ନୂଆଦିଲ୍ଲୀ :ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିବା ପରେ ପରେ ତୁରନ୍ତ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (LLC) ଖେଳିବା ପାଇଁ ସାଇନ୍ ଅପ୍ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଓପନର୍ ଶିଖର ଧାୱନ । LLC ଏହାର ପରବର୍ତ୍ତୀ ସିଜିନ ସେପ୍ଟେମ୍ବରରେ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଅବସରପ୍ରାପ୍ତ କ୍ରିକେଟ୍ କିମ୍ବଦନ୍ତୀ ଏହି ଲିଗରେ ପ୍ରତିଦ୍ବନ୍ଦ୍ବିତା କରିଥାନ୍ତି ।
ଏହି ଲିଗ୍ରେ ଖେଳିବେ ଧାୱନ :-
ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ରେ ଯୋଗଦେବା ପରେ ଶିଖର ଧାୱନ କହିଛନ୍ତି, "ମୁଁ ଅବସର ପରେ ଏହି ନୂଆ ଅଧ୍ୟାୟ ଆରମ୍ଭ କରିବା ଏକ ଆଦର୍ଶ ପ୍ରଗତି ଭଳି ଅନୁଭବ କରୁଛି । ଖେଳିବା ପାଇଁ ମୋ ଶରୀର ଏବେ ମଧ୍ୟ ପ୍ରସ୍ତୁତ । ମୁଁ ଏହି ନିଷ୍ପତ୍ତି ନେଇଛି, କାରଣ କ୍ରିକେଟ୍ ମୋର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ମୋ ଠାରୁ କେବେ ଅଲଗା ହେବ ନାହିଁ । ମୁଁ ମୋର କ୍ରିକେଟ୍ ସାଥିମାନଙ୍କ ସହିତ ପୁଣିଥରେ ମିଶିବାକୁ ଏବଂ ଆମର ପ୍ରଶଂସକମାନଙ୍କ ମନୋରଞ୍ଜନ କରିବାକୁ ଉତ୍ସାହିତ, କାରଣ ଆମେ ଏକତ୍ର ନୂଆ ନୂଆ ସ୍ମୃତି ସୃଷ୍ଟି କରୁ ।"
ଧାୱନଙ୍କୁ ଲିଗକୁ ସ୍ବାଗତ କରି LLCର ସହ-ପ୍ରତିଷ୍ଠାତା ରମଣ ରାହେଜା କହିଛନ୍ତି, "ଶିଖର ଧାୱନ ଆମ ସହ ଯୋଗ ଦେଇଥିବାରୁ ଆମେ ବହୁତ ଖୁସି । ତାଙ୍କର ଅଭିଜ୍ଞତା ଏବଂ ପ୍ରତିଭା ନିଶ୍ଚିତ ଭବରେ ପ୍ରତିଯୋଗିତାକୁ ଆଗକୁ ବଢ଼ାଇବ ଏବଂ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିବ । ଆମେ ତାଙ୍କୁ ଅନ୍ୟ ମହାନ କ୍ରିକେଟରଙ୍କ ସହିତ ଆକ୍ସନରେ ଦେଖିବା ପାଇଁ ଉତ୍ସାହିତ । କିମ୍ବଦନ୍ତୀ କ୍ରିକେଟରଙ୍କ ପାଇଁ ଏହା ଦ୍ବିତୀୟ ଇନିଂସ ଭାବରେ ଆମର ସ୍ଥିତିକୁ ଆହୁରି ଦୃଢ଼ କରିବ ।"