ହାଇଦ୍ରାବାଦ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଫାଇନାଲରେ ପହଞ୍ଚି ଅଯୋଗ୍ୟ ହୋଇଥିଲେ ଭିନେଶ ଫୋଗାଟ । ଷ୍ଟାର ରେସଲରଙ୍କ ହାତରୁ ଛଡ଼ାଇ ନିଆଯାଇଥିଲା ପଦକ । କେବଳ ନିର୍ଦ୍ଧାରିତ ବର୍ଗରୁ କେବଳ 100 ଗ୍ରାମ ଅଧିକ ଓଜନ ଥିବା ଦର୍ଶାଇ ଭିନେଶଙ୍କୁ ଫାଇନାଲ ମ୍ୟାଚ୍ ପୂର୍ବରୁ କରାଯାଇଥିଲା ଅଯୋଗ୍ୟ । ତେବେ ଭିନେଶ ନିଜ ଓଜନ କମାଇବା ପାଇଁ ସାରା ରାତି କିଭଳି ପ୍ରୟାସ କରିଥିଲେ, ସେହି ରାତିର ପୂରା କାହାଣୀ କହିଛନ୍ତି ଭିନେଶଙ୍କ କୋଚ ୱଲର ଅକୋସ ।
ଓଜନ ହ୍ରାସ କରିବା ସମୟରେ ଯାଇଥାଆନ୍ତା ଜୀବନ !:-
ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ଫାଇନାଲ୍ ମ୍ୟାଚ୍ର ପୂର୍ବ ରାତିରେ ଭିନେଶଙ୍କ ଓଜନ ହ୍ରାସ ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଇଥିଲା । ଭିନେଶଙ୍କ କୋଚ ହଙ୍ଗେରୀର ୱଲର ଅକୋସ ଏକ ୱାର୍କଆଉଟ୍ ସେସନ ସମୟରେ ଭିନେଶଙ୍କ ଜୀବନ ଚାଲିଯିବ ବୋଲି ମଧ୍ୟ ଭୟ କରିଯାଇଥିଲେ । ସେ ପ୍ରକାଶ କରିଛନ୍ତି ଯେ ସେ ଏବଂ ଅନ୍ୟ ସମସ୍ତ ସହଯୋଗୀ ଷ୍ଟାଫ ଭିନେଶଙ୍କ ଓଜନ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ, ଏବଂ ସେ ରାତିରେ ପରଦା ପଛରେ ଥିବା ପ୍ରୟାସ ବିଷୟରେ ବିସ୍ତୃତ ଭାବେ ଖୋଲି କହିଛନ୍ତି ।
'ସେ ପଡ଼ିଯାଇଥିଲେ, ହେଲେ ଆମେ ତାଙ୍କୁ କୌଣସି ପ୍ରକାରେ ଉଠାଇଲୁ' :-
ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ହଙ୍ଗେରୀରେ ଏକ ଫେସବୁକ୍ ପୋଷ୍ଟରେ ଭିନେଶଙ୍କ କୋଚ୍ ଆକୋସ୍ ଲେଖିଛନ୍ତି, 'ସେମିଫାଇନାଲ ପରେ ଭିନେଶଙ୍କ ଓଜନ 2.7 କିଲୋଗ୍ରାମ ଅଧିକ ରହିଥିଲା । ଆମେ 1 ଘଣ୍ଟା 20 ମିନିଟ୍ ବ୍ୟାୟାମ କରିଥିଲୁ, କିନ୍ତୁ 1.5 କିଲୋଗ୍ରାମ ଆହୁରି ଅଧିକ ରହିଲା । ପରେ, 50 ମିନିଟର ୱାର୍କଆଉଟ୍ ପରେ ମଧ୍ୟ ତାଙ୍କ ଶରୀରରେ ଗୋଟିଏ ବୁନ୍ଦା ଝାଳ ମଧ୍ୟ ଦେଖାଗଲା ନାହିଁ । ଆମ ପାଖରେ ଆଉ କୌଣସି ବିକଳ୍ପ ବାକି ନଥିଲା । ମଧ୍ୟରାତ୍ରିରୁ ସକାଳ 5:30 ପର୍ଯ୍ୟନ୍ତ, ସେ ବିଭିନ୍ନ କାର୍ଡିଓ ମେସିନ୍ ଏବଂ ରେସଲିଂ ଶୈଳି ଉପରେ ଲଗାତାର 3-4 ଘଣ୍ଟା କାର୍ଯ୍ୟ କରିଥିଲେ । ମଝିରେ କେବଳ ଦୁଇ ତିନି ମିନିଟ୍ ବିଶ୍ରାମ ନେଇ ତା’ପରେ ସେ ପୁଣି ଆରମ୍ଭ କଲେ । ଏହାପରେ ସେ ପଡ଼ିଯାଇଥିଲେ, କିନ୍ତୁ କୌଣସି ପ୍ରକାରେ ଆମେ ତାଙ୍କୁ ଉଠାଇଲୁ, ଏହାପରେ ସେ ଏକ ଘଣ୍ଟା ପୁଣି ବ୍ୟାୟାମ କରିଥିଲେ । ମୁଁ ଜାଣିଶୁଣି ନାଟକୀୟ ବିବରଣୀ ଲେଖୁନାହିଁ, କିନ୍ତୁ ମୋତେ ସେତେବେଳେ ମନେ ହେଉଥିଲା ଯେ ସେ ମରି ଯାଇଥାନ୍ତେ ।'
ପୋଷ୍ଟ ଡିଲିଟ କରିଦେଇଛନ୍ତି କୋଚ :-
ଭିନେଶଙ୍କ କୋଚ୍ ୱଲର ଆକୋସ୍ ଏହି ପୋଷ୍ଟକୁ ହଙ୍ଗେରୀ ଭାଷାରେ ଲେଖିଥିଲେ, ଯାହା ସେ ବର୍ତ୍ତମାନ ହଟାଇ ଦେଇଛନ୍ତି । କିନ୍ତୁ ଏହା ପୂର୍ବରୁ ପୋଷ୍ଟଟିକୁ ପଢାଯାଇଥିଲା । ଏହି ପ୍ରକ୍ରିୟା ପରେ ଭିନେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା ବୋଲି ମଧ୍ୟ ସେ ଲେଖିଥିଲେ । ଡାକ୍ତରଖାନାରୁ ଫେରିବାବେଳେ ଯଦିଓ ଭିନେଶଙ୍କ ହୃଦୟ ଭାଙ୍ଗିଯାଇଥିଲା, ହେଲେ ମଧ୍ୟ ସେ ସକରାତ୍ମକ କାର୍ଯ୍ୟ ଉପରେ ଧ୍ୟାନ ଦେଉଥିଲେ ବୋଲି କୋଚ ଆକୋସ ନିଜ ପୋଷ୍ଟରେ ପ୍ରକାଶ କରିଥିଲେ ।