ଭୁବନେଶ୍ୱର:ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । 5 ସଂସଦୀୟ କ୍ଷେତ୍ର ପାଇଁ ନୂଆ ସଂଯୋଜକ ନିଯୁକ୍ତ କଲା ବିଜୁ ଜନତା ଦଳ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ର ଶେଖର ସାହୁ, ଭଦ୍ରକରେ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡାରେ ପ୍ରତାପ ଜେନା, କଳାହାଣ୍ଡିରେ ସୁଜିତ କୁମାର ଓ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ସୁବାଷ ଖୁଣ୍ଟିଆଙ୍କୁ ସଂଯୋଜକ ଦାୟିତ୍ୱ ପ୍ରଦାନ କରିଛି ଦଳ । ତେବେ ଏନେଇ ଦଳୀୟ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କିଛି ଦିନ ତଳେ ଦଳର ଉପସଭାପତି ଓ ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ମଧ୍ୟ ତାଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତେବେ ଗଞ୍ଜାମ ରାଜନୀତିରେ ଚନ୍ଦ୍ରଶେଖର ବେଶ ଟାଣୁଆ ନେତା ଭାବେ ଜଣାଶୁଣା । 2019 ଲୋକସଭା ନିର୍ବାଚନରେ ସେ ବିଜେଡିରୁ ପ୍ରତିଦ୍ୱନ୍ଦିତା କରି 94, 844 ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ଭୃଗୁ ବକ୍ସିପାତ୍ରଙ୍କୁ ହରାଇଥିଲେ ।
ସେହିଭଳି ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ଦାୟିତ୍ୱ ମିଳିଥିବା ଦେବାଶିଷ ସାମନ୍ତରାୟ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱବହନ କରନ୍ତି । ବିଜେଡିରୁ ଲଢି ସେ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । 2000 ମସିହାରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଲଢି ବିଜୟ ହୋଇଥିଲେ । ଏହାପରେ 2009 ଓ 2024ରେ ବାରବାଟୀ- କଟକ ଆସନରୁ ଲଢି ବିଧାନସଭା ଯାଇଥିଲେ ।