ବ୍ରହ୍ମପୁର: ୨ କୋଟି ଟଙ୍କା ପାଇଁ ମୁଣ୍ଡ ବନ୍ଧକ ରଖି ୪ ଜଣ ଯୁବକଙ୍କୁ ଗତ ୪ ଦିନ ଧରି ଦିଆଯାଉଥିଲା ଅକଥନୀୟ ନିର୍ଯ୍ୟାତନା । ଯୁବକମାନଙ୍କୁ ଅପହରଣ କରି ଜଙ୍ଗଲ ମଧ୍ୟରେ ରଖି ମାଡ ମରିବା ସହ ବିଷାକ୍ତ ସାପ ଦେଖାଇ ସାପ କାମୁଡାରେ ମାରିଦେବାକୁ ଧମକ ଦେଉଥିଲେ ଦୁର୍ବୃତ୍ତ । ସେପଟେ କୌଶଳକ୍ରମେ ଜଣେ ଯୁବକ ଘଟଣାସ୍ଥଳରୁ ଖସି ଆସି ସାହାଯ୍ୟ କରିବା ପାଇଁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ଗୁହାରୀ କରିବା ପରେ ଅନ୍ୟ ୩ ବନ୍ଦୀ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ ।
- 4 ଅପହୃତ ଫାଇନାନ୍ସ କମ୍ପାନୀର କର୍ମଚାରୀ
ଉଦ୍ଧାର ହୋଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ଦିଲ୍ଲୀ, ୨ ଜଣ କଟକ ଏବଂ ଅନ୍ୟ ଜଣେ ଭୁବନେଶ୍ୱରର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତଃ ଏହି ୪ ଜଣ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସେପଟେ ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଜଙ୍ଗଲ ମଧ୍ୟରେ ଅଟକାଇ ମୁଣ୍ଡ ଜାମିନ୍ ରଖିଥିବା ଅଭିଯୁକ୍ତମାନେ ଋଣ ନେବା ପାଇଁ କହି ଏକ ଗାଡ଼ି ଯୋଗେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳକୁ ଆଣି ଏପରି ନିର୍ଯ୍ୟାତନା ଦେଉଥିଲେ । ତେବେ ଅପହରଣ କରିଥିବା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ପୋଲିସ ଅଟକ ରଖିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ଖୋଳତାଡ ଆରମ୍ଭ କରିଛି ପୋଲିସ ।
- କ'ଣ ଥିଲା ପୂରା ଘଟଣା:
୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଅଟନ୍ତି । ସେମାନଙ୍କୁ ଏକ ଗ୍ୟାଙ୍ଗ ଋଣ ପାଇଁ ଯୋଗାଯୋଗ କରିଥିଲେ । ଯୁବକମାନେ ଏକ କାର ଯୋଗେ ଭୁବନେଶ୍ୱରରୁ ଗଞ୍ଜାମ ଆସିଥିଲେ । କିନ୍ତୁ ଅଭିଯୁକ୍ତମାନେ ଋଣ ବିଷୟରେ ଆଲୋଚନା ନକରି ସେମାନଙ୍କୁ ଅପହରଣ କରି ନେଇଥିଲେ । ପ୍ରଥମେ ଗୋଳନ୍ଥରା ଥାନା ଅଞ୍ଚଳ ଏବଂ ପରେ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଆଉଟ ପୋଷ୍ଟ ଜଙ୍ଗଲ ମଧ୍ୟରେ ରହିଥିବା ଏକ ଆବଣ୍ଟନ ଘର ମଧ୍ୟରେ ଯୁବକମାନଙ୍କୁ ବନ୍ଦୀ କରି ରଖିଥିଲେ ।
- ମାଗୁଥିଲେ ୨ କୋଟି, ସାପ ଦେଖାଇ କରୁଥିଲେ ଭୟଭୀତ:
ମୁଣ୍ଡ ଜାମିନ ବଦଳରେ ୨ କୋଟି ଟଙ୍କା ଦାବି କରିବା ସହିତ ଟଙ୍କା ନଦେଲେ ବିଷଧର ସାପ ଦେଖାଇ ଭୟଭୀତ କରୁଥିଲେ । ସାପ ମାଧ୍ୟମରେ ଆଘାତ ଦେଇ ହତ୍ୟା କରାଇବାର ଭୟ ଦେଖାଇବା ସହିତ ମାଡ ମଧ୍ୟ ମାରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କୌଶଳକ୍ରମେ ଖସି ଆସିବା ସହିତ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ସହଯୋଗ ମାଗିଥିଲା । ଖବର ପାଇ ସ୍ଥାନୀୟ କେ.ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ବନ୍ଦୀଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଅଧିକ ପଚାରା ଉଚାରା କରିବା ପରେ ପୋଲିସ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲା ।
- ଜଣେ ଅଭିଯୁକ୍ତ ଅଟକ:
ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ୪ ଯୁବକଙ୍କୁ ଜଙ୍ଗଲ ମଧ୍ୟରେ ୪ ଦିନ ରଖି ଅକଥନୀୟ ନିର୍ଯ୍ୟାତନା ଦିଆଯିବା ଘଟଣାରେ ସଂପୃକ୍ତ ରହିଥିବା ଗ୍ୟାଙ୍ଗର ଜଣେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ଅଧିକ ଖୋଳତାଡ କରୁଛି କେ.ନୂଆଗାଁ ଥାନା ପୋଲିସ । ଏପରିକି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରହ୍ମପୁରର ଦଣ୍ଡ ମହାରଣା ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ କହିଛନ୍ତି । ଏହି ଘଟଣାରେ ମୋଟ ୫ ଜଣ ସାମିଲ ରହିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତ ଗିରଫ ପରେ ଘଟଣା ଆହୁରି ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
- ବିଭିନ୍ନ ଦିଗରୁ ପୋଲିସର ତଦନ୍ତ ଜାରି: