ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଉନ୍ମୋଚିତ ହୋଇଛି 'ମୋ ବୁଥ' ଆପ୍ । 'ମୋ ବୁଥ' ଆପ୍ ଉନ୍ମୋଚନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଭୁବନେଶ୍ବର ଭୋଟରଙ୍କୁ ସଚେତନ ଓ ମତଦାନ କେନ୍ଦ୍ରକୁ ବାଟ କଢ଼େଇ ଆଣିବା ଲାଗି 'ମୋ ବୁଥ' ଆପ୍ର ପରିକଳ୍ପନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ବିଶେଷ କରି ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଓ ଟିମ୍ । ଏହି ଆପ୍ ମାଧ୍ୟମରେ ଭୋଟର ଜାଣିପାରିବେ ବୁଥ ସମ୍ପର୍କରେ ସମସ୍ତ ତଥ୍ୟ ।
ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା କହିଛନ୍ତି, "ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହେବାକୁ ଯାଉଛି । ଭୁବନେଶ୍ବର ସହରାଞ୍ଚଳରେ ମତଦାନ କମ ରହୁଥିବା ନଜିର ରହିଛି । ତେଣୁ ଆମେ ଭୁବନେଶ୍ବରର ଅନେକ ଭୋଟରଙ୍କ ସହିତ ଆଲୋଚନା କରି ମତାମତ ନେଇଛୁ । ଜିଲ୍ଲା ପ୍ରଶାସନ ତରଫରୁ ଏକ ଘରୋଇ ସଂସ୍ଥା ସହଯୋଗରେ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମାଧ୍ୟମରେ ଭୋଟର ସେମାନଙ୍କ ମତଦାନ କେନ୍ଦ୍ରର ସ୍ଥିତି ବାବଦରେ ଜାଣିପାରିବେ । ମତଦାନ କେନ୍ଦ୍ର ଜାଣିବା ପରେ ସେଠାକୁ ଯିବାକୁ ଗୁଗଲ୍ ମ୍ୟାପ୍ର ସହଯୋଗ ନେବା ପାଇଁ ଆପ୍ରେ ବ୍ୟବସ୍ଥା ହୋଇଛି । ବୁଥରେ ଭିଡ଼ କେତେ ଅଛି, ତାହାର ସୂଚନା ମଧ୍ୟ ଭୋଟର ମତଦାନ କେନ୍ଦ୍ରକୁ ନଯାଇ ମଧ୍ୟ ଜାଣିପାରିବ ।"
ସେହିପରି ପୋଲିଂ ଅଧିକାରୀମାନେ ଠିକ୍ ସମୟରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ନା ନାହିଁ, ମକ୍ ପୋଲ୍ ଠିକ ସମୟରେ ହେଲା ନା ନାହିଁ, ତାହାର ତଥ୍ୟ ପ୍ରଶାସନକୁ ତୁରନ୍ତ ମିଳିବ । ସେହିପରି ମତଦାନ ପରେ ପୋଲିଂ ଅଧିକାରୀ ବାହାରିଲେ ନା ନାହିଁ ତାହାର ତଥ୍ୟ ସଙ୍ଗେ ସଙ୍ଗେ ମିଳିଯିବ । ଯଦି କୌଣସି ପୋଲିଂ ଷ୍ଟେସନରେ ଆଇନ ଶୃଙ୍ଖଳା ପରିସ୍ଥିତି, ଇଭିଏମ୍ ସମସ୍ୟା ଉପୁଜେ, ତତ୍କାଳ ବ୍ଲକ ନିର୍ବାଚନ ଅଧିକାରୀକୁ ସୂଚନା ମିଳିଯିବ । ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ତୁରନ୍ତ ହୋଇପାରିବ । ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ସଫଳ ହୋଇଯିବ । ସେଥିପାଇଁ ଏହି 'ମୋ ବୁଥ' ଆପ୍ ଉନ୍ମୋଚନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।