ଓଡିଶା

odisha

ETV Bharat / state

ବୃତ୍ତି ବୁଡିଯିବା ଭୟରେ ବାଉଁଶ କାରିଗର, ହାତ ତିଆରି ସମଗ୍ରୀ ବିକ୍ରି ପାଇଁ ବଜାର ଅଭାବ

Bamboo Craftsmen Facing Problems: ଘରେ ଘରେ ପଡି ରହିଛି ବହୁ ସଂଖ୍ୟାରେ ବାଉଁଶ ତିଆରି ସାମଗ୍ରୀ । ବିକ୍ରି ପାଇଁ ବଜାରର ଅଭାବ । ଅନୁଗୋଳ ଜିଲ୍ଲାର ବାଉଁଶ କାରିଗରଙ୍କ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 30, 2024, 4:52 PM IST

Etv Bharat
Etv Bharat

bamboo craftsmen

ଅନୁଗୋଳ: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନୁଗୋଳ ଜିଲ୍ଲାର ବରଡ଼ସାହିରେ ରହୁଥିବା ବାଉଁଶ କାରିଗର। ବିକ୍ରି ହୋଇ ପାରୁନି ବାଉଁଶରେ ତିଆରି ଘରକରଣା ସାମଗ୍ରୀ । କୌଳିକ ବୃତ୍ତିକୁ ବଞ୍ଚେଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି କାରିଗର । ବାଉଁଶର ଘୋର ଅଭାବ ସାଙ୍ଗକୁ ବିକ୍ରି ସୁବିଧା ନଥିବାରୁ ଏହି ପୁରାତନ ବୃତ୍ତି ଏବେ ସଙ୍କଟରେ । କୌଳିକ ବୃତ୍ତିକୁ ବଞ୍ଚାଇବା ସହ କାରିଗର ମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବାକୁ ହେଲେ ସରକାରୀ ସହାୟତାର ଆବଶ୍ୟକତା ରହିଛି। ନଚେତ ଆଉ କିଛି ବର୍ଷ ପରେ ଦେଖିବାକୁ ମିଳିବନି ଏଭଳି ଏକ କଳା କାରିଗରୀ ।


ବରଡ଼ସାହିରେ ବସବାସ କରନ୍ତି ପ୍ରାୟ ୧୦୦ରୁ ଅଧିକ ଅନୁସୂଚିତ ଜାତିର ପରିବାର। ସେମାନଙ୍କର ମୁଖ୍ୟ ଜୀବିକା ହେଉଛି ବାଉଁଶରୁ ଡାଲା, ବୋଝ, ଟୋକେଇ, କୁଲା, ଝୁଡ଼ି ତିଆରି କରି ବିକ୍ରି କରିବା। କାହିଁ କେଉଁ କାଳରୁ ସେମାନେ ଏହି କାମ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ଦିନ ଥିଲା ଗାଁ ଦାଣ୍ଡରେ ସବୁ ସମୟରେ କାରିଗର ମାନଙ୍କ କାମ ଲାଗି ରହୁଥିଲା। କିଏ ବାଉଁଶ ପାତିଆ ପ୍ରସ୍ତୁତ କରୁଥିଲା ତ ଆଉ କିଏ ସାମଗ୍ରୀ ତିଆରି କରୁଥିଲା। ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ନିଜେ ନିଜେ ନେଇ ଗାଁ ଗାଁରେ ବୁଲି ବିକ୍ରି କରୁଥିଲେ। ବିଭିନ୍ନ ହାଟ ବଜାର ଓ ଜାନିଯାତ୍ରାକୁ ନେଇ ବିକ୍ରି କରୁଥିଲେ। ସେତେବେଳେ ବିନା କଟକଣରେ ପର୍ଯ୍ୟାପ୍ତ ବାଉଁଶ ମିଳୁଥିଲା। ବାଉଁଶ ତିଆରି ସାମଗ୍ରୀ ଗୁଡିକର ଭଲ ଚାହିଦା ଥିଲା । ତେଣୁ ଏହି କାରିଗର ମାନେ ଭଲ ଦୁଇ ପଇସା ରୋଜଗାର କରି ପେଟ ପୋଷୁ ଥିଲେ। ହେଲେ ଆଜି ସେ ସମୟ ବଦଳି ଯାଇଛି । ପ୍ଲାଷ୍ଟିକ ଦ୍ରବ୍ୟର ବହୁଳ ବ୍ୟବହାର ଏବଂ ବାଉଁଶର ଅଭାବ ସେମାନଙ୍କ ଜୀବିକାରେ ବାଧକ ସାଜିଛି ।


ଏହା ମଧ୍ୟ ପଢନ୍ତୁ-ବାଉଁଶ କାରିଗରଙ୍କ ଜୀବିକାକୁ ଲକଡାଉନ ପ୍ରକୋପ, ଉଜୁଡି ଗଲାଣି କୂଳବେଉସା



ଜଙ୍ଗଲ ନିକଟରେ ରହି ମଧ୍ୟ ସେମାନଙ୍କ ପାଇଁ ଏବେ ବାଉଁଶ ଖଣ୍ଡେ ସାତସପନ। ବନ ବିଭାଗର କଟକଣା ତଥା ଜଙ୍ଗଲରେ ହାତୀ ଉପଦ୍ରଵ ଯୋଗୁଁ ଜଙ୍ଗଲରୁ ଆଉ ବାଉଁଶ ମିଳୁନାହିଁ। ବାହାରୁ ବାଉଁଶ କିଣିଲେ ଅତ୍ୟଧିକ ଦର ଦେବାକୁ ପଡୁଛି। ତେଣୁ ଯାହା ସାମଗ୍ରୀ ତିଆରି ହେଉଛି ତାହା ଯଥେଷ୍ଟ ହେଉ ନାହିଁ କି ଭଲ ଲାଭ ମିଳୁନି। ସବୁଠାରୁ ବଡ଼ କଥା ହେଉଛି ବିକ୍ରି ପାଇଁ କୌଣସି ସୁବିଧା ନାହିଁ। ବିଭିନ୍ନ ସ୍ଥାନରେ ହେଉଥିବା ସାପ୍ତାହିକ ହାଟ ନହେଲେ ମେଳା ମହୋତ୍ସବ ଓ ଜାନିଯାତ୍ରାକୁ ଅପେକ୍ଷା କରିବାକୁ ପଡୁଛି। ଏହାଛଡା ବର୍ତ୍ତମାନ ରଙ୍ଗ ବେରଙ୍ଗ ପ୍ଲାଷ୍ଟିକ ଘର କରଣା ଜିନିଷ ଶସ୍ତାରେ ମିଳି ଯାଉଥିବାରୁ ବାଉଁଶ ତିଆରି ସାମଗ୍ରୀର ସେତେଟା ଚାହିଦା ରହୁ ନାହିଁ। ଫଳରେ ପ୍ରସ୍ତୁତ ହୋଇଥିବା ସାମଗ୍ରୀ ଘରେ ଘରେ ମହଜୁଦ ହୋଇ ରହୁଛି। ସେମାନଙ୍କ ରୋଜଗାର ମଧ୍ୟ କମି ଯାଉଛି। ଏଭଳି ସ୍ଥିତିରେ ଅନେକ କାରିଗର ସେମାନଙ୍କ କୌଳିକ ବୃତ୍ତିକୁ ମୁହଁ ମୋଡି ମୂଳ ମଜୁରୀ କରିବାକୁ ବାଧ୍ୟ ହେଉଛନ୍ତି।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details