ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ । ସଚିବସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଲୋଚନା ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ଲକ୍ଷ୍ୟ ରଖି ଜେନେରେଟର ସେଟ୍ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ତୁରନ୍ତ ପୁନଃକାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି । ପାନୀୟ ଜଳ ପାଇଁ ୨୩ ଓ ୨୪ ତାରିଖରେ ସବୁ ଓରରହେଡ ଟାଙ୍କି ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତା ଅନୁସାରେ ଜଳର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ସଚିବସ୍ତରୀୟ ଗୁରୁତ୍ବପୂର୍ଣ୍ଣ ବୈଠକ :
ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ।ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ ସେବା, ବିଦ୍ୟୁତ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ବାତ୍ୟା ପରେ ଶିକ୍ଷାନୁଷ୍ଠାନଗୁଡିକ ଚାଲୁ କରିବା ସମ୍ପର୍କରେ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ହେଲେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ତୁରନ୍ତ ଯୋଗାଇବା ପ୍ରମୁଖ ଆହ୍ୱାନ ହୋଇଥାଏ । ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଜେନେରେଟର ସେଟ୍ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ସ୍ଥିତି ଉପରେ ନଜର ରଖି ୨୩ ଓ ୨୪ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ଓଭରହେଡ ପାଣି ଟାଙ୍କି ଗୁଡିକ ଶତପ୍ରତିଶତ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜେନେରେଟର ସେଟ ଗୁଡିକର ସଚଳ ପାଇଁ ନିର୍ଦ୍ଦେଶ:
ସେହିପରି ଶକ୍ତି ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଭାଗ ଏବଂ ଅନ୍ୟ ବିଭିନ୍ନ ସେବା ପାଇଁ ସମନ୍ୱୟ ରଖି ଆବଶ୍ୟକ ଜେନେରେଟର ସେଟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେନେରେଟର ସେଟ ଗୁଡିକର ସଚଳ ରହିବା ପାଇଁ ଯାନ୍ତ୍ରିକ ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି । ଜେନେରେଟର ସେଟଗୁଡିକ ଡିଜେଲ ସହ ପ୍ରସ୍ତୁତ ରଖିବା ସହିତ ଯଥାଶୀଘ୍ର ସେଗୁଡିକ ଟ୍ରାଏଲ ରନ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ଆବଶ୍ୟକ ହେଉଥିବା ସ୍ଥାନ ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ଗୁରୁତ୍ୱ ଦିଆଯାଇଛି । ଜଳ ସଞ୍ଚୟ, ବାତ୍ୟା ଓ ପରବର୍ତ୍ତୀ ସମୟରେ ଜଳର ଉପଯୁକ୍ତ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।