ବ୍ରହ୍ମପୁର: ମେୟର ସଂଘମିତ୍ରା ଦଳେଇଙ୍କୁ ଫୋନରେ ଗାଳିଗୁଲଜ କରିବା ସହିତ ଧମକ ଦିଆଯିବା ଅଭିଯୋଗ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ଦାସଙ୍କ ନାମରେ ଏହି ଅଭିଯୋଗ ଆସିଛି । ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରାଙ୍କ ଏତଲା ଆଧାରରେ ବ୍ରହ୍ମପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।
କ'ଣ ଥିଲା ଘଟଣା ?
ଗତ ୨୯ ତାରିଖ ଦିନ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ ନିଜ କାର୍ଯ୍ୟାଳୟରେ ବସିଥିବାବେଳେ ଅପରାହ୍ନ ପ୍ରାୟ ୪ଟା ୪୮ ମିନିଟ ସମୟରେ ୯୦୭୮୦୯୦୨୫୨ ନମ୍ବରରୁ ତାଙ୍କ ଫୋନକୁ ଏକ କଲ ଆସିଥିଲା । ଏହି କଲଟି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ଦାସଙ୍କ ବୋଲି ଜାଣିବା ପରେ ମେୟର କଥାବାର୍ତ୍ତା କରିଥିଲେ । ହେଲେ କଥାବାର୍ତ୍ତା ସମୟରେ ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୁଆଡେ ମେୟରଙ୍କୁ ହଠାତ୍ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିବା ମେୟର ଅଭିଯୋଗ କରିଛନ୍ତି । ଯନ୍ତ୍ରୀଙ୍କ ଏପରି ବ୍ୟବହାର ହଠାତ ମେୟରଙ୍କୁ ଚକିତ କରିଥିଲା । ଯାହାକୁ ନେଇ ସେ ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କ ଫୋନ କଲ କାଟିଦେଇଥିଲେ । ହେଲେ ପୁଣି ଥରେ ନିର୍ବାହୀ ଯନ୍ତ୍ରୀ ଜଣଙ୍କ ୪ଟା ୫୩ ମିନିଟ୍ ସମୟରେ ଫୋନ କରି ପୁର୍ନବାର ମେୟରଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । "ସେ କେଉଁ ପରିସ୍ଥିତିରେ ଏଭଳି କହିଛନ୍ତି, ତାହା ମୁଁ ଜାଣିବାକୁ ଚାହେଁନାହିଁ । ମୋତେ ନ୍ୟାୟ ଦରକାର" ବୋଲି କହିଛନ୍ତି ମେୟର ସଙ୍ଘମିତ୍ରା ଦଳେଇ ।
ଜୀବନ ପ୍ରତି ବିପଦ କହିଲେ ମେୟର:
ମେୟର ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଏତଲାରେ ଦର୍ଶାଇଛନ୍ତି । ଏହି ସମୟରେ ମେୟରଙ୍କ କାର୍ଯ୍ୟାଳୟରେ ତାଙ୍କ ଷ୍ଟେନୋ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ଅର୍ବାନ ବ୍ୟାଙ୍କ ସଭାପତି ଆର ମୂରଲୀ ମୋହନ, ୨୧ନମ୍ବର ୱାର୍ଡ କର୍ପୋରେଟରଙ୍କ ସମେତ ମୁକୁନ୍ଦ ଗୌଡ ନାମକ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଣଙ୍କ ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ମହାନଗର ନିଗମରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ । ନିକଟରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ତାଙ୍କର ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେ ଏପରି ମେୟରଙ୍କୁ ଟେଲିଫୋନ ଯୋଗେ ବାରମ୍ବାର ଧମକ ଦେଇଥିବା ଅଭିଯୋଗ ହୋଇଛି ।
ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ମାମଲା ରୁଜୁ:
ମେୟରଙ୍କଠାରୁ ଲିଖିତ ଏତଲା ପରେ ବ୍ରହ୍ମପୁର ସହରର ଟାଉନ ଥାନାରେ ପୋଲିସ ପକ୍ଷରୁ ପୂର୍ବତନ ନିର୍ବାହୀଯନ୍ତ୍ରୀ ଇଂ.ଲଳିତ ମୋହନ ଦାସଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଟାଉନ ପୋଲିସ ଥାନାର ମାମଲା ନମ୍ବର ୩୧୪ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬ ଓ ୩୫୧(୨) ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ଜଣାପଡିଛି।
ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ମେୟର: