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ୨୨୦ କୋଟିର ଡ୍ରଗ୍ସ ଜବତ ଘଟଣା: ସିଲ ହେଲା ଜାହାଜ, ୨୧ ନାବିକ ଅଟକ