ନୂଆଦିଲ୍ଲୀ : ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଲେ ଷ୍ଟାର ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ହରିୟାଣା ବିଧାନସଭା ନିର୍ବଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଛନ୍ତି ଦୁଇ କୁସ୍ତିଯୋଦ୍ଧା । ଉଭୟ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଏହା ଭିତରେ କିଛିଦିନ ପୂର୍ବରୁ ଉଭୟ ଯାଇ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଆଜି ପ୍ରଥମେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଭେଟିବା ପରେ ଦଳୀୟ ମୁଖ୍ୟାଳୟରେ ଉଭୟ କଂଗ୍ରେସର ହାତ ଧରିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେଙ୍କୁ ଭେଟିଲେ :-
କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଉଭୟ ଭିନେଶ ଓ ବଜରଙ୍ଗ ପ୍ରଥମେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଭେଟିଥିଲେ । ଖଡ୍ଗେଙ୍କ ବାସଭବନରେ ଏହି ସାକ୍ଷାତ ସମୟରେ ଦଳର ସଂଗଠନ ମହାସଚିବ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ । 'ଚକ୍ ଦେ ଇଣ୍ଡିଆ, ଚକ୍ ଦେ ହରିୟାଣା' କ୍ୟାପ୍ସନ ସହିତ ଏହି ସମୟର ଫଟୋ ନିଜେ ଖଡ୍ଗେ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ । ଏହାକୁ କଂଗ୍ରେସ ଦଳର ଆଧିକାରୀକ ଏକ୍ସ ହ୍ୟାଣ୍ଡେଲରେ ମଧ୍ୟ ରି-ପୋଷ୍ଟ କରାଯାଇଛି । ଏହାପରେ ଦଳର ଦିଲ୍ଲୀ ମୁଖ୍ୟାଳୟରେ ଉଭୟ ବିଦ୍ଧିବଦ୍ଧ ଭାବେ କଂଗ୍ରେସର ହାତ ଧରିଛନ୍ତି ।
'କଂଗ୍ରେସ ବିଚାରଧାରାରେ ଆସି ଗର୍ବିତ' :-
କଂଗ୍ରେସରେ ସାମିଲ ହେବାପରେ ଭିନେଶ ଫୋଗାଟ କହିଛନ୍ତି, "କଥାରେ ଅଛି ଖରାପ ସମୟରେ ହିଁ ଜଣାପଡ଼େ ନିଜର କିଏ । ଯେତେବେଳେ ଆମେ ନ୍ୟାୟ ପାଇଁ ଲଢ଼ୁଥିଲୁ, ସେତେବେଳେ ବିଜେପିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ଆମ ସହ ଥିଲେ । ସମସ୍ତଙ୍କୁ ଆମେ ଧନ୍ୟବାଦ ଦେଉଛୁ । ନ୍ୟାୟର ଲଢ଼େଇ ଜାରି ରହିବ । କଂଗ୍ରେସ ଦଳ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ହିଂସା ବିରୋଧରେ ସବୁବେଳେ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢେଇ କରିଛି । ଏଭଳି ବିଚାରଧାରାକୁ ଆସି ମୁଁ ଗର୍ବିତ ।"
'କଂଗ୍ରେସକୁ ଓ ଦେଶକୁ ମଜଭୁତ କରିବୁ' :-
ଅନ୍ୟପଟେ ରେସଲର ବଜରଙ୍ଗ ପୁନିଆ କହିଛନ୍ତି, "ଜନ୍ତରମନ୍ତରରେ ଆନ୍ଦୋଳନ ସମୟରେ ଆମ ସହିତ ଆସିବା ପାଇଁ ବିଜେପିର ମହିଳା ସାଂସଦମାନଙ୍କୁ ମଧ୍ୟ ଆମେ ଚିଠି ଲେଖିଥିଲୁ । ହେଲେ ସେମାନେ ଆମ ସହ ଆମ ଝିଅମାନଙ୍କ ସହ ଛିଡ଼ା ହୋଇନଥିଲେ । ଯେତେବେଳେ ଭିନେଶ ଫାଇନାଲକୁ ଗଲେ ସାରା ଦେଶ ଉତ୍ସାହିତ ହୋଇଥିଲା । ତା'ପରେ ଯାହା ଘଟିଲା, ସେଥିରେ ସାରାଦେଶ ଦୁଃଖିତ ଥିଲା । ହେଲେ କିଛି ଆଇଟି ସେଲ୍ ହିଁ ଉତ୍ସବ ମନେଇଥିଲେ । ତେଣୁ ଆମେ ଏହି ଲଢ଼େଇ ଜାରି ରଖିବୁ । କଂଗ୍ରେସ ଦଳକୁ ଓ ଦେଶକୁ ଆହୁରି ମଜଭୁତ କରିବାକୁ କାମ କରିବୁ ।"
ଦୁଇଦିନ ପୂର୍ବେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ :-
କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢ଼ିପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ 4 ସେପ୍ଟେମ୍ବରରେ ଉଭୟ ରାହୁଲ ଗାନ୍ଧୀ ଓ କେସି ବେଣୁଗୋପାଳଙ୍କ ଭଳି ଦଳର ହାଇକମାଣ୍ଡଙ୍କୁ ଭେଟିଥିଲେ । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦିନେ କିମ୍ବା ଦୁଇଦିନ ଭିତରେ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଏହା ପୂର୍ବରୁ ଉଭୟ ଭିନେଶ ଓ ବଜରଙ୍ଗ ପୁନିଆ ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସଚିବ କେସି ବେଣୁଗୋପାଳଙ୍କୁ ଭେଟିବା ସୂଚାଇ ଦେଇଥିଲା ଯେ ଉଭୟ କୁସ୍ତିଯୋଦ୍ଧା କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ଏହା ପୂର୍ବରୁ ସେମାନଙ୍କୁ ଅନେକ ଥର ହରିୟାଣାର ବରିଷ୍ଠ କଂଗ୍ରସ ନେତା ଦୀପେନ୍ଦ୍ର ସିଂ ହୁଡା ଓ ଭୁପିନ୍ଦର ସିଂ ହୁଡାଙ୍କ ସହିତ ଦେଖିବାକୁ ମିଳିଛି ।
ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାଗ୍ୟ ଦେଲାନି ସାଥ :-
ଅଲିମ୍ପିକ୍ସରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଷ୍ଟାର ରେସଲର ଭିନେଶ ଫୋଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ୍ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ତାଙ୍କର ଓଜନ ମାତ୍ର 100 ଗ୍ରାମ ଅଧିକ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଥିଲେ CAS । ଫଳରେ ଭିନେଶଙ୍କ ପଦକ ଆଶା ମଉଳି ଯାଇଥିଲା ।
ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଭିନେଶ :-
ପ୍ୟାରିସ ଅଲିମ୍ପିକ୍ସରେ ବିଫଳ ହେବାପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଭିନେଶ ଫୋଗାଟ । ଦେଶବାସୀଙ୍କଠାରୁ ଭରପୁର ସମର୍ଥନ ପାଇଥିଲେ ରେସଲର । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭିନେଶଙ୍କ ସମର୍ଥନରେ ଟ୍ବିଟ କରି ଯାହା ସମ୍ଭବ ଭିନେଶଙ୍କ ପାଇଁ କରିବାକୁ ଭାରତୀୟ ଅଲିମ୍ପିକ୍ସ ସଂଘକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଭିନେଶ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ଭିନେଶଙ୍କୁ ଭବ୍ୟ ସ୍ବାଗତ କରିଥିଲେ ହରିୟାଣା କଂଗ୍ରେସ ନେତା ତଥା ସାଂସଦ ଦୀପେନ୍ଦ୍ର ସିଂ ହୁଡା । ଏହାପରେ ଦିଲ୍ଲୀରୁ ହରିୟାଣା ଭିନେଶଙ୍କ ଗାଁ ପର୍ଯ୍ୟନ୍ତ ଭିନେଶଙ୍କୁ ରୋଡ ଶୋ'ରେ ନିଆଯାଇଥିଲା । ସେତେବେଳେ ମଧ୍ୟ କଂଗ୍ରେସ ନେତା ଭିନେଶଙ୍କ ସମର୍ଥନରେ ଯାଇଥିଲେ । ସେହି ସମୟରେ ଭିନେଶ କଂଗ୍ରେସରେ ମିଶି ରାଜନୀତିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।
ବିଜେପି ସାଂସଦଙ୍କ ବିରୋଧରେ ଦୀର୍ଘ ଦିନ ଧରି କରିଥିଲେ ଆନ୍ଦୋଳନ :-
ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ଅଧ୍ୟକ୍ଷ ତଥା ପୂର୍ବତନ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା ରେସଲର ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ଦିଲ୍ଲୀ ଜନ୍ତରମନ୍ତରରେ ସେହି ଆନ୍ଦୋଳନର ସଦସ୍ୟ ଥିଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଏହି ଆନ୍ଦୋଳନ ମଧ୍ୟ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । କଂଗ୍ରସ ସମେତ ବିଭିନ୍ନ ବିରୋଧୀ ଦଳ ସେହି ସମୟରୁ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ରହିଆସିଛନ୍ତି । ଏହାରି ଭିତରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ନେଇ ଘୋଷଣା କରିବା ସହ ଅଲିମ୍ପିକ ବିଜେତା ବଜରଙ୍ଗ ପୁନିଆ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇଥିଲେ । ସଞ୍ଜୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ଏହି ସମୟରେ ଭିନେଶ ମଧ୍ୟ ନିଜର ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ :-
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