ହାଇଦ୍ରାବାଦ:ଜଣେ ବୃଦ୍ଧା 'ଉଡାନପରୀ' ଭାବେ ବେଶ ପରିଚିତ । ଯଦିଓ ବୟସ ବଢିଛି କିନ୍ତୁ ମନୋବଳ କମିନି। ସେ ହେଉଛନ୍ତି ହରିୟାଣା ଚରଖି ଦାଦ୍ରି ଅଞ୍ଚଳର ରାମବାଇ । ପୂର୍ବଭଳି ସେମିତି ଦୃଢ ଆତ୍ମବିଶ୍ବାସ ରଖି ଜୀବନ ପଥର ଆଗେଇ ଚାଲିଛନ୍ତି ଏହି 107 ବର୍ଷୀୟା ବୃଦ୍ଧା। ହାଇଦ୍ରାବାଦରେ ଆୟୋଜିତ ନ୍ୟାସନାଲ ଆଥଲେଟିକ୍ସ ପ୍ରତିଯୋଗିତାର ବୃଦ୍ଧ ବର୍ଗରେ ସଫଳତା ହାସଲ କରିଛନ୍ତି । ଯେଉଁଥିପାଇଁ ସେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ ମଧ୍ୟ କରିଛନ୍ତି । ଆଉ 'ଉଡାନପରୀ' ଭାବେ ଜଣାଶୁଣା ଏହି ବୃଦ୍ଧା ପରିଣତ ବୟସରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ ।
ପରିଣତ ବୟସରେ ମଧ୍ୟ ରାମବାଇଙ୍କ ଆତ୍ମବିଶ୍ବାସ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି । ସୂଚନା ଅନୁସାରେ, ଗତ 6 ଏବଂ 7 ତାରିଖରେ ହାଇଦ୍ରାବାଦରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି 5ମ ନ୍ୟାସନାଲ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିୟାନ ମିଟରେ ଭାଗ ନେଇଥିଲେ ସାରା ଦେଶରୁ ଅନେକ ପ୍ରତିଯୋଗୀ । ଏଥିରେ ଭଲ ପ୍ରଦର୍ଶନ କରି ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାମବାଇ ।
ଖାଲି ସେତିକି ନୁହେଁ, ବିଦେଶରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୁନାମ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାମବାଇ । ଏପରିକି ବିଦେଶ ଯିବା ପାଇଁ ସେ ପାସପୋର୍ଟ ମଧ୍ୟ ପ୍ରସ୍ତୁତ କରି ରଖିଛନ୍ତି । ତାଙ୍କ ସାନ ଝିଅ ସନ୍ତରା ଦେବୀ ମଧ୍ୟ କେଉଁ ଗୁଣରେ କମ ନୁହେଁ । ମା'ଙ୍କଠାରୁ ପ୍ରେରଣା ପାଇଁ ସେ ମଧ୍ୟ ନିକଟରେ 15 ଶହ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିଲେ ।