ହାଇଦ୍ରାବାଦ:କଥା ରଖିଲା ଆନ୍ଧ୍ରର ନୂଆ ନାଇଡୁ ସରକାର । ଲାଗୁ ହେଲା ପ୍ରଥମ କ୍ୟାବିନେଟର ନିଷ୍ପତ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶରେ ଆଜିଠୁ ବଢିଲା ଭତ୍ତା । ନାଇଡୁ ସରକାର ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ଅଧିନରେ ଆଜୁଠି ପ୍ରଦାନ କରିଛନ୍ତି ବର୍ଦ୍ଧିତ ଭତ୍ତା ରାଶି । ରାଜ୍ୟର 65.3 ଲକ୍ଷ ହିତାଧିକାରୀଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା ରାଶି । ଏଥରେ ଉପକୃତ ହୋଇଛନ୍ତି ରାଜ୍ୟର 28ଟି ଶ୍ରେଣୀର ଉପଭୋକ୍ତା । ବର୍ଦ୍ଧିତ ରାଶିରେ 4 ହଜାର ଟଙ୍କା ପାଇଛନ୍ତି ହିତାଧିକାରୀ । ତେବେ ପୂର୍ବରୁ 3 ହଜାର ଟଙ୍କା ପ୍ରଦାନ କରୁଥିବା ଆନ୍ଧ୍ର ସରକାର ଆଜିଠୁ 4 ହଜାର ଟଙ୍କା ପ୍ରଦାନ କରିଛନ୍ତି । ଯାହା ନୂଆ ସରକାରର ଇସ୍ତାହରରେ ଉଲ୍ଲେଖ ରହିଥିଲା । ଏପଟେ ଆନ୍ଧ୍ରରେ ଭତ୍ତା ବୃଦ୍ଧି ପରେ ଓଡିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ସରକାର ନିର୍ବାଚନ ସମୟରେ ଇସ୍ତାହାରରେ ଭତ୍ତା ବୃଦ୍ଧି ହୋଇ 3 ହଜାର ଟଙ୍କା ମିଳିବ ବୋଲି କହିଥିଲା ।
କଣ ଥିଲା ବିଜେପି ଇସ୍ତାହାର-
ରାଜ୍ୟରେ ଇସ୍ତାହାର ଜାରି କରି ବିଜେପି ଅନେକ ଯୋଜନା ଆଣିବା ପାଇଁ ସଂକଳ୍ପ ପତ୍ରରେ ପ୍ରକାଶ କରିଥିଲା । ସୁଭଦ୍ରା ଯୋଜନାରେ ମହିଳାଙ୍କୁ 50 ହଜାର ଟଙ୍କାର ଭଉଚର, 5 ବର୍ଷରେ 3.5 ଲକ୍ଷ ନିଯୁକ୍ତି, ଧାନ କ୍ବିଣାାଲ ପିଛା 3100 ଟଙ୍କା, ମତ୍ସ୍ୟଜୀବୀଙ୍କୁ ବାର୍ଷିକ 10 ହଜାର ସହାୟତ, ଆଦିବାସୀ ଯୁବକ ଯୁବତୀଙ୍କୁ ବାର୍ଷିକ 5 ହଜାର ଟଙ୍କା ମେଧାବୃତ୍ତି ସହାୟତା ସହିତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା ଏବଂ ଅସହାୟଙ୍କୁ ମାସିକ 3000 ଟଙ୍କା ଭତ୍ତା ପ୍ରଦାନ କରିବ ବୋଲି ଇସ୍ତାହାରରେ କହିଥିଲା ।
ମଧୁବାବୁ ପେନସନ ଯୋଜନା କଣ-
ରାଜ୍ୟର ପୂର୍ବତନ ବିଜେଡି ସରକାର ନିଜସ୍ବ ମଧୁବାବୁ ପେନସନ ଯୋଜନା ଅଧିନରେ ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହାତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରୁଥିଲେ । ଏହି ଯୋଜନାରେ ରାଜ୍ୟରେ ବିଭିନ୍ନ ବର୍ଗର 56 ଲକ୍ଷ 76 ହଜାର 916 ଜଣଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି ।
ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି । ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡସ ସେଲ ଦ୍ବାରା ଚିହ୍ନଟକୃତ ଏଡସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ ଦ୍ବାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି । ଏହି ଯୋଜନାରେ ଛୋଟ ପିଲାଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଉଥିଲେ । ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ ।