କଟକ: ଆରମ୍ଭ ହୋଇଥିବା ପଞ୍ଚମ ଅନ୍ତଃରାଜ୍ୟ ସ୍କୁଲ ଓ ଓ୍ବାଇଜିଟିଟିଏ ରାଙ୍କିଂ ଟେବୁଲ ଟେନିସ ଚମ୍ପିଆନସିପ୍ ଉଦଯାପିତ ହୋଇଯାଇଛି । ମହିଳା ବିଭାଗ ସିଙ୍ଗଲ୍ସରେ ଆଚାର୍ଯ୍ୟ ହରିହର ସେକେଣ୍ଡାରୀ ସ୍କୁଲର ଶ୍ବେତପଦ୍ମା ଦଳାଇ ଏଜି ଓଡିଶାର ନେହା କୁମାରୀଙ୍କୁ ହରାଇ ଚମ୍ପିଆନ ହୋଇଛନ୍ତି । ସେହିପରି ପୁରୁଷ ବିଭାଗ ଫାଇନାଲରେ ‘ଏଜି ଓଡ଼ିଶା’ର ମୈନେକା ଦାସ ଶାଶ୍ବତ ସାମଲଙ୍କୁ ହରାଇ ବିଜେତା ହୋଇଥିଲେ । ଏହି ଚମ୍ପିଆନସିପ୍ରେ ଉଭୟ ବାଳକ ଓ ବାଳିକା ଜୁନିୟର ,ସବ-ଜୁନିୟର ଓ ସିନିୟର ଵର୍ଗରେ ସମସ୍ତ ମ୍ୟାଚ ଖେଳା ଯାଇଥିଲା ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା ଓ ସୂଚନା ଲୋକ ସମ୍ପର୍କ ବିଭାଗ ସଚିବ ତଥା ରାଜ୍ୟ ଟେବୁଲ ଟେନିସ ସଂଘର ସଭାପତି ସଞ୍ଜୟ ସିଂ ଯୋଗ ଦେଇଥିଲେ । ସଞ୍ଜୟ କହିଛନ୍ତି, ''12 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆନସିପ୍ ଚାଲିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ 500ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ରାଜ୍ୟର ସବୁଠାରୁ ଭଲ ଖେଳାଳିଙ୍କ ସହ ସେମାନେ ଖେଳିବାର ସୁଯୋଗ ପାଇଛନ୍ତି । ଏମିତି ମଧ୍ୟ ଖେଳାଳି ଅଛନ୍ତି ଯେଉଁମାନେ ଜାତୀୟସ୍ତରରେ ସବ-ଜୁନିୟରରେ ମେଡାଲ ପାଇଛନ୍ତି । ରାଜ୍ୟ ପାଇଁ ଗୌରବ ମଧ୍ୟ ଆଣିଛନ୍ତି । ଆମର ଆଶା ଏହି ଟୁର୍ଣ୍ଣାମେଣ୍ଟ ସମସ୍ତଙ୍କ ପାଇଁ ଲାଭପ୍ରଦ ଥିବ । ସେମାନେ ବହୁ ଜିନିଷ ଶିଖିଥିବେ । ଆଗାମୀ ଦିନରେ ଏମାନଙ୍କ ମଧ୍ୟରୁ ଓଡି଼ଶାର ଚାମ୍ପିଅନ ବାହାରିବେ । ଟେନିସ ସଂଘ ତରଫରୁ ଆମେ ଏପରି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛୁ । ଯେଉଁଥିରେ ପିଲାମାନେ ଖେଳିବାର ସୁଯୋଗ ପାଉଛନ୍ତି । ପିଲାଙ୍କର ରହିବା ଖାଇବାର ସମସ୍ତ ବ୍ୟବସ୍ଥା କରାଯାଉଛି ।''