ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କ ଗୁରୁମନ୍ତ୍ର ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ଏହାପୂର୍ବରୁ ସୋମବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଏହି ବୈଠକରେ ନିଜ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଧାନସଭାରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଭାଗ ନେବା ସହ ବିରୋଧୀଙ୍କୁ ସାମ୍ନା କରିବା ଲାଗି ମନ୍ତ୍ର ଦେଇଛନ୍ତି ନବୀନ ।
ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନସଭାର ଏହା ଶେଷ ଅଧିବେଶନ । ଶେଷ ଅଧିବେଶନ ପୂର୍ବରୁ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ବୈଠକ ଅନୁଷ୍ଠିତ ହୋଇଥିଲା । ଦିନ 10.30ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବିରୋଧୀଙ୍କୁ ସାମ୍ନା କରିବା ଲାଗି ଦଳୀୟ ବିଧାୟକଙ୍କୁ ମନ୍ତ୍ର ଫୁଙ୍କିଥିଲେ ବିଜେଡି ସୁପ୍ରିମୋ । ଗୃହକାର୍ଯ୍ୟରେ ସମ୍ପୂର୍ଣ୍ଣ ସାମିଲ ହୋଇ ଭାଗ ନେବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ, " ବିଧାନସଭାରେ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ରୁହ । ଗୃହ କାର୍ଯ୍ୟରେ ସାମିଲ ହୁଅ ।"
ଏହାମଧ୍ୟ ପଢନ୍ତୁ...ବିଧାନସଭା ବଜେଟ ଅଧିବେଶନ ଆରମ୍ଭ, ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି
ଏନେଇ ବିଧାନସଭାରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ବିଧାନସଭାର ଏହା ଏକ ସ୍ୱଳ୍ପକାଳୀନ ଓ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ । ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଭାଗ ନେବାକୁ ପରାମର୍ଶ ଦିଆଯାଇଛି । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ବିଜେଡି ତା'ର ସମ୍ମୁଖୀନ ହେବ । ଓଡ଼ିଶାର ପ୍ରଗତିକୁ ନେଇ ନିଜକୁ ସାମିଲ କରିବ । ଭୁବନେଶ୍ୱରରେ ପ୍ରଥମ ବିଶ୍ଵ ଭାଷା ସମ୍ମିଳନୀ ଆୟୋଜନ ହେଉଛି । ସବୁ ଦିଗକୁ ନଜରରେ ରଖି ଆମେ ଆଲୋଚନା କରିବୁ ।"
ବିଜେଡି ବିିଧାୟକ ଦଳ ବୈଠକରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପସଭାପତି ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲଙ୍କ ସମେତ ସମସ୍ତ ଯୁବ ଓ ଅଭିଜ୍ଞ ବିଧାୟକମାନେ ଉପସ୍ଥିତ ଥିଲେ । ସେହିପରି ସୋମବାର ପୂର୍ବାହ୍ନରେ ମଧ୍ୟ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରଙ୍କୁ ଘେରିବା ଲାଗି ବିରୋଧୀ ଯୋଜନା ପ୍ରସ୍ତୁତ କରିଥିଲେ । ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଥିବାବେଳେ ମଙ୍ଗଳବାର ଓ ବୁଧବାର ଧନ୍ୟବାଦ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଫେବ୍ରୁଆରୀ 8ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଏବଂ 9 ତାରିଖରେ ବଜେଟ ଉପରେ ଆଲୋଚନା ହେବ ।
ଇଟିଭି ଭାରତ, ଭୁବନେଶ୍ୱର