ଦାମ୍ବୁଲ୍ଲା (ଶ୍ରୀଲଙ୍କା): ମହିଳା ଏସିଆ କପ୍ ଫାଇନାଲ୍ରେ ଭାରତ । ବୋଲରଙ୍କ ପରେ ଚମକିଲେ ଓପନର । ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ମ୍ୟାଚ୍ ବିଜୟୀ ପାଳି ବଳରେ ସେମିରେ ବାଂଲାଦେଶକୁ 10 ୱିକେଟ୍ରେ ମାତ ଦେଲା ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ କେବଳ 80 ରନ କରିପାରିଥିଲେ ବାଂଲାଦେଶ ମହିଳା । ଜବାବରେ ଫାଇନାଲ୍ରେ ପହଞ୍ଚିବା ପାଇଁ ଭାରତୀୟ ଦଳ ଆଗରେ ରହିଥିଲା କେବଳ 81 ରନର ବିଜୟ ଲକ୍ଷ୍ୟ । ଯାହାକୁ କୌଣସି ୱିକେଟ୍ ନହରାଇ କେବଳ 11 ଓଭରରେ ହାସଲ କରିନେଇଛି ଭାରତ । ଓପନର ସ୍ମୃତି ମାନ୍ଧାନା (55) ଓ ଶେଫାଳୀ ବର୍ମା (26)ଙ୍କ ମ୍ୟାଚ୍ ବିଜୟୀ ପାଳି ବଳରେ କୌଣସି ୱିକେଟ୍ ନହରାଇ ଟାର୍ଗେଟ ହାସଲ କରିବା ସହ ଫାଇନାଲ୍ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଆରମ୍ଭରୁ ପ୍ରଭାବଶାଳୀ ବୋଲିଂ ପାଇଁ ରେଣୁକା ଠାକୁର ସିଂ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।
ବାଂଲାଦେଶ ପାଳି:-
ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ ଅଧିନାୟିକା ନିଗାର ସୁଲତାନା । ହେଲେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ ଦଲୀୟ ଓପନର । ପ୍ରଥମରୁ ଆକ୍ରମଣାତ୍ମକ ସଟ୍ ଖେଳିଥିବା ଦିଲାରା ଅଖତର ନିଜ ଯୋଜନା ଜାରି ରଖିବାରେ ସଫଳ ହୋଇନଥିଲେ । ପ୍ରଥମ ଓଭରରେ ହିଁ ତାଙ୍କୁ ପାଭିଲିୟନ ଫେରାଇଥିଲେ ଭାରତୀୟ ବୋଲର ରେଣୁକା ଠାକୁର ସିଂ । ଗୋଟିଏ ପଟେ ଦଳର ପରିସ୍ଥିତି ବୁଝି ବିଚାରି ଅଧିନାୟିକା ନିଗାର ସୁଲତାନା ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଦଳର ବ୍ୟାଟିଂ ଅର୍ଡରକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ ଭାରତୀୟ ବୋଲିଂ ବାହିନୀ । ବାଂଲା ଅଧିନାୟିକା ନିଗାର ସୁଲତାନା 51 ବଲରୁ ଦଳ ପାଇଁ ସର୍ବାଧିକ 32 ରନର ପାଳି ଖେଳି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୋର୍ନା ଅଖତର (19)ଙ୍କ ବ୍ଯତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ କେବଳ 80 ରନ ହିଁ କରିପାରିଥିଲା ବାଂଲାଦେଶ ।
ଭାରତ ବୋଲିଂ: ସେମିଫାଇନାଲ୍ ଭଳି ବଡ଼ ମଞ୍ଚରେ ଭାରତୀୟ ମହିଳା ଦଳ ବେଶ ଶୃଙ୍ଖଳାର ସହ ବୋଲିଂ କରିଥିଲେ । ଦଳ ପକ୍ଷରୁ ରେଣୁକା ସିଂ ଠାକୁର ଓ ରାଧା ଯାଦବ ସବୁଠାରୁ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ । ରେଣୁକା 4 ଓଭରରୁ 10 ରନ ବ୍ୟୟରେ 3 ୱିକେଟ୍ ଦଖଲ କରିଥିବାବେଳେ 4 ଓଭରରୁ 14 ରନ ବ୍ୟୟରେ 3 ୱିକେଟ୍ ହାସଲ କରିଥିଲେ ରାଧା ଯାଦବ । ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ସଫଳତା ସାଉଁଟିଥିଲେ ।