ଭୁବନେଶ୍ବର: ଗତକାଲି ଆଇଗିଣିଆ ନିକଟ ବ୍ରିଜରେ ରାସ୍ତା ଦବି ଯାଇଥିଲା। ଆଜି ସେଠାକାର କାର୍ଯ୍ୟ ସମୀକ୍ଷା କରିଛନ୍ତି ଭୁବନେଶ୍ବର ମେୟର । ସ୍ଥାନ ପରିଦର୍ଶନ ସହ ଅଘଟଣ ପାଇଁ ଏନଏଚଆଇକୁ ଦାୟୀ କରଛନ୍ତି ମେୟର । ତେବେ କାଲି ପୋଲଟି ଦବିବା ଫଳରେ ସେଠାରେ ଅଟକି ରହିଲା ମିନି ଟ୍ରକ । ଏହାକୁ ନେଇ ପୋଲ ଦେଇ ଯାଉଥିବା ଲୋକଙ୍କ ମନରେ ଛନକା ପଶିଥିଲା । ଅନ୍ୟପଟେ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିବା ରାଜ୍ୟର ଏକ ପ୍ରମୁଖ ଜାତୀୟ ରାଜପଥର ରାସ୍ତା ଦବିବା ନେଇ ସାଧାରଣରେ ଦେଖାଦେଇଛି ଅସନ୍ତୋଷ ।
ଆଇଗିଣିଆ ଓଭରବ୍ରିଜ୍ ଦବିବା ଘଟଣା (ETV Bharat Odisha) ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିଲା । ତେବେ ଏହି ରାସ୍ତା ୬ ମାସ ପୂର୍ବରୁ ତିଆରି ହୋଇଥିଲା । ତେବେ ଆଜି ସକାଳୁ ଅଘଟଣ ଘଟିଥିବା ପୋଲ ପରିଦର୍ଶନ କରିଛନ୍ତି ମେୟର । କେଉଁ ପରିପ୍ରେକ୍ଷୀରେ ପୋଲ ଦବିଲା, ଯାତାୟାତ ସମୟରେ ଲୋକଙ୍କର କଣ ଅସୁବିଧା ହେଉଛି ଏସବୁ ବୁଲି ଦେଖିଥିଲେ ମେୟର । ଏହାପରେ ଜାତୀୟ ପ୍ରାଧିକରଣ ବିଭାଗ ସହ ପୋଲ ନିର୍ମାଣକାରୀ ସଂସ୍ଥା ଉପରେ ପ୍ରବଳ ବର୍ଷିଥିଲେ ମେୟର ସୁଲୋଚନା ଦାସ । ତେବେ ୧୬ ନମ୍ବର ଜାତୀୟ ରାଜପଥ ଦବିବା ଘଟଣାରେ NHAIକୁ ଦୋଷ ଦେବା ସହିତ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛି ବିଏମସି । ଓଭର୍ ବ୍ରିଜ ନିର୍ମାଣର ୬ ମାସ ଭିତରେ ରାସ୍ତା ଦବିବା ଆଶ୍ଚର୍ଯ୍ୟର ବିଷୟ ଏବଂ ବ୍ୟସ୍ତ ବହୁଳ ରାସ୍ତାର ଏଭଳି ଅବସ୍ଥା ମୃତ୍ୟୁକୁ ନିମନ୍ତ୍ରଣ କରୁଛି ବୋଲି କହିଛନ୍ତି ମେୟର ।
ସେ ଆହୁରି ମଧ୍ୟ କହିଛନ୍ତି, "ଖାଲି ଏ ବ୍ରିଜ ନୁହେଁ ସମସ୍ତ ନିର୍ମାଣଧିନ ବ୍ରିଜ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏଣୁ ଟେକ୍ନିକାଲ ଟିମ୍ ଆସି ଯାଞ୍ଚ କରିବେ । ରାସ୍ତା ଦବିବାର ସତ୍ୟାସତ୍ୟ କାରଣ ଜାଣିବା ନିହାତି ଦରକାର । ନଚେତ୍ ବିହାର ଭଳି ଅବସ୍ଥା ଓଡ଼ିଶାରେ ମଧ୍ୟ ହେବ । NHAIର ଯେଉଁମାନେ ରାସ୍ତା କାମ ପାଇଁ ଟେଣ୍ଡର ନେଉଛନ୍ତି ସେମାନେ ନିମ୍ନମାନର କାମ କରୁଛନ୍ତି ଏଥିରୁ ସ୍ପଷ୍ଟ ହୋଇଛି । ଏଣୁ ଏହାର ଯାଞ୍ଚ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। "
