ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହେଲେ ବ୍ୟାଡମିଣ୍ଟନ ଚମ୍ପିଆନ ପିଭି ସିନ୍ଧୁ । ରାଜସ୍ଥାନର ଉଦୟପୁରରେ ତେଲୁଗୁ ରୀତିନୀତିରେ ଗ୍ରାଣ୍ଡ ସେଲିବ୍ରେସନ ସହ ଭେଙ୍କଟ ଦତ୍ତ ସାଇଙ୍କ ସାତ ଜନ୍ମର ସାଥି ହୋଇଛନ୍ତି ପିଭି ସିନ୍ଧୁ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ୍ ଏହି ବିବାହରେ ସାମିଲ ହେବା ସହ ଉଭୟଙ୍କ ଫଟୋ ସେୟାର କରିଛନ୍ତି ।
ଡିସେମ୍ବର 22ରେ ହାତକୁ ଦି ହାତ ହେଲେ ସିନ୍ଧୁ:
ଡିସେମ୍ବର ୨୦ରୁ ଉଭୟଙ୍କ ବିବାହର ରୀତିନୀତି ଆରମ୍ଭ ହୋଇଯାଇଥିଲା । ୨୦ ତାରିଖରେ ସଙ୍ଗୀତ ସେଲିବ୍ରେସନ ହୋଇଥିବା ବେଳେ ଏହାପରେ ହଳଦି, ପେଲିକୁଥୁରୁ,ମେହେନ୍ଦୀ ପାଳନ କରାଯାଇଥିଲା । ନିଜ ପ୍ରିୟଜନଙ୍କ ଗହଣରେ ଗତକାଲି(ରବିବାର) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପିଭି ସିନ୍ଧୁ ଓ ଭେଙ୍କଟ ଦତ୍ତ ସାଇ ।
Pleased to have attended the wedding ceremony of our Badminton Champion Olympian PV Sindhu with Venkatta Datta Sai in Udaipur last evening and conveyed my wishes & blessings to the couple for their new life ahead.@Pvsindhu1 pic.twitter.com/hjMwr5m76y
— Gajendra Singh Shekhawat (@gssjodhpur) December 23, 2024
ବିବାହରେ ସାମିଲ ହେଲେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ:
ଯଦିଓ ଏହି ଯୋଡି ଏବେସୁଦ୍ଧା ସେମାନଙ୍କର ବିବାହ ଫଟୋ ସେୟାର କରିନାହାନ୍ତି କିନ୍ତୁ ସେମାନଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ୍ ଏହି ବିବାହରେ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ନବଦମ୍ପତିଙ୍କ ଫଟୋ ସେୟାର କରି ନୂତନ ଜୀବନ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଡିସେମ୍ବର ୨୨ତାରିଖରେ(ଶନିବାର) ସେମାନେ ବିବାହ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଟ୍ୱିଟ କରିଛନ୍ତି ।
ସାମ୍ନାକୁ ଆସିଲା ବିବାହର ପ୍ରଥମ ଫଟୋ
ସିନ୍ଧୁ ଓ ଭେଙ୍କଟଙ୍କର ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ବ୍ରାଇଡାଲ ଲୁକରେ ବେଶ ସୁନ୍ଦର ଦେଖାଯାଉଛନ୍ତି ବ୍ୟାଡମିଣ୍ଟନ ତାରକା । ସିନ୍ଧୁ ଗୋଲ୍ଡେନ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଏହାକୁ ମ୍ୟାଚ କରି ଭେଙ୍କଟ ଦତ୍ତ ସାଇ ମଧ୍ୟ ଗୋଲ୍ଡେନ ରଙ୍ଗର ସେରଓ୍ବାନୀ ପିନ୍ଧିଛନ୍ତି । ଡିସେମ୍ବର ୨୪ରେ ହାଇଦ୍ରାବାଦରେ ଉଭୟଙ୍କ ରିସେପସନ ପାର୍ଟି ଦିଆଯିବ ।
କିଏ ଭେଙ୍କଟ ଦତ୍ତ ସାଇ?
ପିଭି ସିନ୍ଧୁ କ୍ରୀଡା ଜଗତରେ ଏକ ଚର୍ଚ୍ଚିତ ଚେହେରା ହୋଇଥିବା ବେଳେ ଭେଙ୍କଟ ଜଣେ ବିଜନେସ ମ୍ୟାନ । ହାଇଦ୍ରାବାଦରେ ଏକ ଟେକ୍ନୋଲୋଜି କମ୍ପାନୀରେ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରୁଛନ୍ତି ଭେଙ୍କଟ । ଭେଙ୍କଟ ଦତ୍ତ ସାଇ ପୋସାଇଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି । ସେ ପୋସାଇଡେକ୍ସ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ଜି.ଟି ଭେଙ୍କଟେଶ ରାଓଙ୍କ ପୁଅ । ସେ 2018ରେ FLAME ୟୁନିଭରସିଟିରେ ବ୍ୟାଚଲର ଅଫ ବିଜନେସ ଆଡମିନିଷ୍ଟ୍ରେସନରୁ BBA ଆକାଉଣ୍ଟିଂ ଏବଂ ଫାଇନାନ୍ସ ପାଠ ପଢ଼ା ସମାପ୍ତ କରିଥିଲେ । ପରେ ବେଙ୍ଗାଲୁରୁରେ ଅନ୍ତର୍ଜାତୀୟ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜିରୁ ଡାଟା ସାଇନ୍ସ ଏବଂ ମେସିନ ଲର୍ଣ୍ଣିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।
ପିଭି ସିନ୍ଧୁଙ୍କ କ୍ୟାରିଅର
ପୁସର୍ଲା ଭେଙ୍କଟ ସିନ୍ଧୁ (ପିଭି ସିନ୍ଧୁ) ବ୍ୟାଡମିଣ୍ଟନ ଜଗତର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ । ଅଲମ୍ପିକ୍ସ ସହିତ ଅନେକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ଭାରତର ରାଷ୍ଟ୍ରୀୟ ଧ୍ବଜା ଉଡାଇ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନ ହୋଇଥିବା ଏକମାତ୍ର ଭାରତୀୟ ମହିଳା ଖେଳାଳି ଓ ଅଲମ୍ପିକ୍ସରେ ଲଗାତାର ଦୁଇଟି ପଦକ ଜିତିଥିବା ଭାରତର ଦ୍ବିତୀୟ ବ୍ୟକ୍ତିଗତ ଆଥଲେଟ୍ । ସେ ପ୍ରଥମେ 2016 ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ, ପରେ 2020 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ବ୍ୟତୀତ 2017ରେ ସେ ପ୍ରଥମ ଥର ପାଇଁ ବିଶ୍ୱ ସ୍ତରେର 2 ନମ୍ବର ସ୍ଥାନରେ ରହିଥିଲେ । ୨୦୧୯ରେ ବିଶ୍ୱ ଚାମ୍ପିୟନସିପ ଟାଇଟଲ ହାସଲ କରିଥିଲେ ପିଭି ସିନ୍ଧୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