ଭୁବନେଶ୍ବର:2024 ସାଧାରଣ ନିର୍ବାଚନକୁ ନେଇ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଥମିବାର ନାମ ନେଉ ନାହିଁ । ଘନ ଘନ ବୈଠକ ସାଙ୍ଗକୁ ଦିଲ୍ଲୀ ଡକରା ଚର୍ଚ୍ଚାକୁ ଆହୁରି ରୋଚକ କରୁଛି । କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୁଏ ଏଥିରୁ କେତେ ଫାଇଦା ପାଇପାରିବ କଂଗ୍ରେସ ? ବର୍ତ୍ତମାନ ବିରୋଧି କଂଗ୍ରେସ ପାଇଁ ଏହା ଏକ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।
କଂଗ୍ରେସର ଅନ୍ନ-ପ୍ରାସନ୍ନ:ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ବାହାଘର କରାଇ ବେଶ ଚର୍ଚ୍ଚା ସାଉଁଟି ଥିଲା କଂଗ୍ରେସ । ଏବେ ନିକଟରେ ବିଜେଡି-ବିଜେପି ଔରସରୁ ଜନ୍ମିତ ପିଲାର ଅନ୍ନ ପ୍ରାସନ୍ନ କରାଇଛି । କିନ୍ତୁ ଚର୍ଚ୍ଚା ଯଦି ବାସ୍ତବିକରେ ପରିଣତ ହୁଏ ଅର୍ଥାତ ଯଦି ମେଣ୍ଟ ହେଉଛି ଏଥିରୁ କେତେ ଫାଇଦା ଉଠାଇପାରିବ କଂଗ୍ରେସ । ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, କଂଗ୍ରେସ ପ୍ରସ୍ତୁତ ନାହିଁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଯେଉଁ ବିଦ୍ରୋହୀମାନେ ବିଜେଡି-ବିଜେପି ଛାଡି ଆସିବେ ଆମେ ସେମାନଙ୍କୁ ସ୍ବାଗତ କରିବୁ ।
ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସଙ୍କ ପ୍ରତିକ୍ରିୟା:ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଫାଇଦା କାହାର ହେବ ? ଦୁଇ ଜଣଙ୍କ ମେଣ୍ଟ ମଧ୍ୟରେ କଂଗ୍ରେସ ଫାଇଦା ଉଠାବାର ସମ୍ଭାବନା ରହିଛି । କିନ୍ତୁ କଂଗ୍ରେସ ପାଖରେ କଣ ସେହି ନ୍ୟାରେଟିଭ ଅଛି ଲୋକଙ୍କ ପାଖକୁ ଯିବା ପାଇଁ ? ବର୍ତ୍ତମାନ ସମସ୍ତଙ୍କ ମନରେ ଏହି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗାଁ ସ୍ତରରେ, ବ୍ଲକ ସ୍ତରରେ ଲୋକଙ୍କ ପାଖରେ ଏହି ନ୍ୟାରେଟିଭ ନେଇ ପହଞ୍ଚି ପାରିଛି କି କଂଗ୍ରେସ । ମେଣ୍ଟ ରାଜନୀତିକୁ ନେଇ ସରଗରମ ସ୍ଥିତି ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ କରୁଛି କଣ ।
ଏନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, " ଏହି ମେଣ୍ଟ ଚର୍ଚ୍ଚା ମଧ୍ୟରେ କୌଣସି ମଧ୍ୟ ଲୋକ ଭାବିବେ କଂଗ୍ରେସ ଫାଇଦା ପାଇବ । ବଡ଼ କଥା ହେଲା କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ଅଛି କି ? ସେମାନେ କାହିଁକି ମେଣ୍ଟ କରୁଛନ୍ତି । ସେମାନେ ନିଶ୍ଚିତ ହୋଇସାରିଛନ୍ତି କଂଗ୍ରେସ ରାଜ୍ୟରେ ଦୁର୍ବଳ ଅଛି । ସେମାନଙ୍କର ମେଣ୍ଟ ହେଲେ ମଧ୍ୟ କଂଗ୍ରେସ ଫାଇଦା ନେଇପାରିବ ନାହିଁ । କଂଗ୍ରେସର ଭୋଟ ହାର 15 ପ୍ରତିଶତ ରହିଛି । ଏହା ବଢିଲେ ଆଉ 5 ପ୍ରତିଶତ ବଢିପାରେ । ଏବେ ଅନେକ ମାଛ କଂଗ୍ରେସ ଆଡେ ଆକୃଷ୍ଟ ହୋଇ ଆସିବେ । କିନ୍ତୁ ଜିଲ୍ଲା ଓ ବ୍ଲକ ସ୍ତରରେ ଜାଲ ବିଛାଇଛି କି କଂଗ୍ରେସ । ବାହାଘର ହୋଇଗଲା ଛୁଆ ହୋଇଗଲା । 10ଟି ଦୁର୍ନୀତି କଥା କହିଲେ । ଅଲଗା ଉପାୟରେ ବି କହିପାରିଥାନ୍ତେ । କିନ୍ତୁ ବ୍ଲକ ସ୍ତର ଏବଂ ଜିଲ୍ଲା ସ୍ତରରେ କଂଗ୍ରେସ ସେପରି ପ୍ରସ୍ତୁତ ଥିବା ଜଣାପଡୁନାହିଁ ।" ତେଣୁ ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଉଛି ଦୁର୍ବଳ କଂଗ୍ରେସ ଏଥିରୁ ଲାଭ ଉଠାଇପାରିବା ପରି ମନେ ହେଉନାହିଁ । କଂଗ୍ରେସର ତୃଣମୂଳ ସ୍ତରରେ ରଣନୀତି ନାହିଁ । ଯାହାକି କଂଗ୍ରେସର ରାଜନୈତିକ ଭବିଷ୍ୟତକୁ ଅନ୍ଧାର ଆଡକୁ ଠେଲି ଦେଇଛି ବୋଲି କହିଛନ୍ତି ରବି ଦାସ ।