ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଜଣେ ଅଭିଜ୍ଞ ଓ ବିଚକ୍ଷଣ ନେତା ଭାବେ ଜଣାଶୁଣା ଦାମୋଦର ରାଉତ । ରାଜନୀତିର ମହାଦ୍ରୁମ ଭାବରେ ପରିଚିତ ଥିଲେ ସେ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଏକାଧିକ ଥର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖୁବ୍ ଘନିଷ୍ଠ ଥିଲେ ଦାମ । ନିଜ ସ୍ପଷ୍ଟବାଦିତା ଓ ରୋକଠୋକ୍ ବୟାନ ପାଇଁ ଚର୍ଚ୍ଚାରେ ରହୁଥିଲେ । ଆଜି ଓଡ଼ିଶା ଏଭଳି ଜଣେ ଦକ୍ଷ ନେତାଙ୍କ ହରାଇଛି । ଏହି ଭେଟେରାନ ରାଜନେତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ।
ଅଫେରା ରାଇଜରେ ଓଡ଼ିଶା ରାଜନୀତିର ‘ମହାଦ୍ରୁମ’ ଦାମ ରାଉତ ଦାମ ରାଉତଙ୍କ ରାଜନୈତିକ କ୍ୟାରିଅର:
୭ ଥରର ବିଧାୟକ ଥିଲେ ଦାମ ରାଉତ:୧୯୭୭ରେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ଜଗତସିଂହପୁରର ବାଲିକୁଦା-ଏରସମା ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ଦ୍ବିତୀୟ ଥର ନିର୍ବାଚିତ ହୋଇଥିଲେ ଦାମ । ୧୯୭୭ରୁ ୧୯୮୫ ମସିହା ଯାଏ ଜନତା ଦଳ ବିଧାୟକ ରହିଥିଲେ । ଏହାପରେ ୧୯୯୫ ମସିହାରେ ସେ ପରାଜିତ ହୋଇଥିଲେ । ପରେ ୨୦୦୨ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୨ରୁ ୨୦୦୯ ବିଜେଡି ଟିକେଟରେ ଏରସମାରୁ ଏବଂ ୨୦୦୯ରୁ ୨୦୧୯ ପାରଦ୍ବୀପରୁ ବିଧାନସଭାକୁ ଯାଇଥିଲେ । ବିଜୁ ଓ ନବୀନ ସରକାରରେ ୭ରୁ ଅଧିକ ବିଭାଗର ମନ୍ତ୍ରୀପଦ ଦାୟିତ୍ବ ପାଇଥିଲେ ଦାମ ରାଉତ । ସେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସାମାଜିକ କଲ୍ୟାଣ, ପଞ୍ଚାୟତରାଜ ଓ ଅବକାରୀ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସମ୍ପର୍କ, ସଂସ୍କୃତି, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ:କିନ୍ତୁ ୨୦୧୮ ମସିହାରେ ବିବାଦୀୟ ମନ୍ତବ୍ୟ ପାଇଁ ଦାମଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରିଥିଲେ ସଭାପତି ନବୀନ ପଟ୍ଟନାୟକ । ଓମଫେଡ୍ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମ ସରକାରକୁ ଅଡୁଆରେ ପକାଇଥିଲେ । ବହିଷ୍କୃତ ହେବାର କିଛି ଦିନ ପରେ ସେ ବିଜେପିରେ ମିଶିଥିଲେ । ଏମିତିକି ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ଏରସମା-ବାଲିକୁଦା ଆସନରୁ ପ୍ରାର୍ଥୀ କରିଥିଲା । କିନ୍ତୁ ଗତଥର ନିର୍ବାଚନ ପରାଜିତ ହୋଇଯାଇଥିଲେ ଦାମ । ପରବର୍ତ୍ତୀ ସମୟରେ ସେ ବିଜେପି ଛାଡି ଦେଇଥିଲେ ।
ଜାନୁଆରୀରେ ହଟିଥିଲା ବହିଷ୍କାର ଆଦେଶ: ବିଜେପି ଛାଡିବା ପରେ ସକ୍ରିୟ ରାଜନୀତିରୁ କିଛି ଦିନ ଦୂରେଇ ରହିଥିଲେ ଦାମ ରାଉତ । ଏହାପରେ ସେ ଅସୁସ୍ଥ ହୋଇପଡିଥିଲେ । ସୁସ୍ଥ ହେବା ପରେ ପୁଅ ସହିତ ନିର୍ବାଚନ ମଣ୍ଡଳୀ ବୁଲାବୁଲି କରୁଥିଲେ । ହେଲେ ପରେ ପୁଣିଥରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେ ବହୁଦିନ ଧରି କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଗତ ଜାନୁଆରୀରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଥିଲା । ଏବେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ବିଧାୟକ ଭାବେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - Damodar Rout Passes Away
୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମାଳିପୁର ଗାଁରେ ଦାମୋଦର ରାଉତଙ୍କ ଜନ୍ମ । ତାଙ୍କ ବାପାଙ୍କ ନାମ ଥିଲା କପିଳ ଚରଣ ରାଉତ । ପତ୍ନୀଙ୍କ ନାମ ଥିଲା ସ୍ନେହା ରାଉତ ।