ଗଜପତି:ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ, ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ସ୍ଥିତି ସେତେ ସୁଦୃଢ । ହେଲେ ସ୍ବାଧୀନତାର ଏତେ ବର୍ଷ ପରେ ବି ଆଜି ଯାଏଁ ଏମିତି କିଛି ଅଞ୍ଚଳ ରହିଛି, ଯେଉଁ ଅଞ୍ଚଳ ବର୍ଷର ୪ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହୁଛି । ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କରଡାସିଂ ପଞ୍ଚାୟତରେ । ଏଠାକାର ସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ଅତି କ୍ଷୋଭର ସହ କହିଛନ୍ତି,ଏହି ଅଞ୍ଚଳର ଲୋକେ ସେମାନଙ୍କ ମୌଳିକ ଅଧିକାର ପାଇବାକୁ ଯୋଗ୍ୟ ନୁହନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।
ବର୍ଷାର ଅଧା ମାସ ବାହ୍ୟଜଗତରୁ ବିଚ୍ଛିନ୍ନ:
ଗଜପତି ଜିଲ୍ଲା ରାୟଗଡ ବ୍ଲକର କରଡାସିଂ ପଞ୍ଚାୟତ । ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତରେ ରହିଛି ୨୨ଟି ଗାଁ । ସେଥିମଧ୍ୟରୁ ୭ଟି ରାଜସ୍ବ ଗାଁ ହୋଇଥିବା ବେଳେ ୧୫ଟି ପଡା ଗ୍ରାମ । ଏଠାକାର ଲୋକ ସଂଖ୍ୟା ପ୍ରାୟ ୮ହଜାର । ବ୍ଲକ କାର୍ଯ୍ୟାଳୟ ଠାରୁ ଅତି ନିକଟରେ ଥିବା ଏହି ପଞ୍ଚାୟତର ବିକାଶ ଆଜି ବି ଅଧାରେ ଅଟକିଛି । ଏପରିକି ଆଜି ବି କିଛି ଅଞ୍ଚଳ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇରହିଛି । ମହେନ୍ଦ୍ରତନୟା ନଦୀ ଉପରେ ଏକ ପୋଲ ନିର୍ମାଣ ହୋଇପାରୁନଥିବାରୁ ବର୍ଷର ଅଧାଦିନ ଏହି ଅଞ୍ଚଳର ଲୋକଙ୍କୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିବାକୁ ପଡୁଛି । ନଦୀ ଆରପଟରେ ଥିବା ଗାଁରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଏଠାକାର ଶିକ୍ଷକମାନଙ୍କୁ ପ୍ରତିଦିନ ନଦୀପାର ହୋଇ ଯିବାକୁ ପଡୁଛି । ନଦୀର ଆରପଟେ ଥିବା ଅଞ୍ଚଳା,ବୁର୍ଜି,କଳମାସିଂ,ନୂଆଗାଁ,ମୁରଇସିଂ, ନୂଆସାହି, ତୁଡୁମୁଲୁ ଏବଂ ଗଙ୍ଗାପୁର ଆଦି ଆଉ ୭ଟି ଗାଁବି ଏଭଳି ବିଚ୍ଛିନ୍ନାଞ୍ଚଳ ହୋଇ ରହିଛି । ଅଞ୍ଚଳବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ଯୋଗାଯୋଗ ।
ମହେନ୍ଦ୍ରତନୟା ନଦୀ ଉପରେ ପୋଲ କେବେ ?
ସ୍ବାଧୀନତାର ଏତେ ବର୍ଷ ପରେ ବି ଆଜି ଯାଏଁ ମହେନ୍ଦ୍ରତନୟା ନଦୀ ଉପରେ ଖଣ୍ଡିଏ ପୋଲ ହୋଇପାରିଲା ନାହିଁ । ଯାହା ସେମାନଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ସେଠାକାର ଲୋକେ କହିଥିଲେ । ପୋଲଟିଏ ନଥିବାରୁ ଏହି ଅଞ୍ଚଳର ଲୋକେ ଅନ୍ୟାନ୍ୟ କଥା ଦୂରେ ଥାଉ ଆବଶ୍ୟକ ସମୟରେ ଗାଁକୁ ଆମ୍ବୁଲାନ୍ସଟିଏ ବି ପହଞ୍ଚିପାରୁନାହିଁ । ଫଳରେ ରୋଗୀଙ୍କୁ ନଦୀ ପାର କରାଇବା ପରେ ହିଁ ଚିକିତ୍ସା ସୁବିଧା ମିଳୁଥିବା ସେମାନେ କହିଛନ୍ତି । କେବଳ ସେତିକି ନୁହେଁ, ଏହି ଅଞ୍ଚଳର ପିଲାମାନେ ହାଇସ୍କୁଲ ଶିକ୍ଷା ପାଇଁ ବାହାରକୁ ଯିବାକୁ ପଡୁଛି । ଯାତାୟତ ଅସୁବିଧାରୁ ପ୍ରାଥମିକ ଶିକ୍ଷା ପରେ ପାଠ ପଢାରେ ଡୋରୀ ବାନ୍ଧିଥିବା ବେଳେ ଆଉ କିଛି କରଡାସିଂ କିମ୍ବା ରାୟଗଡ ସ୍କୁଲରେ ନାଁ ଲେଖାଇଛନ୍ତି । ହେଲେ ବର୍ଷର ଅଧାଦିନ ନଦୀରେ ପାଣି ରହୁଥିବାରୁ ଯାତାୟତ ସମ୍ଭବ ହେଉନାହିଁ । ତେଣୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । କିନ୍ତୁ ପୋଲ ନିର୍ମାଣ ନହେବା ଯାଏଁ ଆଉ କିଛି ହେବ ବୋଲି ସେମାନେ ଆଉ ଆଶା କରୁନଥିବା କହିଛନ୍ତି । ପ୍ରତିଥର ନିର୍ବାଚନ ଆସିଲେ ନେତାଏଁ ଗାଁକୁ ଆସନ୍ତି ଏବଂ ବିଭିନ୍ନ ସମସ୍ୟାର ସମାଧାନର ପ୍ରତିଶୃତି ମଧ୍ୟ ଦିଅନ୍ତି । ହେଲେ ଏହାପରେ ଆଉ ଏହି ଅଞ୍ଚଳ କଥା କାହାକୁ ମନେ ପଡେନାହିଁ ବୋଲି ଅତି କ୍ଷୋଭର ସହ ଏଠାକାର ଲୋକେ କହିଛନ୍ତି ।