ଓଡିଶା

odisha

ETV Bharat / state

ପୁରୀରେ ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ, ବତୀ ଘରକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବତୀଘର ଓଡିଶାର ନୌବାଣିଜ୍ୟ ଐତିହାସିକ ବୈଭବର ସାକ୍ଷୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଦେଶରେ ପର୍ଯ୍ୟଟନର ବିକାଶ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ ।

By ETV Bharat Odisha Team

Published : 4 hours ago

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ
ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ (ETV Bharat Odisha)

ପୁରୀ: ଦୁଇ ଦିନ ଧରି ଚାଲିଥିବା ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଗତକାଲି (ରବିବାର) ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ବତୀଘରଗୁଡିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ ।

  • ଗତବର୍ଷ ଗୋଆ, ଏଥର ପୁରୀ

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗୋଆରେ ପ୍ରଥମ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ଓଡିଶାରେ ଦ୍ୱିତୀୟ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହେଉଛି । ବତୀଘର ପର୍ଯ୍ୟଟନରେ ଓଡିଶାକୁ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ଲାଇଟ ହାଉସର ବିକାଶ କରାଯାଇଛି । ଏଥିରେ ଓଡିଶାର ୫ଟି ଲାଇଟହାଉସ ସ୍ଥାନ ପାଇଛି । ଏଗୁଡିକ ହେଲା- ଗୋପାଳପୁର, ପୁରୀ, ଚନ୍ଦ୍ରଭାଗା, ଫଲ୍‌ସ ପଏଣ୍ଟ ଓ ପାରାଦୀପ ।

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ (ETV Bharat Odisha)
  • ନୌବାଣିଜ୍ୟ ଐତିହ୍ୟର ପ୍ରସାର କରୁଛି ବତୀଘର: ମୁଖ୍ୟମନ୍ତ୍ରୀ


ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବତୀଘରକୁ ଯେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ, ଏହା ସାମାନ୍ୟ ଚିନ୍ତାଧାରାର ବାହାରେ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଚିନ୍ତାଧାରା ଓ ଦୂରଦୃଷ୍ଟି ଯୋଗୁଁ ଆଜି ଆମର ବତୀଘରଗୁଡିକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବା ସହିତ ଆମର ନୌବାଣିଜ୍ୟ ଐତିହ୍ୟର ପ୍ରସାର କରୁଛନ୍ତି । ସୂଚନାଯୋଗ୍ୟ ଯେ, ଲାଇଟହାଉସଗୁଡିକୁ ବିକଶିତ କରାଯାଇ ଏଥିରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସୁବିଧାର ବିକାଶ ମଧ୍ୟ କରାଯାଇଛି । ଏଥିରେ ଦର୍ଶକଙ୍କ ବସିବା ପାଇଁ ସେଡ୍, ଝରଣା, ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା, ପଥର କାରୁକାର୍ଯ୍ୟ ଓ ଅନ୍ୟାନ୍ୟ ସୁବିଧାର ବିକାଶ ମଧ୍ୟ କରାଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୟାଣ୍ଡ ଆର୍ଟ, ବୋର୍ଟ ଆର୍ଟ, ବିଚ୍ କ୍ଲିନ୍-ଅପ୍ ଡ୍ରାଇଭ୍, ଯୋଗ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ ମଧ୍ୟ କରାଯାଉଛି ।

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ (ETV Bharat Odisha)


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ,‘‘ଏସବୁ କାର୍ଯ୍ୟକ୍ରମ ଜରିଆରେ ପୁରୀର ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରେ ବତୀଘର ମଧ୍ୟ ଯୋଡି ହୋଇଯିବ । ମୁଁ ଆଶା କରୁଛି କେନ୍ଦ୍ର ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁ ଦେଶର ପର୍ଯ୍ୟଟନ ମ୍ୟାପରେ ଓଡିଶାର ଅବସ୍ଥିତ ବତୀଘରଗୁଡିକ ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚିତ ହେବ । ଏହା ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ଦୂରଦର୍ଶୀ ସମ୍ପନ୍ନ କାର୍ଯ୍ୟକ୍ରମ ବୋଲି । ବତୀଘର ବା ଲାଇଟହାଉସ ଆମ ଐତିହାସିକ ବୈଭବର ପରିଚୟ ଦିଏ । ଇତିହାସରୁ ଜଣାଯାଏ ଯେ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ଏକ ଦୃଢ ନୌବାଣିଜ୍ୟ ପରମ୍ପରା ରହିଥିଲା । ସେ ସମୟରେ ସେଠାରେ ବତୀଘର ପରମ୍ପରା ଥିବାର ଅନୁମାନ ମଧ୍ୟ କରାଯାଏ । ପ୍ରାଚୀନ ଭାରତରେ ତାମିଲନାଡୁର ମହାବଳିପୁରମ ଠାରେ ଥିବା ଓଲାକାନେଶ୍ୱର ମନ୍ଦିର ଏକ ଲାଇଟହାଉସ ବା ବତୀଘର ଭାବେ ବ୍ୟବହୃତ ହେଉଥିବାର ପ୍ରମାଣ ମିଳେ । ତେଣୁ, ଭାରତର ନୌବାଣିଜ୍ୟ ପରମ୍ପରା ଓ ବତୀଘରର ପ୍ରଚଳନ ଯେ ବହୁ ପୁରାତନ, ଏଥିରେ ସନ୍ଦେହ ନାହିଁ ।’’

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ (ETV Bharat Odisha)
  • ଓଡିଶାର ଦକ୍ଷିଣ-ପୂର୍ବ ଏସିଆ ସହ ନୌବାଣିଜ୍ୟ ସମ୍ପର୍କ ଥିଲା:-


ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଆ ସାଧବ ପୁଅମାନେ ଜାଭା, ସୁମାତ୍ରା ଓ ବାଲି ଦ୍ୱୀପ ସହିତ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ଆମର ଏହି ନୌବାଣିଜ୍ୟ ପରମ୍ପରା ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିଥିଲା । ସେହି ପରମ୍ପରାର ସ୍ମୃତି ସ୍ୱରୂପ ଆଜି ଓଡିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଉତ୍ସବ ପାଳନ କରାଯାଉଛି । ବର୍ତ୍ତମାନ ବାଲିଯାତ୍ରା ସହିତ ବତୀଘର ମହୋତ୍ସବ ଯୋଡି ହୋଇ ଓଡିଶାର ପ୍ରାଚୁର୍ଯ୍ୟମୟ ଐତିହ୍ୟର ସ୍ମୃତିଚାରଣ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ମଧ୍ୟ ଆଣିବ । ପୁରୀ ସମୁଦ୍ରକୁଳର ଆକର୍ଷଣ ଉପରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁରୀ ହେଉଛି ଏକମାତ୍ର ବେଳାଭୂମି ଯେଉଁଠି ବର୍ଷସାରା ଏକ ପ୍ରକାର ଉତ୍ସବମୁଖର ବାତାବରଣ ଦେଖିବାକୁ ମିଳିଥାଏ । ଏହି ଉତ୍ସବର ମାହୋଲ ପୁରୀ ବେଳାଭୂମିକୁ ଦେଶର ଅନ୍ୟାନ୍ୟ ବେଳାଭୂମିଠାରୁ ଅଲଗା ପରିଚୟ ଦେଇଥାଏ ।

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ (ETV Bharat Odisha)
  • ପାରାଦ୍ବୀପ ପାଇଁ ଦୁଇଟି ପ୍ରକଳ୍ପ ଉଦଘାଟିତ

ସୂଚନାଯୋଗ୍ୟ ଯେ, ଏହି ଅବସରରେ ପାରାଦୀପ ବନ୍ଦରରେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରାଗଲା । ପାରାଦୀପ ବନ୍ଦରରେ ମାଲ ପରିବହନର ସୁବିଧା ପାଇଁ ଗୋଟିଏ ଫ୍ଲାଇ-ଓଭର ଏବଂ ଚାରି ଲେନ୍ ବିଶିଷ୍ଟ ଏକ ସଡକ ମଧ୍ୟ ନିର୍ମାଣ କରାଯାଇଛି । ଏହା ସହିତ କାର୍ଗୋ ହାଣ୍ଡଲିଙ୍ଗରେ ସୁବିଧା ପାଇଁ ଏହାର ଆଧୁନିକୀକରଣ ମଧ୍ୟ କରାଗଲା । ଏହା ଦ୍ୱାରା ଘଣ୍ଟାକୁ ୩୦ ହଜାର ଟନ ଲୁହା ପଥର କାରବାର କରାଯାଇପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଧନ୍ୟବାଦ ଦେଇ କହିଥିଲେ । ପାରାଦୀପ ବନ୍ଦରରେ ଜାହାଜ ନିର୍ମାଣ ଓ ମରାମତି ପାଇଁ ଏକ କ୍ଲଷ୍ଟରର ବିକାଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୋନୱାଲ ଘୋଷଣା କରିଥିଲେ । ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳର ସମନ୍ୱିତ ବିକାଶ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଓଡ଼ିଶାରେ UAEର କନସୁଲେଟ, ନୌବାଣିଜ୍ୟ ଓ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ସ୍ଥାପନ ଉପରେ ଗୁରୁତ୍ୱ - Mohan Meets Jaishankar Nadda

ଏହା ମଧ୍ୟ ପଢନ୍ତୁ:ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ


କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ.ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ବିଭାଗର ସଚିବ ଟି.କେ. ରାମଚନ୍ଦ୍ରନ୍ ସ୍ବାଗତ ଭାଷଣ ଦେଇଥିଲେ । ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details