କଟକ:ଓଡିଶା ହାଇକୋର୍ଟ ବାରର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଆଇନଜୀବୀ ବିଜୟ କୁମାର ଦାଶ। ନିକଟତମ ପ୍ରତିଦ୍ୱନ୍ଦୀ ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢ଼ୀଙ୍କୁ ୨୪୯ ଭୋଟ ବ୍ୟବଧାନରେ ହରାଇଛନ୍ତି । ବିଜୟଙ୍କୁ ସର୍ବାଧିକ ୧୪୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ସୌର୍ଯ୍ୟଙ୍କୁ ୧୨୧୩ ଖଣ୍ଡ ମିଳିଥିଲା । ସେହିପରି ସମ୍ପାଦକ ଭାବରେ ରଞ୍ଜନ ନାୟକ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ ଅଭିଜିତ ପଟ୍ଟନାୟକଙ୍କୁ ୫୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ତେବେ ସମ୍ପାଦକ ପଦବୀ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା ।
ସେହିପରି ଉପସଭାପତି ଭାବରେ କରୁଣାକର ରଥ, ଯୁଗ୍ମ ସମ୍ପାଦକ ଭାବରେ ଅଶୋକ କୁମାର ଆପଟ,ସହ ସମ୍ପାଦକ ଭାବରେ ସାରଦା ପ୍ରସାଦ ତ୍ରିପାଠୀ, ପାଠାଗାର ସହ ସମ୍ପାଦକ ଭାବରେ ଭବାନୀ ଶଙ୍କର ପାଣିଗ୍ରାହୀ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ଗତକାଲି (ଶନିବାର) ୯ଟି କାର୍ଯ୍ୟନିର୍ବାହୀ ସଦସ୍ୟ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ ଗଣତି ଅନୁଷ୍ଠିତ ହେବ । ତେବେ ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନରେ ମୋଟ ୪ ହଜାର ୪୪୧ ଭୋଟରଙ୍କ ମଧ୍ୟରୁ ୩ ହଜାର ୧୨୮ ଜଣ ମତ ଅଧିକାର ସାବ୍ୟସ୍ତ କରିଥିଲେ । ଓ୍ବାନ ବାର ଓ୍ବାନ ଭୋଟ ନିୟମ ଲାଗୁ ହେବା ପରଠାରୁ ଆଇନଜୀବୀମାନେ ରାଜ୍ୟର ଯେ କୌଣସି ଗୋଟିଏ ବାରରେ ମତ ଦାନ କରିବାର ସୁଯୋଗ ରହିଛି । ଏହି କ୍ରମରେ ରାଜ୍ୟର ୧୫୩ଟି ବାର ଆସୋସିଏସନରେ ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ କରାଯାଇଥିଲା ।