ବଲାଙ୍ଗୀର: ବଡ଼ ସାଇବର ଠକେଇର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଦେଶରେ ଚାଲିଥିବା ଅନଲାଇନ ଟ୍ରେଡିଂ ସ୍କାମ ମାମଲାରେ ରାଜ୍ୟର 4 ଜଣ ଗିରଫ ହୋଇଛନ୍ତି । ତେବେ ହରିୟାଣା ଓ ପଞ୍ଜାବରୁ ଚାଲିଥିଲା ଏହି ସ୍କାମ । ସେହିପରି 85 ଲକ୍ଷ ଟଙ୍କାର ବ୍ୟାଙ୍କ ଏକାଉଣ୍ଟ ପୋଲିସ ଫ୍ରିଜ କରିଛି ।
Balangir Police Busts Cyber Fraud Racket (ETV Bharat Odisha) ସାଇବ୍ରର ଫ୍ରଡ୍ ମାମଲାରେ 4 ଗିରଫ:
ସାଇବର୍ ଫ୍ରଡ୍ ମାମଲାରେ 4 ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ସମସ୍ତ ଅଭିଯୁକ୍ତ ଉଚ୍ଚ ଶିକ୍ଷିତ ହୋଇଥିବା ପୋଲିସ ସୂଚନା ଦେଇଛି । ସେହିପରି ଏଥିରେ ଅଧିକ ତଦନ୍ତ ଜାରି ଥିବାବେଳେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବ ବୋଲି ପୋଲିସ କହିଛି । ଠକେଇର ଏକ ନୂଆ ଫଣ୍ଡାରେ ଅନଲାଇନ ଟ୍ରେଡିଂ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଆସିଥିଲା । ଏଭଳି ଏକ ଅଭିଯୋଗ ଆସିବା ପରେ ପୋଲିସ କରିଥିଲା ତଦନ୍ତ ।
କିପରି ହେଉଥିଲେ ଠକେଇ ?
ହ୍ୱାଟସଆପ୍ ଓ ଟେଲିଗ୍ରାମରେ ଏକ ଲିଙ୍କ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଆସିଥିଲା । ଅନଲାଇନ ଟ୍ରେଡିଂରେ ବହୁ ଲାଭ ଦେଖାଇ ତାଙ୍କୁ ଟଙ୍କା ଲଗାଇବାକୁ କୁହାଯାଇଥିଲା । ଏପରିକି ଏକ ସ୍ବତନ୍ତ୍ର ଟ୍ରେଡିଂ ଆପ୍ ଲୋଡ୍ କରିବାକୁ କୁହାଯିବା ସହ ଟଙ୍କା ଜମା କରିବାକୁ ମଧ୍ୟ କୁହାଯାଇଥିଲା । କିଛି ସମୟ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଭଲ ଲାଭ ବି ମିଳୁଥିଲା । ଯାହା ପରେ ସମ୍ପୃକ୍ତ ବ୍ୟକ୍ତି ଏହିଭଳି ଅଧିକ ଟଙ୍କା ଲୋଭରେ 75 ଲକ୍ଷ ଟଙ୍କା ଜମା କରିଥିଲେ । ଯାହା ସିଧାସଳଖ ସେହି ସାଇବର ଲୁଟେରାଙ୍କ ଆକାଉଣ୍ଟକୁ ଯାଇଥିଲା । ଏହାପରେ ସେମାନେ ଆଉ ଧରା ଛୁଆଁ ଦେଇ ନଥିଲେ। ଏନେଇ ବଲାଙ୍ଗୀର ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ। ଯାହାର ତଦନ୍ତ ପରେ ପୋଲିସକୁ ମିଳିଛି ସଫଳତା।
ଆନ୍ତଃରାଜ୍ୟ ଲିଙ୍କ:
