ଭୁବନେଶ୍ବର: ଖୁବଶୀଘ୍ର ଘୋଷଣା ହେବ ଓଡ଼ିଶାର ପରବର୍ତ୍ତୀ କଂଗ୍ରେସ ମୁଖିଆ। AICC ନୂଆ କାର୍ଯ୍ୟାଳୟର ଶୁଭ ଉଦଘାଟନ ଅବସର ପାଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ। ପିସିସି ସଭାପତି ଘୋଷଣା ପୂର୍ବରୁ ପୁନଶ୍ଚ ନିର୍ବାଚିତ ପ୍ରତିନିଧି ମାନଙ୍କ ମତ ଲୋଡିଛି AICC। ରାଜ୍ୟରେ ବିଜେପି ସରକାରକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବ କଂଗ୍ରେସ। ରାଜ୍ୟରେ ବହୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ସଶକ୍ତ ନେତୃତ୍ୱର ଆବଶ୍ୟକତା ରହିଥିବାରୁ ଜଣେ ଦକ୍ଷ ,ଅଭିଜ୍ଞ ,ଗ୍ରହଣୀୟ ନେତାର ଆବଶ୍ୟକତା ରହିଛି । ଏଥିପାଇଁ ଚୟନ ପ୍ରକ୍ରିୟାରେ ବିଳମ୍ବ ହେଉଛି ବୋଲି ପୂର୍ବରୁ ଦଳର ସର୍ବୋଚ୍ଚ ନେତାମାନେ ମତ ରଖିଥିଲେ।
ଜୁନ 22 ତାରିଖରୁ ଓଡ଼ିଶାରେ ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଫ୍ରିଜ କରିଥିଲା AICC। 2024 ସାଧାରଣ ନିର୍ବାଚନରେ ଆଶାତୀତ ସଫଳତା ମିଲିନଥିବାରୁ ହାଇକମାଣ୍ଡ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କ୍ଷୁବ୍ଧ ହୋଇ ପିସିସି ସଭାପତି ସମେତ ସମସ୍ତ ଛାମୁଆ କମିଟିକୁ ରଦ୍ଦ ଘୋଷଣା କରିଥିଲେ। ନୂଆ ନେତା ସନ୍ଧାନରେ AICC ଦୀର୍ଘ ୭ ମାସ ହେବ କସରତ କରୁଛି । ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ ଏବଂ ଛତିଶଗଡ଼ରେ ବିରୋଧୀ ଦଳ ନେତା ଚରଣ ଦାଶ ମହନ୍ତ ଡିସେମ୍ବର ପ୍ରଥମ ସପ୍ତାହ ରେ ଭୁବନେଶ୍ୱରରେ ଘମାସନ ଆଲୋଚନା କରି ଫେରିଯାଇଥିଲେ। ଝାଡଖଣ୍ଡ ଏବଂ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ ନୂଆ ପିସିସି ସଭାପତି ଘୋଷଣା ହୋଇପାରେ ବୋଲି ସେମାନେ ମତ ଦେଇଥିଲେ।
‘‘ଖୁବଶୀଘ୍ର ହାଇକମାଣ୍ଡ ପିସିସି ସଭାପତି ନେଇ ଘୋଷଣା କରିବେ । ଆମ ନେତା ଅନେକ ଅଛନ୍ତି । ବିଳମ୍ବ ହୋଇପାରେ କିନ୍ତୁ ଉଚିତ୍ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ କଂଗ୍ରେସ ଦଳର ନେତୃତ୍ବ ରେସ୍ରେ ଯୁବବର୍ଗ ଓ ବୟସ୍କ ବି ସାମିଲ ଅଛନ୍ତି । ଖୁବଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ହାଇକମାଣ୍ଡ । କଂଗ୍ରେସ ରେ ବହୁ ବରିଷ୍ଠ ନେତା ଅଛନ୍ତି। ଆଗକୁ କଂଗ୍ରେସ ଅଧିକ ସଶକ୍ତ ହେବା ସହ ନୂଆ ମୁଖିଆ ପାଇବ’’ ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ରାମଚନ୍ଦ୍ର କାଡାମ ।
ଆସନ୍ତାକାଲି AICCର ନୂଆ କାର୍ଯ୍ୟାଳୟ ଉଦଘାଟନ ହେବାକୁ ଯାଉଛି। ଏନେଇ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ‘‘ଆଜି ପର୍ଯ୍ୟନ୍ତ କଂଗ୍ରେସ ନିଜ ମୁଖ୍ୟାଳୟ କରିପାରୁ ନଥିଲା । କିନ୍ତୁ ବିଜେପି କେନ୍ଦ୍ରରେ ସରକାରକୁ ଆସିବା ପରେ ବିଶାଳ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। ପ୍ରତି ବ୍ଲକରେ ତାରକା ହୋଟେଲ ଭଳି କାର୍ଯ୍ୟାଳୟ କରିଛି ହେଲେ କଂଗ୍ରେସ AICC ମୁଖ୍ୟ କାର୍ଯ୍ୟାଳୟ ଏବେ ନିର୍ମାଣ କରିଛି। ସମସ୍ତ ପିସିସି ଏବଂ ବିଧାୟକ ଦଳ ନେତା ମାନଙ୍କୁ ନିମନ୍ତ୍ରଣ ଆସିଛି ସେଥିପାଇଁ ମୁଁ ଯାଉଛି’’।
‘‘ଗତକାଲି ଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆୟୁଷ୍ମାନ ଯୋଜନାର ଓଡିଶା ସହ ସ୍ବାକ୍ଷର କରାଯାଇଛି। ଆଗକୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଓଡିଶା ବାସୀଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ପ୍ରଦାନ କରିବେ।ପୂର୍ବ ସରକାର ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିଲେ। ହେଲେ ବିଜେପି ସରକାର ଆସିଲା ପରେ ଖାଲି ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହିଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ସୁବିଧା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦେବା କଥା’’ ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ରାମଚନ୍ଦ୍ର କାଡାମ ।