ଉପରବେଡ଼ା (ମୟୂରଭଞ୍ଜ) : ଆଜି (ଶୁକ୍ରବାର) ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ଜନ୍ମମାଟି ଉପରବେଡ଼ାରେ ପହଞ୍ଚିବା ପରେ, ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ଗ୍ରାମବାସୀ । ରାଷ୍ଟ୍ରପତି ପ୍ରଥମେ ଉପରବେଡ଼ା ସରକାରୀ ୟୁପି ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତସୂଚୀ:
କଲେଇକୁଣ୍ଡା ଏୟାରବେସରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ବ୍ଲକ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା ୦୫ ସମୟରେ ଅବତରଣ କରିଥିଲେ ମହାମହିମ । ସେଠାରୁ ସଡ଼କ ପଥରେ ନିଜ ଜନ୍ମଭୂମି ଉପରବେଡା ପହଞ୍ଚି ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କ ସହିତ ଭାବ ବିନିମୟ କରିଛନ୍ତି । ପରେ କମଳା ବିମଳା ଉଚ୍ଚ ବିଦ୍ୟାଳୟରେ ସଭା । ସେଠାରୁ ନିଜ ପୈତୃକ ଘରେ ପହଞ୍ଚି ପୁତୁରା ଓ ପୁତୁରା ବୋହୂଙ୍କ ସମେତ ଆତ୍ମୀୟଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ । ୧ଟା ୦୫ ସମୟରେ ଉପରବେଡା ଗ୍ରାମରୁ ବାହାରି ସଡ଼କ ପଥରେ ସ୍ବତନ୍ତ୍ର କାରକେଡ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଇରଙ୍ଗପୁର ପହଞ୍ଚିବେ ମହାମହିମ । ରାଇରଙ୍ଗପୁର ପହଞ୍ଚି ନିଜ ବାସଭବନରେ ମଧ୍ୟାହ୍ନ ଭୋଜନ କରିବେ ।
- ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ୧୧ଟା ୦୫ ସମୟରେ ଅବତରଣ
- ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯିବେ ରାଷ୍ଟ୍ରପତି
- 12.05ରେ କମଳା ବିମଳା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକ୍ରମରେ ଯୋଗଦାନ
- ୧୨ଟା ୨୫ ସମୟରେ ଆତ୍ମୀୟଙ୍କୁ ଭେଟିବେ ରାଷ୍ଟ୍ରପତି
- ୧ଟା ୦୫ ସମୟରେ ସ୍ବତନ୍ତ୍ର କାରକେଡରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି
ପରେ ଅପରାହ୍ନ ୩.୧୦ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପହଞ୍ଚି ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବେ। ଅପରାହ୍ନ ୪ଟା ୫୦ ସମୟରେ ରାଇରଙ୍ଗପୁର ସ୍ଥିତ ପୁର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ସେଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତି ଉନ୍ମୋଚନ କରିବା ସହିତ ଆଳତୀ କରିବା ପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ଆସି ରାତ୍ରିଭୋଜନ ଓ ରାତ୍ରିଯାପନ କରିବେ ।
ପିଲାଦିନର ସାଙ୍ଗଙ୍କୁ ଭେଟିବେ ମହାମହିମ:
ମହାମହିମଙ୍କ ପିଲାଦିନର ସାଙ୍ଗ ମୁଚିରାମ ଡାଙ୍ଗିଲ କହିଛନ୍ତି, "ସେ ଛୋଟ ଥିଲାବେଳେ ଭଲ ପାଠ ପଢୁଥିଲେ । ମୁଚିରାମ ମଧ୍ୟ ମ୍ୟାଡାମ ପ୍ରେସିଡେଣ୍ଟଙ୍କ ମଙ୍ଗଳ କାମନା କରି "ଆହୁରି ନାଁ କମାନ୍ତୁ ଓ ଦେଶ ସମାଜ ପାଇଁ ଆହୁରି ଭଲ ଭଲ କାମ କରନ୍ତୁ" ବୋଲି କହିଛନ୍ତି। ଆସନ୍ତାକାଲି ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଚିରାମଙ୍କୁ ମଧ୍ୟ ଡାକରା ହୋଇଛି । ସେ ବି ମହାମହିମଙ୍କ ସହିତ ଭାବ ବିନିମୟ କରିବେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବମୋଟ ୧୮ ଜଣ ସହପାଠୀଙ୍କ ମଧ୍ୟରୁ ମୁଚିରାମ ବି ଅଛନ୍ତି । ତା ସହିତ ସେହି ୧୮ ଜଣଙ୍କ ମଧ୍ୟରୁ ମହାମହିମଙ୍କ ଅତି ଘନିଷ୍ଠ ସାଙ୍ଗ ତୋପତୀ ମଣ୍ଡଳ ମଧ୍ୟ ରହିଛନ୍ତି। ତୋପୋତୀ ମଧ୍ୟ ଆସନ୍ତାକାଲି ମହାମହିମଙ୍କୁ ଭେଟିବାର ସୁଯୋଗ ପାଇବେ । ଯାହାକୁ ନେଇ ଅତ୍ୟନ୍ତ ଖୁସି ଓ ଉତ୍ସାହିତ ଥିବା କହିଛନ୍ତି । ନିଜ ସାଙ୍ଗକୁ ଦୁଃଖସୁଖ ସମ୍ବନ୍ଧୀୟ ଏକ ଚିଠି ଦେବେ ବୋଲି କହିଛନ୍ତି ତୋପୋତି । ରାଷ୍ଟ୍ରପତି ହେବା ପରେ ମଧ୍ୟ ଦ୍ରୌପଦୀ ଭୁଲି ନାହାନ୍ତି ବୋଲି କହିଛନ୍ତି ତୋପୋତି ମଣ୍ଡଳ ।