ସେ ଆହୁରି ମଧ୍ୟ କହିଛନ୍ତି " NHAI ଅନେକ କାମରେ ଅବହେଳା କରୁଛି । ଯାହାଦ୍ୱାରା ବିଏମସି ଦୋଷ ମୁଣ୍ଡାଉଛି । ଇସ୍କନରେ ଏନଏଚଏଆଇର ତ୍ରୁଟିପୂର୍ଣ୍ଣ ପ୍ଲାନ ପାଇଁ ଜଳବନ୍ଦୀ ହେଉଛି । ଅନେକ ଡ୍ରେନ୍ କାମ NHAI ଯୋଗୁଁ ଅଟକି ରହିଛି । ଫଳରେ ଜଳବନ୍ଦୀ ସମସ୍ୟା ହେଉଛି ।" ପୂର୍ବରୁ ଖଣ୍ଡଗିରି ଓଭରବ୍ରିଜ ବାରମ୍ବାର ମରାମତି ହୋଇଥିଲା । ଜୁନ ୧୦ ସୁଦ୍ଧା ହଂସପାଳ ଓଭର୍ ବ୍ରିଜ କାମ ଶେଷ କରିବାକୁ କୁହାଯାଇଥିଲା, କିନ୍ତୁ କାମ ସରିଲା ନାହିଁ । ଯାହା ଫଳରେ ଦୁର୍ଘଟଣା ଘଟିବା ସହିତ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।" ତେଣୁ ଏ ସବୁ ଦିଗରେ ଧ୍ୟାନ ଦେଇ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ତୁରିତ କାର୍ଯ୍ୟନୁଷ୍ଠାନ ନେଲେ ବିରାଟ ବଡ ବିପଦରୁ ଲୋକମାନେ ରକ୍ଷା ପାଇପାରିବେ ବୋଲି କହିଛନ୍ତି ମେୟର ।
ଏହା ମଧ୍ୟ ପଢ଼ନ୍ତୁ.. ରାଜଧାନୀରେ ଧସିଲା ଜାତୀୟ ରାଜପଥ: ଦବିଲା ଆଇଗେଣିଆ ଫ୍ଲାଇଓଭର, ଫସିଲା ୪୦୭ - NH 16 Roadslide In Bhubaneswar
ଅନ୍ୟପଟେ ଆଇଗିଣିଆ ଓଭର୍ ବ୍ରିଜ ଦବିବା ଘଟଣାରେ ଓଭର ବ୍ରିଜରେ ଜଳବନ୍ଦୀ ହେବା ଦ୍ବାରା ସିପେଜ୍ ହୋଇ ରାସ୍ତା ଦବିଥିବା କହିଛନ୍ତି ଏନଏଚଆଇର ରିଜିଓନାଲ ଅଫିସର୍ ବିରେନ୍ଦ୍ର ସିଂହ। ସେ କହିଛନ୍ତି "ପ୍ରକଳ୍ପ ନର୍ଦ୍ଦେଶକ ମାନଙ୍କୁ ଯାଞ୍ଚ କରିବା ଦାୟିତ୍ବ ଦିଆଯାଇଛି। କେବଳ ଆଇଗେଣିଆ ନୁହେଁ ଅନ୍ୟ ବ୍ରିଜରେ ମଧ୍ୟ ଜଳବନ୍ଦୀ ସମୟରେ ଯାଞ୍ଚ କରି ରାସ୍ତା ତଦାରଖ ଓ ମରାମତି କରିବାକୁ କୁହାଯାଇଛି। ତଦନ୍ତ ପରେ ଯଦି ଜଣାଯାଏ ଯେ ଆଇଗିଣିଆ ରାସ୍ତା କାମରେ ଠିକାଦାରର ଅବହେଳା ହୋଇଛି ନିମ୍ନମାନର କାମ ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ହେବ।" ସେହିପରି ହଂସପାଳ ଓଭରବ୍ରିଜ ନିର୍ମାଣ ଶେଷ କରିବା ଘଟଣା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଓଭରବ୍ରିଜ କାମ ଗତବର୍ଷ ଠାରୁ ଶେଷ ହେବାର ଥିଲା ଏବେ ସୁଦ୍ଧା ହୋଇପାରିଲା ନାହିଁ। ଯେଉଁମାନେ ଟେଣ୍ଡର ନେଇଥିଲେ କାମ ସାରି ପାରିଲେ ନାହିଁ। ଆସନ୍ତା ଜୁଲାଇ ୩୧ରୁ କଟକ ଭୁବନେଶ୍ୱର ଓଭରବ୍ରିଜକୁ ଖୋଲାଯିବ। ଭୁବନେଶ୍ବରରୁ କଟକକୁ ସଂଯୋଗ କରୁଥିବା ଓଭରବ୍ରିଜ କାମ ପାଇଁ ଆଉ କିଛି ସମୟ ଲାଗିବ ବୋଲି କହିଛନ୍ତି ବିରେନ୍ଦ୍ର ସିଂହ।
ଇଟିଭି ଭାରତ, ଭୁବନେଶ୍ବର