ନୂଆଦିଲ୍ଲୀ:ମହିଳା ପ୍ରିମିୟର ଲିଗର 15ତମ ମୁକାବିଲାରେ ୟୁପି ଓ୍ବାରିୟର୍ଜର ନାଟକୀୟ ବିଜୟ । ମାତ୍ର 1 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କଲା ୟୁପି ୱାରିୟର୍ଜ । ବିଫଳ ହେଲା ମେଗ୍ ଲାନିନଙ୍କ ଲଢୁଆ ଅର୍ଦ୍ଧଶତକ । ଓ୍ବାରିୟର୍ଜର ବୋଲିଂରେ ଧରାଶାୟୀ ହେଲା କ୍ୟାପିଟାଲ୍ସ ଟିମ୍ । ୟୁପି ପକ୍ଷରୁ ଦିପ୍ତୀ ଶର୍ମାଙ୍କ ଅଲରାଉଣ୍ଡର ପ୍ରଦର୍ଶନ । ଅର୍ଦ୍ଧଶତକ ହାସଲ କରିବା ସହ 4ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ଦିପ୍ତୀ ।
ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: 42 ରନରେ ୟୁପିକୁ ମାତ ଦେଲା ମୁମ୍ବାଇ
ଶନିବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୟୁପି ଓ୍ବାରିୟର୍ଜ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୟୁପି ଟିମ । ଆରମ୍ଭରୁ ଆକ୍ରାମକ ବୋଲିଂ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର । ଫଳରେ ଦିପ୍ତୀ ଶର୍ମାଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି 30 ରନ ପୂରଣ କରିବାକୁ ସକ୍ଷମ ହୋଇନଥିଲେ । ଦିପ୍ତୀ 48 ବଲରୁ 59 ରନ କରିଥିବା ବେଳେ ଆଲିସା ହେଲି 29 ଓ ଗ୍ରେସ ହ୍ୟାରି ସର୍ବାଧିକ 14 ରନ କରିଥିଲେ । 20 ଓଭରରେ ଦଳ 8 ଓ୍ବିକେଟ ହରାଇ 138 ରନ କରିଥିଲା । କ୍ୟାପିଟାଲ୍ସ ଦଳର ରାଧା ଯାଦବ ଓ ଟାଇଟସ ସାଧୁ 2ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।