ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟର ପୁଣି ବର୍ଷା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କଟକ, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
୨୫ରୁ କମିବ ବର୍ଷାର ପରିମାଣ:
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ରହିଥିବା ବେଳେ ୨୫ ତାରିଖରୁ କମିବ ବର୍ଷାର ପରିମାଣ । ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ହୋଇପାରେ । ଗଞ୍ଜାମ, ଗଜପତିରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ ବୋଲି ମଧ୍ୟ ଆକଳନ କରିଛି ବିଭାଗ ।

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ଲଘୁଚାପର ପ୍ରଭାବ ମୁଖ୍ୟତଃ ଆନ୍ଧ୍ରପ୍ରଦେଶରେ ରହିବ । ଏହାର ଆଖପାଖ ଅଞ୍ଚଳ ଗଞ୍ଜାମ, ଗଜପତି ହୋଇଥିବାରୁ ଏଠାରେ ବର୍ଷା ହୋଇପାରେ । ବିଗତ ବର୍ଷ ମାନଙ୍କ ଭଳି ଏ ବର୍ଷ ଅଧିକ ଶୀତ ଅନୁଭୂତ ହେବ ନାହିଁ । ଏଥର ଯେତିକି ଶୀତ ହେବା କଥା ତାହା ହେବ ନାହିଁ ।"
ଏହା ବି ପଢନ୍ତୁ...IMD Alert: ପୁଣି ୨୪ରୁ ବର୍ଷା, ୨ ଦିନ ଧରି ବର୍ଷିବ - ODISHA WEATHER UPDATE
ଅଦିନିଆ ବର୍ଷା ପାଇଁ ସତର୍କତା:
ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କଲେ ଆଇଏମଡି ଡିଜି । ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବଙ୍ଗୋପସାଗରରେ ଥିବା ଲଘୁଚାପ ଯୋଗୁଁ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଓ ୨୫ରେ ହେବାକୁ ଥିବା ବର୍ଷା ପାଇଁ ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ । କାରଣ ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅଦିନିଆ ବର୍ଷା କାରଣରୁ ଚାଷୀମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି । ଆହୁରି ଦୁଇ ଦିନ ବର୍ଷା ହେବାକୁ ଥିବାବେଳେ ଚାଷୀଙ୍କୁ ସତର୍କ ରହିବାକୁ ବିଭାଗ ପରାମର୍ଶ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର