ଭୁବନେଶ୍ବର : ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୧୦ ଦିନ ଅଧିକ ସାମୟିକ ଛୁଟି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୦ ଦିନ ଛୁଟି ବଢ଼ାଇଛନ୍ତି । ପୂର୍ବରୁ ଏହା ୧୫ ଦିନ ଥିଲା । ଏହି ୧୦ ଦିନକୁ ମିଶାଇଲେ ଜଣେ ମହିଳା ସରକାରୀ କର୍ମୀ ବର୍ଷକୁ ମୋଟ ୨୫ ଦିନର ସାମୟିକ ଛୁଟି ପାଇବେ ।
ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ । ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ।