ଭୁବନେଶ୍ବର:ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣଙ୍କ ନାଁରେ ଜାରି କରାଯାଇଥିବା ଗିରଫ ବିହିନ ପରୱାନା ଆଧାରରେ ସେ ଆଜି କୋର୍ଟରେ ହାଜର ହୋଇଥିଲେ । ପରେ ଏନେଇ ନିଜର ପକ୍ଷ ରଖିବା ସହ ୫୦ ହଜାର ଟଙ୍କା, ଦୁଇ ଜଣ ଜାମିନଦାର ଓ କିଛି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଛି । ତେବେ ଦିଲେଶ୍ବର ହତ୍ୟାକାଣ୍ଡରେ ତାଙ୍କ ନାଁରେ ଚାର୍ଜ ଫ୍ରେମ ହୋଇଛି ଖୁବଶୀଘ୍ର ଏହି ଘଟଣାରେ ଶୁଣାଣି ଆରମ୍ଭ ହେବ ।
କୋର୍ଟରେ ହାଜର ଜାମିନ ପାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । କୋର୍ଟରୁ ଯିବା ସମୟରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, "କିଛି କହିବାର ନାହିଁ, କେସ ତ ନାହିଁ ଆଉ କିଛି କହିବାର ନାହିଁ ।" ଏନେଇ ମାମଲା ସଂକ୍ରାନ୍ତରେ ଅଧିକ କିଛି କହିନାହାନ୍ତି କି ହତ୍ୟାକାଣ୍ଡ ସଂକ୍ରାନ୍ତରେ କୌଣସି ତଥ୍ୟ ରଖିନାହାନ୍ତି ।
ଜୟନାରାୟଣଙ୍କ ବିରୋଧରେ ଜାରି ହୋଇଥିଲା NBW:
ତେବେ ବରଗଡ ସୋହେଲାରେ ହୋଇଥିବା ଦିଲେଶ୍ବର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଛନ୍ତି ଜୟନାରାୟଣ ମିଶ୍ର । ଏହି ମାମଲାରେ ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଗତ ଜୁଲାଇ ୩୦ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ପାଇଁ ତାରିଖ ରହିଥିଲା । କିନ୍ତୁ ସେହିଦିନ ସେ କୌଣସି କାରଣ ବଶତଃ ହାଜର ହୋଇନଥିଲେ । ଯେହେତୁ ସେ କୋର୍ଟରେ ହାଜର ହୋଇନଥିଲେ ତେଣୁ ତାଙ୍କ ବିରୋଧରେ ଗିରଫ ବିହିନ ପରଓ୍ବାନା (NBW) ଜାରି ହୋଇଥିଲା । ତାଙ୍କ ବିରୋଧରେ ଜାରି ହୋଇଥିବା NBW ଆଧାରରେ କୌଣସି ମୁହୂର୍ତ୍ତରେ ତାଙ୍କୁ ପୋଲିସ ଗିରଫ କରିପାରିଥାନ୍ତା । ତେଣୁ ଗିରଫ ଏଡାଇବାକୁ ସେ ନିଜେ NBW ଆଧାରରେ ଆଜି ଆସି ଭୁବନେଶ୍ବର ଏଡିଜେ 3 ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ପରେ ସେ କୌଣସି ସରକାରୀ କାମରେ ବ୍ୟସ୍ଥତା ଥିବା ଯୋଗୁଁ ହାଜିର ହୋଇନଥିବା ନେଇ କୋର୍ଟଙ୍କୁ କାରଣ ଦର୍ଶାଇଥିଲେ । ପରେ ଏନେଇ କାର୍ଯ୍ୟକ୍ରମ ସୂଚି ଓ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଉପସ୍ଥାପନା କରିଥିଲେ । ପରେ ତାଙ୍କୁ NBWର ଏକ୍ଜିକ୍ୟୁଟ ଆଧାରରେ ସର୍ତ୍ତମୂଳକ ଜାମିନ ଦିଆଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ - LIFE IMPRISONMENT BY COURT
ଦିଲେଶ୍ବର ହତ୍ୟା ଘଟଣାରେ ଚାର୍ଜଫ୍ରେମ:
ବହୁ ଚର୍ଚ୍ଚିତ ୨୦୧୮ ମସିହାରେ ବରଗଡ଼ ସୋହେଲା ଦିଲେଶ୍ବର ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ ସହ ଅନ୍ୟ ୧୩ ଜଣ ଅଭିଯୁକ୍ତ ନାଁରେ ମଧ୍ୟ ଏହି ହତ୍ୟା ମାମଲାରେ ଅଭିଯୋଗ ରହିଛି । ତେଣୁ ଏହି ମାମଲା ଭୁବନେଶ୍ୱର ସ୍ବତନ୍ତ୍ର ଏମପି ଓ ଏମଏଲଏ କୋର୍ଟରେ ବିଚାର ପ୍ରକ୍ରିୟା ଚାଲୁଥିବାରୁ ଆଜି କୋର୍ଟରେ ଜୟନାରାୟଣ ମିଶ୍ର ହାଜର ହୋଇଥିଲେ । ପରେ ଏହି ମାମଲାର ପ୍ରଥମ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନେଇ ତାଙ୍କ ନାଁରେ ଆଜି ଚାର୍ଜଫ୍ରେମ ହୋଇଛି । ଅର୍ଥାତ୍ ତାଙ୍କ ନାଁରେ ଥିବା ଦଫା ୩୦୨ ଓ ୩୦୭ ସମ୍ପର୍କରେ ଅବଗତ କରାଯାଇଥିଲା । ଯାହାକୁ ନେଇ ସେ ନିଜର ଦୋଷ ସ୍ବୀକାର କରୁଛନ୍ତି କିମ୍ବା ଏନେଇ କେସ ଲଢ଼ିବେ ବୋଲି କୋର୍ଟ ତରଫରୁ ପଚରା ଯାଇଥିଲା । ପରେ ସେ ଏନେଇ ଆଇନଗତ ଲଢେଇ କରିବେ ବୋଲି ମତପ୍ରକାଶ ପରେ ଖୁବଶୀଘ୍ର ଏହି ମାମଲାର ଆଇନଗତ ଶୁଣାଣି ଆରମ୍ଭ ହେବ । ପରେ ଧାର୍ଯ୍ୟ ହୋଇଥିବା ତାରିଖ ଆଧାରରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡିବ । ସେହିପରି ଅନ୍ୟ ଅଭିଯୁକ୍ତମାନେ ମଧ୍ୟ କୋର୍ଟରେ ହାଜର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।