ଭୁବନେଶ୍ବର: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ଜୟ ଜଗନ୍ନାଥ ଧ୍ବନୀରେ କମ୍ପିବ ଅଷ୍ଟ୍ରେଲିଆର ସିଡନି ସହର । ବିଦେଶରେ କାଳିଆ ପ୍ରେମରେ ବିମୋହିତ ହୋଇ ରଥ ଟାଣିବେ ଲକ୍ଷ ଲକ୍ଷ ଭକ୍ତ । ଖାଲି ଏତିକି ନୁହଁ ବରଂ ସେଠାରେ ଏକ ଜଗନ୍ନାଥ ମନ୍ଦିର ମଧ୍ୟ ନିର୍ମାଣ ହେବ ।
- ସିଡନିରେ ରଥଯାତ୍ରା :
ଅଷ୍ଟ୍ରେଲିଆରେ ରଥଯାତ୍ରା କରିବା ପାଇଁ ଓଡ଼ିଆ କମ୍ୟୁନିଟି ଆଜି ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀକୁ ଭେଟି ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି। ଓଡ଼ିଶାରେ ଯେଉଁ ସମୟରେ ରଥଯାତ୍ରା ହୁଅ ସେହି ତିଥି ଅନୁସାରେ ସେଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ବିଦେଶରେ ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଓଡ଼ିଆ କମ୍ୟୁନିଟିର ପ୍ରୟାସକୁ ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ସେମାନଙ୍କୁ ପ୍ରାଥମିକ ଭେଟି ଭାବରେ ୫୧ ହଜାରର ଟଙ୍କାର ଚେକ ପ୍ରଦାନ କରିଛନ୍ତି ।
- ମନ୍ତ୍ରୀଙ୍କ ସହଯୋଗ ଲୋଡିଲା ପ୍ରବାସୀ ଓଡ଼ିଆ ସମାଜ :
ଅଷ୍ଟ୍ରେଲିଆ ଓଡ଼ିଆ କମ୍ୟୁନିଟି ସଦସ୍ୟ ମାନେ ଆଜି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଭେଟି ସିଡିନିରେ ରଥଯାତ୍ରା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଛନ୍ତି ଓ ରଥଯାତ୍ରାରେ ଯୋଗ ଦେବା ପାଇଁ ନିମନ୍ତ୍ରଣବି କରିଛନ୍ତି । ଏହାସହ ସେଠାରେ ଥିବା ଓଡି଼ଆମାନେ ଫୋନ ଯୋଗେ ମନ୍ତ୍ରୀଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି । ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଉପସ୍ଥିତରେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ ସିଡିନିରେ ଥିବା ପ୍ରବାସୀ ଓଡ଼ିଆ ।

- ରଥରେ ଲାଗିବ 50 ଫୁଟର ପିପିଲି ଚାନ୍ଦୁଆ
ଅଷ୍ଟ୍ରେଲିଆରେ ଗଡିବାକୁ ଥିବା ରଥରେ ଲାଗିବ ପିପିଲି ଚାନ୍ଦୁଆ । ରଥର ଉଚ୍ଚତା ରହିବ 20 ଫୁଟ । ଏଥିରେ 50 ଫୁଟ ଗୋଲେଇ ଚାନ୍ଦୁଆ ଲାଗିବ। ଏଥିପାଇଁ ପିପିଲି ଚାନ୍ଦୁଆ କାରିଗର ମଧ୍ୟ ଭେଟିଥିଲେ ମନ୍ତ୍ରୀଙ୍କୁ । ଏହାସହ ରଥଯାତ୍ରା ପରେ ସିଡିନରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆ। ଏହା ଏକ ଗୌରବର କଥା, ଜଗନ୍ନାଥ ସଂସ୍କୃତିର ପିପିଲି ଚାନ୍ଦୁଆ ଶିଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ରହିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।
- କଣ କହିଲେ ସଂସ୍କୃତି ମନ୍ତ୍ରୀ
ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ''ଏନେଇ ଜଗନ୍ନାଥ ସଂସ୍କୃତିର ପ୍ରସାର ପ୍ରଚାର ପାଇଁ ଏବଂ ଅଷ୍ଟ୍ରେଲିଆରେ ରହୁଥିବା 5 ହଜାରରୁ ଉର୍ଦ୍ଧ୍ବ ଓଡ଼ିଆ ପରିବାର ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି, ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସେମାନେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହଯୋଗ ଚାହୁଁଛନ୍ତି । ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ''
ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, '' ଜଗନ୍ନାଥ ସଂସ୍କୃତିର ପ୍ରସାର ପ୍ରଚାର ଓ ପିପିଲି ଚାନ୍ଦୁଆର ପ୍ରସାର ପ୍ରଚାର ପାଇଁ ଅଷ୍ଟ୍ରେଲିଆରେ ରଥଯାତ୍ରା ହେବ । 20 ଫୁଟ ରଥରେ 50 ଫୁଟର ପିପିଲି ଚାନ୍ଦୁଆ ଲାଗିବ । ସିଡିନିରେ ରଥଯାତ୍ରା ହେବ । ଏଥି ପାଇଁ ମେ ଗର୍ବିତ । '' ଓଡ଼ିଆ କମ୍ୟୁନିଟି ସଦସ୍ୟ ଶୈବାଳିନୀ ସାହୁ କହିଛନ୍ତି, '' ଜଗନ୍ନାଥ ସଂସ୍କୃତିକୁ ଆଗକୁ ନେବା ପାଇଁ ସିଡିନିରେ ଆମେ ପ୍ରଥମ ଥର ରଥଯାତ୍ରା କରିବାକୁ ୟାଉଛୁ । ରଥଯାତ୍ରା ହେବା ପରେ ସେଠାରେ ଆମେ ଜଗନ୍ନାଥ ମନ୍ଦିର ମଧ୍ୟ କରିବୁ । ''
ଇଟିଭି ଭାରତ, ଭୁବନେଶ୍ବର