ଭୁବନେଶ୍ବର/ସମ୍ବଲପୁର: ଓଡ଼ିଶା ପାଇଁ କେନ୍ଦ୍ରର ବଡ଼ ଭେଟି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ରେଳ ମନ୍ତ୍ରଣାଳୟ ଆଜି ଓଡିଶା ପାଇଁ ୨ଟି ନୂଆ ରେଳ ପ୍ରକଳ୍ପ ପାଇଁ ଅନୁମୋଦିତ ଦେଇଛନ୍ତି । ପୂର୍ବ ଭାରତରୁ ରାଷ୍ଟ୍ର ଉଦୟ ଦିଗରେ ମୋଦି ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ । ଏହି ୨ଟି ପ୍ରୋଜେକ୍ଟ ଓଡିଶା ପାଇଁ ବହୁ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ । ଓଡିଶାରୁ କୋଇଲା ଓ ଲୌହ ଖଣିଜପଦାର୍ଥ ପରିବହନ କ୍ଷେତ୍ରରେ ଏହି ୨ଟି ପ୍ରୋଜେକ୍ଟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।
ଓଡିଶାରେ ୨ଟି ରେଳ ପ୍ରକଳ୍ପ ଭେଟି:
ଆଜି ରେଳ ମନ୍ତ୍ରଣାଳୟର ମୋଟ ୬ ହଜାର ୪୫୬ କୋଟି ଟଙ୍କା ବ୍ୟୟ ଅଟକଳର ୩ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହା ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ୨ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯିବ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ଘୋଷଣା କରିଛନ୍ତି । ଏହି ୨ଟି ନୂଆ ରେଳ ପ୍ରକଳ୍ପରୁ ଗୋଟିଏ ବରଗଡ଼ରୁ ନୂଆପଡା ଭାୟା ପଦ୍ମପୁର ପାଇକମାଳ ରେଳପଥର ଚୂଡାନ୍ତ ମଞ୍ଜୁରୀ କେନ୍ଦ୍ରୀୟ କ୍ୟାବିନେଟ କରିଛନ୍ତି । ଏହି ୧୩୮ କିମି ରେଳପଥ ପାଇଁ ୨,୯୨୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ବରଗଡ଼-ନୂଆପଡା ପ୍ରୋଜେକ୍ଟରେ ଦୁଇଟି ଲାଭ ହେବ । ପ୍ରଥମେ ଟିଟିଲାଗଡ଼ ଦେଇ ଯାଉଥିବା ପଥକୁ ଏହା କମ୍ କରିବ ରାୟପୁରକୁ ଯାଉଥିବା ଖଣିଜ ପଦାର୍ଥ ଗାଡ଼ି 80 କିଲୋମିଟର ରାସ୍ତା କମ ହେବ । ଏହି ଟ୍ରେନ ଲାଇନ ପଦ୍ମପୁର ଦେଇଯିବ । ଯାହା ପଦ୍ମପୁରବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବ । ସେହିପରି ଅନ୍ୟଟି ୩୭ କିଲୋମିଟର ଲମ୍ବ ସରଡେଗା-ଭାଲୁମୁଡ଼ା ଡବଲ୍ ରେଳ ଲାଇନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସହ ଯୋଡ଼ିବ । ଏଥିପାଇଁ ୧,୩୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।