ରାଇରଙ୍ଗପୁର: ନିର୍ବାଚନକୁ ଆଉ ଦିନ କେଇଟା ବାକି ଅଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପରେ ଲୋକସଭା ଆସନ ଓ ବିଧାନସଭା ଆସନ ହାତେଇବାକୁ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି ପ୍ରାର୍ଥୀ । ତେବେ ମୟୂରଭଞ୍ଜ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇସାରିଛି । ଏଥି ସହିତ ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ବାରି ହୋଇ ପଡ଼ିଲାଣି । ସାଙ୍ଗଠନିକ ସ୍ଥିତିକୁ ସୃଦୃଢ଼ କରି ଆଗାମୀ ନିର୍ବାଚନ ବୈତରଣୀ ପାର କରିବା ପାଇଁ ବିଜେଡି ପ୍ରାର୍ଥୀ କସରତ ଆରମ୍ଭ କରି ଦେଇଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କ ନାମ ଘୋଷଣା ପରେ ନିର୍ବାଚନୀ ପ୍ରଚାର ଶୁଭାରମ୍ଭ ହେବା ସହ ପ୍ରଚାର ମଇଦାନ ବି ସରଗରମ ହୋଇ ଉଠିଛି ।
ନିର୍ବାଚନକୁ ଦୃଷ୍ଟିରେ ରଖି ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ଠାରେ ଆଜି ବିଜେଡ଼ି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ଅଞ୍ଚଳବାସୀ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଜିର ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ରହି ଉଭୟ ପ୍ରାର୍ଥୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଗୁରୁତ୍ୱ ଦେଇ ଆସୁଥିବାବେଳେ ଆଗାମୀ ନିର୍ବାଚନରେ ମଧ୍ୟ ବିପୁଳ ପରିମାଣରେ ଜନସାଧାରଣ ସମର୍ଥନ ଜଣାଇବେ ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁଦାମ ।
ଏହି ଅବସରରେ ଉଭୟ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ନିର୍ବାଚନ ମଣ୍ଡଳୀରେ ଅନବରତ ଜାରି ରଖିବା ପାଇଁ ସଦା ସର୍ବଦା କାର୍ଯ୍ୟରତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ପ୍ରାର୍ଥୀ । ତେବେ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ସେଥି ପାଇଁ ଧନ୍ୟବାଦ ଜଣାଇବା ସହ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି । ସାଧାରଣ ଜନତାଙ୍କ ସ୍ୱରକୁ ନେଇ ସଂସଦ ଭବନ ଓ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡ଼ିଛନ୍ତି ପ୍ରାର୍ଥୀ ।