କେନ୍ଦୁଝର: ସଡକ ଦୁର୍ଘଟଣାରେ ଲାଗୁନି ବ୍ରେକ । ଅଶୁଭ ସାବ୍ୟସ୍ତ ହୋଇଛି ଗୁରୁବାର । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସେହିପରି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଞ୍ଚଳରେ ଦୁର୍ଘଟଣା ଥମିବାର ନାଁ ନେଉନାହିଁ । ଆଜି ସନ୍ଧ୍ୟା ସମୟରେ ଘଟଗାଁ କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘଟଗାଁ କଲେଜ ନିକଟବର୍ତ୍ତୀ ବାରହାଟିପୁରା- ନାକଝରି ରାସ୍ତା ମଧ୍ୟରେ ରାସ୍ତା ପାର୍ଶ୍ବରେ ଥିବା ଏକ ବରଗଛରେ ପିଟି ହୋଇଛି ଟାଟା ଏସି ଗାଡ଼ି । ଏହା ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ୭ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନଯାୟୀ ଆଜି ବୀଣାଝରି ଗ୍ରାମର ଘଟଗାଁ ପାଖ କାଳିମାଟି ଡ୍ୟାମକୁ କିଛି ଗ୍ରାମବାସୀ ଭୋଜି କରିବା ପାଇଁ ଯାଇଥିଲେ । ଭୋଜି ସାରି ଫେରିବା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ଘଟିଛି । ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ଗଛରେ ପିତି ଦେଇ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଦୁଇଜଣ ହେଲେ ଘଟଗାଁ ବ୍ଲକ ବିଣାଝରି ଗ୍ରାମର ଅଭିମନ୍ୟୁ ପାତ୍ର (55) ଏବଂ ଅନ୍ୟ ଜଣେ ହେଲେ ଉପରାଡ଼ିହା ଗ୍ରାମର ସମଦ ଖାଁ (40) ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛି । ଏହା ସହ ଦୁର୍ଘଟଣା ନେଇ ଅଧିକ ତଦନ୍ତ ଚଳାଇଛି ।