ଭୁବନେଶ୍ବର:ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଜେଡିର ଜନଜାଗରଣ ଯାତ୍ରା । ସପ୍ତାହେ ବ୍ୟାପି ଚାଲିବ ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ସମ୍ପର୍କରେ ଦଳର ସମନ୍ୱୟ କମିଟି ପକ୍ଷରୁ ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ପରିଷଦ ସଭାପତି, ପୌରାଞ୍ଚଳର ମେୟର ଓ ଅଧ୍ୟକ୍ଷ ଏବଂ ବ୍ଲକ ଓ ନଗର ସଭାପତିଙ୍କୁ ଚିଠି ଲେଖାଯାଇଛି । ସେପଟେ ବିଜେଡିର ଜନଜାଗରଣକୁ ସମାଲୋଚନା କରିଛନ୍ତି ବିରୋଧୀ ।
ବିଜେପିର ପ୍ରତିଶ୍ରୁତି ପାଣିର ଗାର:
ବିଜେଡିର ସମନ୍ୱୟ କମିଟି ପକ୍ଷରୁ ଚିଠିରେ ଦର୍ଶାଯାଇଛି,"ରାଜ୍ୟରେ ସମସ୍ତ ଭତ୍ତାଧାରୀଙ୍କ ମାସିକ ଭତ୍ତାକୁ ୩୦୦୦ ଓ ୩୫୦୦କୁ ବୃଦ୍ଧି କରିବାକୁ ବିଜେପି ନିର୍ବାଚନ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବିଜେପି ସରକାରଙ୍କ ବଜେଟରେ ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟ ଭତ୍ତାଧାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଛି ।ଏହା ଦ୍ଵାରା ୫୨ ଲକ୍ଷ ଭତ୍ତାଧାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହେବେ । ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଏହି କାରଣରୁ ସମସ୍ତ ଭତ୍ତାଧାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ କାଳକ୍ଷେପଣ କରିବା ବିରୁଦ୍ଧରେ ଜନଗଣଙ୍କୁ ଜାଗ୍ରତ କରିବା ପାଇଁ ଦାୟିତ୍ଵସମ୍ପନ୍ନ ବିରୋଧୀ ଦଳ ଭାବେ ବିଜେଡି ଅଙ୍ଗୀକାରବଦ୍ଧ ।"
ପ୍ରତୀକାତ୍ମକ ଭାବେ ଜନସଚେତନତା କାର୍ଯ୍ୟକ୍ରମ:
ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, "ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବାଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଜନସଚେତନତା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଦଳ ପକ୍ଷରୁ କାଲିରୁ ସପ୍ତାହେ ମଧ୍ୟରେ ଯେକୌଣସି ଦିନ ପ୍ରତୀକାତ୍ମକ ଭାବେ ପଞ୍ଚାୟତ ଗ୍ରାମୀଣ, ବ୍ଲକ ସ୍ତରରେ ଗ୍ରାମବାସୀ ଓ ଭତ୍ତାଧାରୀଙ୍କୁ ଅବଗତ କରିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ କରିବେ । ଏହି ଜନଜାଗରଣ କାର୍ଯ୍ୟକ୍ରମର ବିବରଣୀ ହ୍ବାଟ୍ସଆପ ନମ୍ବର ୭୬୫୫୦୫୭୬୮୫ ଜରିଆରେ ନିଜ ଅଞ୍ଚଳ ବା ନିର୍ବାଚନ ମଣ୍ଡଳୀର ନାମ ଲେଖି ଶଙ୍ଖ ଭବନକୁ ପଠାଇବାକୁ କୁହାଯାଇଛି ।"