ଓଡିଶା

odisha

ETV Bharat / state

ବାଲେଶ୍ୱର ପୋଲିସକୁ ସଫଳତା, 25 ମନ୍ଦିରରୁ ଚୋରି ସାମଗ୍ରୀ ଉଦ୍ଧାର ସହ 7 ଗିରଫ - Temple Loot - TEMPLE LOOT

Balasore Temple Loot: ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି ଘଟଣାରେ ପୋଲିସକୁ ବଡ ସଫଳତା । 5ଟି ମନ୍ଦିରରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର । 7 ଗିରଫ । ଅଧିକ ପଢନ୍ତୁ

Balasore Temple Loot
Balasore Temple Loot

By ETV Bharat Odisha Team

Published : Apr 7, 2024, 2:30 PM IST

Balasore Temple Loot

ବାଲେଶ୍ୱର:ଜିଲ୍ଲା ପୋଲିସକୁ ସଫଳତା ।କିଛି ଦିନ ହେବ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ମନ୍ଦିରରୁ କ୍ରମାଗତ ଭାବେ ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ଗୁରୁତର ସହ ନେଇ ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଚୋରି ଘଟଣାର ତଦନ୍ତ କରିଥିଲେ । 25ଟି ମନ୍ଦିରରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ସହ ଏହି ମାମଲାରେ 7 ଜଣ ଅଭିଯୁକ୍ତକୁ ଗିରଫ କରିଛି ବାଲେଶ୍ୱର ପୋଲିସ ।

ଏସପିଙ୍କ ସୂଚନା ଅନୁସାରେ, ଜିଲ୍ଲାର ବିଭିନ୍ନ ଫାଣ୍ଡିରେ କେସ ରେଜିଷ୍ଟର ପରେ ବାଲେଶ୍ୱର ଏସ୍ପିଙ୍କ ନିର୍ଦେଶରେ ସଦର ଏସ.ଡି.ପିଓଙ୍କ ନେତୃତ୍ୱରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରୁ ବିଭିନ୍ନ ମନ୍ଦିରରୁ ଚୋରି କରୁଥିବା ଏକ ୭ ଜଣିଆ ଗ୍ୟାଙ୍ଗକୁ ବାଲେଶ୍ୱର ପୋଲିସ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ସମସ୍ତ ଲୋକ ମୟୂରଭଞ୍ଜ ଅଞ୍ଚଳର ବୋଲି ଜଣାପଡ଼ିଛି । ଗତ ୫ ତାରିଖରେ ଚାନ୍ଦିପୁର ଅଞ୍ଚଳରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ରିମାଣ୍ଡ ନେବା ପରେ ପୁଣି ଆଉ ୩ ଜଣଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ପାଖରୁ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଗ୍ୟାଙ୍ଗ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଥିବା ବହୁ ମନ୍ଦିରରୁ ପିତ୍ତଳ ମୂର୍ତ୍ତି ସମେତ ରୂପାର ଅଳଙ୍କାର ଚୋରି କରି ଫେରାର ହୋଇ ଯାଉଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଚୋର ମନ୍ଦିର ଆସବାବପତ୍ର ସହ ଅଳଙ୍କାର ଚୋରି କରୁଥିବା ବେଳେ ଆଉ ୩ ଜଣ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ସାଇବର ଟିମ ଓ ଜିଲ୍ଲା ଗୁଇନ୍ଦା ବିଭାଗ ଏମାନଙ୍କ ଉପରେ ଦୀର୍ଘ ଦିନଧରି ନଜର ରଖିଥିଲା । ଶେଷରେ ସେମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା । ଜିଲ୍ଲାର ସମୁଦାୟ 19 ମନ୍ଦିର ଚୋରି କେସରେ ୮୦ ପ୍ରତିଶତ ଜିନିଷ ଉଦ୍ଧାର ହୋଇଛି । ବାକି ୬ଟି ମନ୍ଦିର ଚୋରି କେସର ତଦନ୍ତ ଚାଲିଛି ।

ଏହାମଧ୍ୟ ପଢନ୍ତୁ..ମନ୍ଦିର ଚୋରି ଘଟଣାରେ ପୋଲିସକୁ ସଫଳତା, ଧରାପଡିଲେ 5 ଚୋର - Temple Loot

ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ମନ୍ଦିର ଭିତରେ, ଖନ୍ତାପଡ଼ା ଥାନା ଅଧିନ ନୂଆଗଡ଼ିଆର ହନୁମାନ ମନ୍ଦିର, ଶିଳ୍ପାଞ୍ଚଳ ଥାନା ଅଧିନ ଶ୍ରୀକୃଷ୍ଣପୁର ଏବଂ ନରହରିପୁରର ଦୁଇଟି ମନ୍ଦିର, ସଦର ଥାନା ଅଧିନ ତଳବରାଇ ଶିବ ମନ୍ଦିର ଏବଂ ଅନନ୍ତ ନାରାୟଣ ମନ୍ଦିର, ଚାନ୍ଦିପୁର ଥାନା ଅଧିନ ଶିବ ମନ୍ଦିର ଏବଂ ହନୁମାନ ମନ୍ଦିର, ସୋର ଥାନା ଅଧିନ ନୀଳକଣ୍ଠ ମନ୍ଦିର, ଦାଣ୍ଡକାଳୀ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ମା’ ମଙ୍ଗଳା ମନ୍ଦିର, ନୀଳଗିରି ଥାନା ଅଧିନ ତାରିଣୀ ମନ୍ଦିର, ବରହମପୁର ଥାନା ଅଧିନରେ ଥିବା ସର୍ବେଶ୍ୱର ମନ୍ଦିର ଏବଂ ସିଦ୍ଧେଶ୍ଵର ମନ୍ଦିର, ରେମୁଣା ଥାନା ଅଧିନ ଶିବ ମନ୍ଦିର, ଅନ୍ଧାରୀ ମଙ୍ଗଳା ମନ୍ଦିର, ସର୍ବମଙ୍ଗଳା ମନ୍ଦିର, ବାଲିଆପାଳର ହନୁମାନ ମନ୍ଦିର, ଯୋଗେଶ୍ୱର ମନ୍ଦିର, କମର୍ଦ୍ଦାର ତାରିଣୀ ମନ୍ଦିର, ନାମ୍ପୋର ଶିବ ମନ୍ଦିର, ସିଂଲା ଅଞ୍ଚଳର ନିତାଇ ଗୌର ମଠ, କଷାଫଳ ଶିବ ମନ୍ଦିର, ରୁପ୍ସାର ନିଳକଣ୍ଠେଶ୍ୱର ମନ୍ଦିର ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି ।

ଏହାସହ ଚୋରି କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାଇକ ଏବଂ କାର ମଧ୍ୟ ପୋଲିସ ଜବତ କରିଛି । ଚୋରି ହୋଇଥିବା ମନ୍ଦିରର ପୂଜକ ତଥା ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ଡକାଯାଇ ସେମାନଙ୍କ ମନ୍ଦିରର ସାମଗ୍ରୀ ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details