କଟକ: ଫେବ୍ରୁଆରୀ ୯ ରେ ଦୁଲୁକିବ ବାରବାଟୀ । ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ଏକଦିବସୀୟ ବାରବାଟୀ ଷ୍ଟାଡିଅମରେ ଖେଳାଯିବ । ଏଥିପାଇଁ ୨ ଫେବ୍ରୁଆରୀ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪ ହଜାର ଅନଲାଇନ ଟିକେଟ ।
ବାରବାଟୀକୁ ଫେରିଲା କ୍ରିକେଟ କ୍ରେଜ୍:
କଟକକୁ ଫେରିଲା କ୍ରିକେଟ କ୍ରେଜ୍ । ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ଫ୍ରେବ୍ରୁଆରୀ ୯ ରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ସିରିଜର ଦ୍ୱିତୀୟ ମୁକାବିଲା। ଏନେଇ ଆଜି ରାଜ୍ୟ କ୍ରୀଡାମନ୍ତ୍ରୀ ଓ ଓଡି଼ଶା କ୍ରିକେଟ ସଂଘ ଆନୁକୂଲ୍ୟରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉଭୟ ଅନଲାଇନ ଓ ଅଫଲାଇନ ଟିକେଟ ବିକ୍ରି ନେଇ ତାରିଖ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ ।
ଜୋମାଟୋ ଓ ପେଟିଏମରେ ମିଳିବ ଟିକେଟ୍:
"୨ ଫେବ୍ରୁଆରୀରେ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ୍ । ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ୧୯ରୁ ୨୦ହଜାର ଅଫଲାଇନ ଟିକେଟ ଉପଲବ୍ଧ ହେବ । ଏବଂ ଅବଶିଷ୍ଟ ଅନୁବନ୍ଧିତ ୟୁନିଟକୁ ଟିକେଟ ପ୍ରଦାନ କରିବ ଓସିଏ । ଅଫଲାଇନ ଟିକେଟ୍ ବିକ୍ରି ସମୟରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ହେବ । ୪ଟି ବ୍ୟାରିକେଡ୍ ମଧ୍ୟରେ ୬ଟି କାଉଣ୍ଟରରୁ ଟିକେଟ କିଣିବେ ଫ୍ୟାନ୍ସ । ୭ ତାରିଖରେ ଉଭୟ ଟିମ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ ଫେୟାର ହୋଟେଲରେ ରାତ୍ରିଯାପନ କରିବେ । ଏହାପରେ ୮ ତାରିଖରେ ଉଭୟ ଦଳ ଦୁଇଟି ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିଅମରେ ଅଭ୍ୟାସ କରିବେ । ଉଭୟ ଟିମ ଭୁବନେଶ୍ୱରରୁ ଷ୍ଟାଡିଅମ ଅଭିମୁଖେ କଡା ସୁରକ୍ଷା ବଳୟ ମଧ୍ୟରେ ପହଞ୍ଚିବେ" ବୋଲି କହିଛନ୍ତି ଓସିଏ ସମ୍ପାଦକ ।
ଲିଜେଣ୍ଡାରୀ ବକ୍ସ:
ଏହାଛଡା ପ୍ରଥମ ଥର ପାଇଁ ଏଥର ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ବ୍ୟକ୍ତିଙ୍କୁ ନେଇ ଲିଜେଣ୍ଡାରୀ ବକ୍ସର ଆୟୋଜନ କରାଯାଇଛି । ଉଭୟ ଉପର, ତଳ ବାଲିଯାତ୍ରା ପଡିଆ ଓ ସତ୍ୟବ୍ରତ ଷ୍ଟାଡିଅମରେ ଖୋଲିବ ଫ୍ୟାନ କ୍ଲବ । ଯେଉଁଠି ଖେଳର ମଜା ସହ କଟକ ଦହିବରା ଆଳୁଦମରୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇପାରିବେ ଫ୍ୟାନ୍ସ । "ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମ ଆସୁଥିବା ଦର୍ଶକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସମସ୍ତ ଗ୍ୟାଲେରୀରେ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ଅଫଲାଇନ ଟିକେଟ କିଣିବାବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେନେଇ ସବୁ ବ୍ୟବସ୍ଥା କରାଯିବ" ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଏହା ବି ପଢନ୍ତୁ...ଭାରତ-ଇଂଲଣ୍ଡ ମ୍ୟାଚ୍: ସଜେଇ ହେଉଛି ବାରବାଟୀ , ଖୁବଶୀଘ୍ର ଟିକେଟ ବିକ୍ରି
ଏହା ବି ପଢନ୍ତୁ...ଶସ୍ତା ହେଲା ଭାରତ-ଇଂଲଣ୍ଡ ମ୍ୟାଚ୍ ଟିକେଟ ମୂଲ୍ୟ, ଜାଣନ୍ତୁ କେତେ !
ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି:
ଏହି ଏକଦିବସୀୟ ମ୍ୟାଚକୁ କିପରି ସୁରକ୍ଷିତ ଭାବରେ ଆୟୋଜିତ କରାଯିବ ସେନେଇ ଆଜି ପୋଲିସ କମିଶନରଙ୍କ ସମେତ ଡିସିପି, ଅଗ୍ନିଶମ ଅଧିକାରୀ ଷ୍ଟାଡିଅମ ବୁଲି ସମୀକ୍ଷା କରିଛନ୍ତି । ପୋଲିସ କମିଶନର ଓ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଉଭୟ ଷ୍ଟାଡିଅମ ଭିତର ପାର୍ଶ୍ଵ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ପୋଲିସ କମିଶନର ଏସ ଦେବଦତ୍ତ ସିଂ କହିଛନ୍ତି, "ମୋଟ ୪୪ ହଜାର ଦର୍ଶକ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିଅମକୁ ପ୍ରବେଶ କରିବେ । ସେହି ସମୟରେ ସମସ୍ତ ଗ୍ୟାଲେରୀ, ଅତିଥିଙ୍କ ବସିବା ସ୍ଥାନ ଓ ଦର୍ଶକ କିପରି ଶୃଙ୍ଖଳିତ ଭାବେ ଖେଳ ଦେଖିବା ଉପଭୋଗ କରିବେ ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଦୀର୍ଘ ବର୍ଷ ପରେ ବାରବାଟୀକୁ ମ୍ୟାଚ୍ ଫେରିବା ନେଇ ଲକ୍ଷାଧିକ ଫ୍ୟାନ୍ସ ଏକତ୍ର ହେବା ସମୟରେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଫୋର୍ସ ମୁତୟନ ହେବ । ଡିସିପିଙ୍କୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।" ୩ ବର୍ଷ ବ୍ୟବଧାନରେ ବାରବାଟୀକୁ ମ୍ୟାଚ ଫେରିବା ଓ ଆଗକୁ ଚାମ୍ପିୟନ ଟ୍ରଫି ରହୁଥିବା ହେତୁ ଭାରତୀୟ କ୍ରିକେଟରଙ୍କୁ ନିକଟରୁ ଦେଖିବା ପାଇଁ ବେଶ ଖୁସି ଫ୍ୟାନ୍ସ ।
ଇଟିଭି ଭାରତ, କଟକ