ଭୁବନେଶ୍ବର:ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅନେକ ଛାତ୍ରଛାତ୍ରୀ ଭଲ ନମ୍ବର ରଖି ପାସ ହୋଇଛନ୍ତି । ଏହାରି ମଧ୍ୟରେ ଏମିତି ଜଣେ ଛାତ୍ରୀ ହେଉଛନ୍ତି ଭୁବନେଶ୍ବର ସ୍ଥିତ ୟୁନିଟ୍-୩ର କ୍ୟାପିଟାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶ୍ୟାମଳୀ ଗୀତାଞ୍ଜଳୀ ସରକାର । ସେ ଚଳତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ରଖି A1 ଗ୍ରେଡ ପାଇଛନ୍ତି । ବିନା ଟ୍ୟୁସନରେ ଶ୍ୟାମଳୀ ଟପ୍ପର ହୋଇଥିବା ବେଳେ ଡାକ୍ତର ହୋଇ ବାପାଙ୍କ ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ।
ପିଲାଟି ବେଳୁ ଶ୍ୟାମଳୀଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଥିବା ବେଳେ ବର୍ତ୍ତମାନ ଘର ମୁରବୀ ହେଉଛନ୍ତି ମାଆ । ଶ୍ୟାମଳୀଙ୍କ ମା’ ଏକ ଛୋଟିଆ ଘରୋଇ ବିଦ୍ୟାଳୟରେ ଛୋଟ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଘରର ଆର୍ଥିକ ପରିସ୍ଥିତି ଏବଂ ନିଜର ସ୍ବପ୍ନ ସହିତ ସଂଘର୍ଷ କରି ଆଜି ସଫଳତାର ପ୍ରଥମ ସିଡି ଚଢ଼ିଛନ୍ତି ଶ୍ୟାମଳୀ । ପିଲାଟି ବେଳୁ ସେ ଖୁବ୍ ମେଧାବୀ ଏବଂ ପରିଶ୍ରମୀ । ଏହା ସହ ଘରେ ଅଧ୍ୟୟନର ପରିବେଶ ମଧ୍ୟ ବେଶ୍ ଭଲ । ଯାହା ତାଙ୍କୁ ବହୁତ ସାହାଯ୍ୟ କରିଛି । ସେ ବିଶ୍ବାସ କରନ୍ତି ଯେ ଅଧ୍ୟୟନ ସବୁବେଳେ ଅନୁଶାସନ ସହିତ କରାଯିବା ଉଚିତ୍ । ବାପାଙ୍କୁ ହରାଇବା ପରେ ଶ୍ୟାମଳୀ କହିଛନ୍ତି ଯେ ଏକ ସମୟରେ ସେମାନଙ୍କର ଆର୍ଥିକ ସ୍ଥିତି ଖୁବ୍ ଖରାପ ହେବାରେ ଲାଗିଥିଲା । ଯେଉଁଥିପାଇଁ ତାଙ୍କୁ ପାଠ ପଢ଼ାରେ ଅନେକ ବାଧାବିଘ୍ନ ଅତିକ୍ରମ କରିବାକୁ ପଡ଼ିଥିଲା । ସେ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ । ଶ୍ୟାମଳୀ ଦୈନିକ ୭ରୁ ୮ ଘଣ୍ଟା ଅଧ୍ୟୟନ କରିବା ସହିତ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।