ରାଜସ୍ଥାନ, ପଞ୍ଜାବ ଓ ହରିୟାଣା ସୀମାରେ ଥିବା ଦୁଇ ଜିଲ୍ଲାରୁ ଏହି ଅନଲାଇନ ସ୍କାମ ଚାଲିଥିବାର ପୋଲିସ ଜାଣିବାକୁ ପାଇଥିଲା। ସେଠାକାର ସ୍ଥାନୀୟ ପୋଲିସ ସହାୟତାରେ ରାଜସ୍ଥାନର ଗଙ୍ଗା ସାଗର ଜିଲ୍ଲା ଓ ଚୁରୁ ଜିଲ୍ଲାରୁ 4 ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଉଚ୍ଚ ଶିକ୍ଷିତ ଥିବାବେଳେ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବାର ପୋଲିସ କହିଛି। ତେବେ ଏମାନେ ଏକ ଆପ୍ ତିଆରି କରିଥିଲେ । ଏବଂ ଲୋକଙ୍କୁ ଯୋଗାଯୋଗ କରି ଅନଲାଇନ ଟ୍ରେଡିଂରେ ଦିନକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେବାର ଲୋଭ ଦେଖାଉଥିଲେ । ଅନେକ ଲୋକ ଏମାନଙ୍କ ଜାଲରେ ପଡି ଲକ୍ଷାଧିକ ଟଙ୍କା ହରାଇଥିବାର ପୋଲିସ କହିଛି ।
ପୂର୍ବରୁ ଗିରଫ କରିଥିଲା ହରିୟାଣା ପୋଲିସ:
ବଲାଙ୍ଗୀର ଏସପି ଋଷିକେଶ ଡି ଖିଲାରୀ କହିଛନ୍ତି, "ପୂର୍ବରୁ ଏମାନଙ୍କ ମଧ୍ୟରୁ ଜଣେ ଏହି ମାମଲାରେ ହରିୟାଣା ପୋଲିସ ଦ୍ୱାରା ଗିରଫ ମଧ୍ୟ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ରାଜସ୍ଥାନ ଚୁରୁ ଜିଲ୍ଲାର ବିକାଶ ପାରିଖ, ପବନ ସିଂ, ଶ୍ରୀଗଙ୍ଗା ନଗର ଜିଲ୍ଲାର ହର୍ଷିତ ଚୌହ୍ବାନ ଓ ଶିକର ଜିଲ୍ଲାର ବିଜୟ ରାୟ ଶର୍ମା । ଏମାନେ ସମସ୍ତେ ଏହି ଟଙ୍କା ସବୁକୁ ନେଇ କ୍ରିପ୍ଟୋ କରେନ୍ସିରେ ନିବେଶ କରୁଥିଲେ । ଲୁଟର ଟଙ୍କାରେ ମଉଜ କରୁଥିବାବେଳେ ଆଲିସାନ ଘରେ ରହିଆସୁଥିଲେ । ସେମାନଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ସହ 85 ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି । ସେମାନଙ୍କ ସହ କିଛି ଆଇଟି ଅଧିକାରୀ ସମ୍ପୃକ୍ତ ସନ୍ଦେହ କରାଯାଉଛି ।"
ଏହା ବି ପଢନ୍ତୁ...ଭୁବନେଶ୍ୱର IIT ଓ ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ: ପ୍ରସ୍ତୁତ କଲେ ଏମିତି ଆପ, ଯିଏ ଧରିବ ସାଇବର ଠକ - app developed for cyber crime
1930ରେ ଅଭିଯୋଗ କରନ୍ତୁ:
ବଲାଙ୍ଗୀର ଏସପି ଆହୁରି କହିଛନ୍ତି, "ବଲାଙ୍ଗୀର ଜଣେ ବ୍ୟକ୍ତିଙ୍କ ଠାରୁ 75 ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିଥିଲା । ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଥିଲା । ଏଥିରେ ଅଭିଯୁକ୍ତ ଭର୍ଚୁଆଲ ମୋବାଇଲ ନମ୍ବର ସବୁ ବ୍ୟବହାର କରିଥିବାରୁ ସେମାନଙ୍କୁ ଧରିବା କଷ୍ଟକର ଥିଲା । ହେଲେ ପୋଲିସର ଏକ୍ସପର୍ଟମାନେ ଏହାକୁ ସମ୍ଭବ କରିଦେଖାଇବା ସହ ରାଜେସ୍ଥାନର 3ଟି ଜିଲ୍ଲାରୁ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏଭଳି କୌଣସି ଲିଙ୍କ ବା ପ୍ରଲୋଭନରେ ନପଡି ଜାତୀୟ ସାଇବର ସହାୟତା ନମ୍ବର 1930ରେ ଅଭିଯୋଗ କରାଗଲେ ପୋଲିସ ପଦକ୍ଷେପ ନେବ।"
ଇଟିଭି ଭାରତ, ବଲାଙ୍ଗୀର